ଭୁବନେଶ୍ବର: ଭାରତ ସରକାରଙ୍କର କୋଇଲା ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ୧୨ ତମ ଟ୍ରାଞ୍ଚ ନିଲାମ ପ୍ରକ୍ରିୟାରେ ଓଡ଼ିଶା କୋଲ ଆଣ୍ଡ୍ ପାୱର ଲିମିଟେଡ୍ (OCPL) ଟାଙ୍ଗିରିଡ଼ିହି ନର୍ଥ କୋଲ ବ୍ଲକକୁ ହାସଲ କରିଛି। ଏହା ରାଜ୍ୟ ସରକାରଙ୍କର ପ୍ରଥମ ବ୍ୟବସାୟଭିତ୍ତିକ କୋଇଲା ଖଣି ହେବାକୁ ଯାଉଛି। OCPL ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାର ମନୋହରପୁର ଏବଂ ଡିପ୍-ସାଇଡ୍ ଅଫ୍ ମନୋହରପୁର କୋଲ ବ୍ଲକ୍ ପାଇଥିଲା। ଏହି ଦୁଇଟି ଖଣି ଓପିଜିସି ପାଇଁ ସୁଲଭ ମୂଲ୍ୟରେ କୋଇଲା ଯୋଗାଣ ପାଇଁ ଉଦ୍ଦିଷ୍ଟ।
ଅଧିକାରୀଙ୍କ ସୂଚନା ଅନୁସାରେ, ଟାଙ୍ଗିରିଡିହି ନର୍ଥ ବ୍ଲକ୍ରୁ ଭବିଷ୍ୟତରେ ବିପୁଳ ପରିମାଣର କୋଇଲା ଉତ୍ପାଦନ ହେବ, ଯାହା ରାଜ୍ୟର ତାପ ବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକୁ ଇନ୍ଧନ ଯୋଗାଇବ । ଫଳରେ, ଓଡ଼ିଶାର ବିଦ୍ୟୁତ୍ ସ୍ୱାଧୀନତା ସୁନିଶ୍ଚିତ ହେବା ସହିତ ନୂତନ ରୋଜଗାର ସୃଷ୍ଟି ହେବ ଏବଂ ଔଦ୍ୟୋଗିକ କ୍ଷେତ୍ରକୁ ଗତି ମିଳିବ ।
ଟାଙ୍ଗରିଡିହି କୋଇଲାଖଣିରେ ପ୍ରାୟ ୧୧୦୦ ନିୟୁତ ଟନ ଜି ୧୩ ମାନର କୋଇଲା ମହଜୁଦ ଅଛି। ପ୍ରାୟ ୪୧୦ ମିଟର ମଧ୍ୟ୍ୟରେ ୪୦୦ ନିୟୁତ ଟନ ଉଚ୍ଚମାନର କୋଇଲା ଗଚ୍ଛିତ ଅଛି। ବିଶେଷଜ୍ଞଙ୍କ ମତରେ OCPL ପାଇଁ ଏହା ଏକ କୌଶଳଗତ ସଫଳତା ଅଟେ । କାରଣ, ବୃଦ୍ଧିଶୀଳ ବିଦ୍ୟୁତ୍ ଚାହିଦା ପୂରଣ କରିବା ସହିତ, ରାଜ୍ୟ ଏବେ ଅନ୍ୟ ରାଜ୍ୟକୁ ମଧ୍ୟ କୋଇଲା ଓ ବିଦ୍ୟୁତ୍ ଯୋଗାଣ କରିବାରେ ସକ୍ଷମ ହେବ । ଏହି ବାଣିଜ୍ୟିକ କୋଇଲା ଖଣି ବର୍ଷକୁ ପ୍ରାୟ ୩ ହଜାର କୋଟି ଟଙ୍କାର ବ୍ୟବସାୟ କରିବା ଏବଂ ପ୍ରାୟ ୨୫୦୦ ବ୍ୟକ୍ତିଙ୍କୁ ପ୍ରତ୍ୟେକ୍ଷ କର୍ମ ଯୋଗାଇଦେଇପାରିବ।
ଆହୁରି ମଧ୍ୟ ଏହି କୋଲ ବ୍ଲକ୍ ଚାଲୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟରେ ମଧ୍ୟ ଉନ୍ନତି ଆସିବ। ଆର୍ଥିକ କାର୍ଯ୍ୟକଳାପ ଆରମ୍ଭ ହେବ ଏବଂ ପରୋକ୍ଷ ଭାବରେ ପ୍ରାୟ ୩ ହଜାର ଲୋକଙ୍କୁ ଜୀବିକା ମିଳିପାରିବ।
ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏବଂ ଶକ୍ତି ବିଭାଗ ସଚିବ ବିଶାଲ ଦେବଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ କୋଇଲା ମନ୍ତ୍ରଣାଳୟର ନିଲାମ ପ୍ରକ୍ରିୟାରେ ଓସିପିଏଲ ଭାଗନେଇ ଏହି ସଫଳତା ହାସଲ କରିଛି। ଏହି ଉପଲବ୍ଧି ରାଜ୍ୟ ପାଇଁ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ରାଜ୍ୟ ସରକାର ଓସିପିଏଲ ଏବଂ ଶକ୍ତି ସଚିବଙ୍କ ଏହି ମିଳିତ ଉଦ୍ୟମକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।