ମୋଦୀଙ୍କୁ ଘାନାର ସର୍ବୋଚ୍ଚ ସମ୍ମାନ, 'ଦ ଅଫିସର୍ ଅଫ୍ ଦ ଅର୍ଡର ଅଫ୍‌ ଦ ଷ୍ଟାର୍ ଅଫ୍ ଘାନା'ରେ ସମ୍ମାନିତ

Published By : Prameya-News7 Bureau | July 03, 2025 IST

ନୂଆଦିଲ୍ଲୀ ୦୩/୦୭: ବୁଧବାର ୫ ରାଷ୍ଟ୍ର ଗସ୍ତର ପ୍ରଥମ ଦିନରେ ଘାନାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୁଇ ଦିନିଆ ଘାନା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଘାନା ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ ରାଷ୍ଟ୍ରପତି ଜନ ଡ୍ରାମାନି ମହାମା। ମୋଦିଙ୍କୁ ୨୧ ତୋପି ସଲାମି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘାନାର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଦି ଅଫିସର ଅଫ ଦି ଅର୍ଡର ଅଫ ଦି ଷ୍ଟାର ଅଫ ଘାନା’ରେ ସମ୍ମାନିତ କରାଯାଇଛି।

ଘାନାର ରାଷ୍ଟ୍ରପତି ଜନ ମହାମାଙ୍କ ଦ୍ୱାରା ଆକ୍ରାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ସମ୍ମାନ ପ୍ରଧାନମନ୍ତ୍ରୀ ମୋଦିଙ୍କର ନେତୃତ୍ବକୁ ସ୍ୱୀକୃତି ଦେବା ପାଇଁ ପ୍ରଦାନ କରାଯାଇଛି। ମୋଦି ଏହି ସମ୍ମାନକୁ ୧୪୦ କୋଟି ଭାରତୀୟଙ୍କ ନାମରେ ଉତ୍ସର୍ଗ କରିଛନ୍ତି । ଏହାକୁ ଭାରତ-ଘାନା ମଧ୍ୟରେ ଦୀର୍ଘଦିନର ବନ୍ଧୁତ୍ୱର ପ୍ରତୀକ ବୋଲି ବର୍ଣ୍ଣନା କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ଐତିହାସିକ ଘାନା ଗସ୍ତ ହେଉଛି ଗତ ୩୦ ବର୍ଷ ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଏହି ଗସ୍ତ ସମୟରେ ଭାରତ ଏବଂ ଘାନା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଯାହା ଦୁଇ ଦେଶର ସମ୍ପର୍କକୁ ଆହୁରି ଗଭୀର କରିବ। ଉଭୟ ଦେଶ ମଧ୍ୟରେ କଳା ସଂସ୍କୃତି ସାହିତ୍ୟ କ୍ଷେତ୍ରରେ ମଧ୍ୟ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଘାନାର ରାଷ୍ଟ୍ରପତି ଜନ ମହାମା ପହଲଗାମ ଆତଙ୍କୀ ହମଲାକୁ ମଧ୍ୟ ନିନ୍ଦା କରିଛନ୍ତି। ଭାରତ ଆତଙ୍କବାଦ ବିରୋଧରେ ନେଉଥିବା ପଦକ୍ଷେପକୁ ମଧ୍ୟ ସେ ସ୍ବାଗତ କରିଛନ୍ତି।

ମୋଦି ଘାନାର ଆକ୍ରାରେ ଯେଉଁ ହୋଟେଲରେ ଥିଲେ, ସେଠାରେ ପହଞ୍ଚିବା ପରେ ଭାରତୀୟ ବଂଶୋଦ୍ଭବ ସଦସ୍ୟମାନେ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଜୁଲାଇ ୪ରେ ମୋଦି ଆର୍ଜେଣ୍ଟିନା ଗସ୍ତ କରିବେ। ଏହା ପରେ ଜୁଲାଇ ୬ରେ ବ୍ରାଜିଲ ଥିବେ। ଏହାପରେ ର୍ସ ଆଫ୍ରିକୀୟ ରାଷ୍ଟ୍ର ନାମ୍ବିଆ ଗସ୍ତ କରି ୧୦ରେ ସ୍ବଦେଶ ଫେରିବେ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.