ନୂଆଦିଲ୍ଲୀ: ଆପଲ- ମାଇକ୍ରୋସଫ୍ଟକୁ ପଛରେ ପକାଇଲା ଏନଭିଡିଆ। ହେଲା ବିଶ୍ୱର ସବୁଠାରୁ ମୂଲ୍ୟବାନ କମ୍ପାନି। ଏନଭିଡିଆର ମାର୍କେଟ କ୍ୟାପିଟାଲ ୩.୯୨ ଟ୍ରିଲିୟନ ଡଲାରରେ ପହଞ୍ଚିଛି। ଯାହା ଆପଲର ପୁରୁଣା ରେକର୍ଡ ୩.୯୧୫ ଟ୍ରିଲିୟନ ଡଲାର ଏବଂ ମାଇକ୍ରୋସଫ୍ଟର ବର୍ତ୍ତମାନର ମୂଲ୍ୟ ୩.୭ ଟ୍ରିଲିୟନ ଡଲାରରୁ ଅଧିକ ରହିଛି। ଏହା ପ୍ରଥମ ଥର ଯେତେବେଳେ ଏନଭିଡିଆ ବିଶ୍ୱର ଏକ ନମ୍ବର କମ୍ପାନି ଟାଇଟଲ ହାସଲ କରିଛି।
ପ୍ରକୃତରେ ବର୍ତ୍ତମାନ କୃତ୍ରିମ ବୁଦ୍ଧିମତା (AI)ର ଚାହିଦା Nvidiaକୁ ନୂଆ ଶିଖରରେ ପହଞ୍ଚାଇଛି। କାରଣ କମ୍ପାନିର ଚିପ୍ କେବଳ AI ମଡେଲଗୁଡ଼ିକୁ ତାଲିମ ଦେବା ପାଇଁ ବ୍ୟବହୃତ ହେଉନାହିଁ, ବରଂ କମ୍ପାନିମାନେ ସେମାନଙ୍କର ବଡ଼ ବଡ଼ ଡାଟା ସେଣ୍ଟରଗୁଡ଼ିକୁ ପରିଚାଳନା ପାଇଁ ମଧ୍ୟ ଏନଭିଡିଆର ଚିପ୍ ବ୍ୟବହାର କରୁଛନ୍ତି। ଆହୁରି ମଧ୍ୟ ଟେକ୍ କମ୍ପାନୀଗୁଡ଼ିକ ନିଜର AI ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ କୋଟି କୋଟି ଡଲାର ନିବେଶ କରୁଛନ୍ତି। Microsoft, Amazon, Meta, Alphabet ଏବଂ Tesla ଭଳି ଟେକ୍ ଜାଏଣ୍ଟମାନେ ମଧ୍ୟ ସେମାନଙ୍କର AI ଡାଟା ସେଣ୍ଟର ପାଇଁ Nvidiaର ପ୍ରୋସେସର ଉପରେ ନିର୍ଭର କରୁଛନ୍ତି। ଏହି କମ୍ପାନିଗୁଡ଼ିକର ଚାହିଦା Nvidiaର ଚିପ୍ସର ଚାହିଦାକୁ ଆକାଶଛୁଆଁ କରିଛି।
ଉଲ୍ଲଖଯୋଗ୍ୟ, ୨୦୨୧ ମସିହାରେ Nvidiaର ମୂଲ୍ୟ ପ୍ରାୟ ୫୦୦ ବିଲିୟନ ଡଲାର ଥିଲା। ହେଲେ ମାତ୍ର ଚାରି ବର୍ଷ ମଧ୍ୟରେ, କମ୍ପାନି ଆଠ ଗୁଣ ବୃଦ୍ଧି କରିଛି। ଆଉ ଖୁବ୍ ଶୀଘ୍ର ୪ ଟ୍ରିଲିୟନ ଡଲାର ଛୁଇଁବାକୁ ଯାଉଛି। କେବଳ ଏତିକି ନୁହେଁ Nvidiaର ବଜାର ପୁଞ୍ଜି ବ୍ରିଟେନର ସମସ୍ତ ତାଲିକାଭୁକ୍ତ କମ୍ପାନୀର ମୋଟ ମୂଲ୍ୟଠାରୁ ମଧ୍ୟ ଅଧିକ ହୋଇଛି।
ନିବେଶକ ଏବଂ ବଜାର ବିଶ୍ଳେଷକମାନଙ୍କ ମତରେ Nvidiaର ଅଭିବୃଦ୍ଧି ଆଗକୁ ମଧ୍ୟ ଜାରି ରହିବ। AI ପ୍ରଯୁକ୍ତିର ବର୍ଦ୍ଧିତ ପରିସର ଏବଂ ଡାଟା ସେଣ୍ଟରଗୁଡ଼ିକର ବର୍ଦ୍ଧିତ ଆବଶ୍ୟକତାକୁ ଦେଖିଲେ, କମ୍ପାନିର ଅଭିବୃଦ୍ଧି ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶା କରାଯାଉଛି। Nvidiaର ଏହି ସଫଳତା କେବଳ ଟେକ୍ ଶିଳ୍ପ ନୁହେଁ ବରଂ ସାରା ବିଶ୍ୱର ନିବେଶକଙ୍କ ଦୃଷ୍ଟି ଆକର୍ଷଣ କରିଛି।