ବିଏମ୍‌ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା : ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାକୁ ଓଏଏସ୍ ସଂଘର ଚେତାବନୀ

Published By : Prameya-News7 Bureau | July 02, 2025 IST

ଭୁବନେଶ୍ବର ୨।୭: ବିଏମ୍‌ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଚେତାବନୀ ଦେଇଛି OAS ସଂଘ । ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାକୁ ବୈଠକରେ ସଂଘ ଦାବି କରିଛି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେବାକୁ ପ୍ରସ୍ତାବ ପାରିତ ହୋଇଛି । ଆକ୍ରମଣ ବ୍ୟକ୍ତି ଉପରେ ନୁହେଁ, ସାଧାରଣ ସେବା ବ୍ୟବସ୍ଥା ଉପରେ ବୋଲି ସଂଘ କହିଛି । ଫିଲ୍ଡରେ କାର୍ଯ୍ୟରତ ଅଫିସରଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଦେବାକୁ ସଂଘ ଦାବି କରିଛି । ଦାବିପୂରଣ ନ ହେବା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ OAS ଅଫିସର ଛୁଟିରେ ରହିବେ । ସରକାର ଘଟଣାକୁ ଗୁରୁତ୍ବର ସହ ନେଇ ତ୍ବରିତ ପଦକ୍ଷେପ ନେବେ ବୋଲି ସଂଘ ଆଶାବାଦୀ ଅଛି ।

ସେପଟେ ବିଏମ୍‌ସି ଅଫିସ୍‌ରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣା ପଛରେ ଥିବା ମୁଖ୍ୟ ଆସାମୀକୁ ଛଡାଯିବନି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଫେରିବା ପରେ ଏଭଳି ବଡ଼ ବୟାନ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ମନ୍ତ୍ରୀ କହିଛନ୍ତି, ଯିଏ ବି ଏ କାଣ୍ଡ ଘଟାଇଛନ୍ତି, କାହାରିକୁ ଛଡା ଯିବନାହିଁ । ସମସ୍ତଙ୍କୁ ଗିରଫ କରାଯିବ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇସାରିଛନ୍ତି । ଏଭଳି ଅପ୍ରୀତିକର ପରିସ୍ଥିତି ନହେବା କଥା ହୋଇଗଲା । କଲମ ଛାଡ଼ ଆନ୍ଦୋଳନର ସମାଧାନ ହୋଇଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ୱର ମହାନଗର ନିଗମ ଅଫିସ୍‌ରେ ସୋମବାର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରିଛି ଓଏଏସ୍‌ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ସହ ଅଧିକାରୀମାନେ ସମୂହ ଛୁଟିରେ ଯାଇଛନ୍ତି । ଫଳରେ ରାଜ୍ୟରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଅନିର୍ଦ୍ଦିଷ୍ଟ କାଳ ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିବାରୁ ଲୋକମାନେ କାର୍ଯ୍ୟ ନକରିପାରି ନିରାଶ ହୋଇ ଫେରୁଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ଜରୁରୀକାଳୀନ ବୈଠକ ଡାକିଥିଲେ । ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସହ ପରିବହନ ମନ୍ତ୍ରୀ ବିଭୂତି ଜେନା ମଧ୍ୟ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ, ସୋମବାର ବିଏମ୍‌ସି ମୁଖ୍ୟାଳୟରେ ଅଭିଯୋଗ ଶୁଣାଣି ଚାଲିଥିଲା ।  ମେୟରଙ୍କ ପ୍ରକୋଷ୍ଠକୁ ଲାଗିଥିବା ପ୍ରକୋଷ୍ଠରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଲୋକଙ୍କ ଅଭିଯୋଗ ଶୁଣୁଥିଲେ । ବିଏମ୍‌ସିର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ବି ଅଭିଯୋଗ ଶୁଣାଣିରେ ଉପସ୍ଥିତ ଥିଲେ । ଅଚାନକ ବିଜେପି କର୍ପୋରେଟର ଜୀବନଙ୍କ ସହ ୬ରୁ ୭ଜଣ ଦୁର୍ବୃତ୍ତ ଅଭିଯୋଗ ପ୍ରକୋଷ୍ଠକୁ ପଶିଥିଲେ । ସ୍ୱଚ୍ଛ ସୁପରଭାଇଜରଙ୍କ ଉପରେ ହୋଇଥିବା ତଦନ୍ତର  ରିପୋର୍ଟ ବଦଳାଇବାକୁ ଦାବି କରିଥିଲେ । କିନ୍ତୁ ଅତିରିକ୍ତ କମିଶନର ରତ୍ନାକର ସାହୁ ଏଥିରେ ହସ୍ତକ୍ଷେପ କରିବେନି ବୋଲି କହିଥିଲେ । ଏହାକୁ ନେଇ ପ୍ରତିକ୍ରିୟାଶୀଳ ହେବା ସହ ତାଙ୍କୁ ବିଜେପିର କାର୍ଯ୍ୟକର୍ତ୍ତା ମାନେ ଆକ୍ରମଣ କରିଥିଲେ । 

ଅଭିଯୋଗ ପ୍ରକୋଷ୍ଠରୁ କାର୍‌ ଯାଏଁ ପ୍ରାୟ ୫୦ ମିଟର ଘୋଷାଡ଼ି ଘୋଷାଡ଼ି ନେଇଥିଲେ । ମଝିରେ ମୁହଁକୁ ଗୋଇଠା ଓ ବିଧା ମାରୁଥିଲେ । ଏଥିରେ ରତ୍ନାକର ସାହୁଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଏକ କାର୍‌ରେ ପୂରାଇବା ବେଳେ ମେୟର ଓ ଅନ୍ୟ କର୍ପୋରେଟର ଧାଇଁ ଆସିବାରୁ ଆକ୍ରମଣକାରୀ ତାଙ୍କୁ ଛାଡ଼ି ପଳାଇଥିଲେ । ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ପରେ ଦୁର୍ବୃତ୍ତମାନେ ମେୟର ସୁଲୋଚନା ଦାସଙ୍କୁ ଘେରି ଗାଳିଗୁଲଜ କରିଥିଲେ ।

You Can Read:

ବିଏମ୍‌ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା ପଛରେ ଥିବା ମୁଖ୍ୟ ଆସାମୀକୁ ଛଡାଯିବନି, ସମସ୍ତଙ୍କୁ ଗିରଫ କରାଯିବ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.