ଇସ୍ଲାମାବାଦ ୮।୬: ପାକିସ୍ତାନରେ ଏବେ ଏକ ନୂଆ ସୁରକ୍ଷା ବିବାଦ ଉପୁଜିଛି। ଦେଶର ପ୍ରସିଦ୍ଧ ସୁରକ୍ଷା ବିଶେଷଜ୍ଞ ଇମତିୟାଜ ଗୁଲ ରାୱଲପିଣ୍ଡିସ୍ଥିତ ନୂର ଖାନ ବିମାନ ଘାଟି ଏବେ ଆମେରିକା ଦଖଲରେଥିବା ଦାବି କରିଛନ୍ତି। ଫଳରେ ପାକିସ୍ତାନର ସାର୍ବଭୌମତା, ପାରଦର୍ଶିତା ଓ ସୈନ୍ୟ ସ୍ୱାୟତ୍ତତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭାରତ ଅପରେସନ ସିନ୍ଦୂରରେ ନୂରଖାନ ବାୟୁସେନାଘାଟିକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ମାଡ଼ରେ ଧ୍ୱଂସ୍ତ ବିଧ୍ୱଂସ୍ତ କରିଦେବାର କିଛି ଦିନ ପରେ ଗୁଲ ଏପରି ଦାବି କରିଛନ୍ତି।
ଗୁଲ କହିଛନ୍ତି ଯେ ରଣନୈତିକ ରୂପେ ଅତ୍ୟନ୍ତ ସମ୍ବେଦନଶୀଳ ବାୟୁସେନା ଘାଟିରେ ଏବେ ଆମେରିକୀୟ ବିମାନଙ୍କୁ ନିୟମିତ ଦେଖାଯାଉଛି ଓ ଏହି ବାୟୁସେନା ଘାଟିରେ ଏବେ ପାକିସ୍ତାନର ବରିଷ୍ଠ ସୈନ୍ୟ ଅଧିକାରୀ ହସ୍ତକ୍ଷେପ ଅନୁମତି ମଧ୍ୟ ନାହିଁ । ଇମତିୟାଜ ଗୁଲ ସେୟାର କରିଥିବା ଏକ ଭିଡିଓରେ ସେ ଦାବି କରିଛନ୍ତି ଯେ ନୂର ଖାନ ଏୟାର ବେସ୍ ଆଉ ପାକିସ୍ତାନ ନିୟନ୍ତ୍ରଣରେ ନାହିଁ। ସେ ଅଭିଯୋଗ କରିଛନ୍ତି ଯେ ହୁଏତ ଏହି ପରିସ୍ଥିତି କୌଣସି ଅଘୋଷିତ ବୁଝାମଣାର ପରିଣାମ ହୋଇ ପାରେ।
ଆମେରିକା ହାତକୁ ବାୟୁସେନା ଘାଟି ଟେକି ଦେବାର ସୂଚନା ନା ସଂସଦ ନିକଟରେ ଅଛି ନା ପାକିସ୍ତାନ ଜନତା ଏ ବିଷୟରେ କିଛି ଜାଣନ୍ତି। ଗୁଲଙ୍କ ଏପରି ବୟାନର ନିକଟରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନର ଠିକ୍ ପରେ ପରେ ଆସିଛି। ତାଙ୍କର ଏହି ଦାବି ଏବେ ରାଜନୈତିକ ଭାବେ ବିସ୍ଫୋରକ ରୂପ ଧାରଣ କରିଛି। ନୂର ଖାନ ଏୟାର ବେସ୍ କୁ ଆମେରିକୀୟ ଯୁଦ୍ଧବିମାନ ଏବେ ନିୟମିତ ଯିବା ଆସିବା କରୁଛନ୍ତି। ତେବେ ଏଥିରେ ଆମେରିକାର ମିସନ, ଉପକରଣ ଅଥବା କାର୍ଗୋ ସମ୍ପର୍କରେ କୌଣସି ସଠିକ ସୂଚନା ମିଳୁ ନାହିଁ।
ଗୁଲ ଆଶଙ୍କା କରିଛନ୍ତି ଯେ ହୁଏତ ଏହା ସାମରିକ ସହଯୋଗର ଲୁକ୍କାୟିତ ସୁରକ୍ଷା ବୁଝାମଣାର ଅଂଶ ହୋଇପାରେ, ଏଣୁ ପାକିସ୍ତାନର ସୈନ୍ୟ ସ୍ୱାଧୀନତା ଉପରେ ଗଭୀର ପ୍ରଭାବ ପକାଉଛି। ଏହି ବାୟୁସେନା ଘାଟି ଇସ୍ଲାମାବାଦ ଓ ରାୱଲପିଣ୍ଡି ମଝାମଝି ଅଞ୍ଚଳରେ ରହିଛି। ଯାହା ପାକିସ୍ତାନୀ ସେନାର ମୁଖ୍ୟାଳୟ ଓ ରଣନୈତିକ ଯୋଜନା ଡିଭିଜନ(ଏସପିଡି)ର ଖୁବ ନିକଟତର। ପରମାଣୁ ଅସ୍ତ୍ର ଶସ୍ତ୍ରର କମାଣ୍ଡ ସମ୍ଭାଳୁଥିବା ଡିଭିଜନ ଏହାର ଅତ୍ୟନ୍ତ ନିକଟବର୍ତ୍ତି।
ଭାରତ ଅପରେସନ ସିନ୍ଦୂରରେ ନୂରଖାନ ବାୟୁସେନା ଘାଟିକୁ ଧ୍ୱଂସ୍ତ ବିଧ୍ୱଂସ୍ତ କରିଥିଲା। ଏହା କେବଳ ସାମରିକ ଭାବେ ନୁହେଁ ବରଂ ରାଜନୈତିକ ଓ ପ୍ରତିକାତ୍ମକ ରୂପେ ପାକିସ୍ତାନ ପାଇଁ ଭାରତର ଏକ ଧମକ ଥିଲା। କାରଣ ଏହି ଏୟାର ବେସ୍ ପାକ୍ ସେନା କମାଣ୍ଡ ସେଣ୍ଟରର ନିକଟବର୍ତ୍ତି। ତେବେ ଇମତିୟାଜ ଗୁଲଙ୍କ ଅଭିଯୋଗକୁ ପାକ୍ ସେନା ସମେତ ସରକାର ଏପର୍ଯ୍ୟନ୍ତ ଖଣ୍ଡନ କରିନାହାନ୍ତି। ଏଣୁ ଏହା ଏବେ ସୋସିଆଲ ମିଡିଆର ପ୍ରସଙ୍ଗ ପାଲଟିଥିବା ବେଳେ ଲୋକେ ଦେଶର ସାର୍ବଭୌମତା ଏବେ ବିଦେଶ ହାତକୁ ଟେକି ଦିଆଯାଇଥିବାର ଆଶଙ୍କା କରୁଛନ୍ତି।
ଏହି ଘଟଣା ପାକିସ୍ତାନରେ ଆମେରିକାର ସାମରିକ ପ୍ରଭାବର ଗଭୀରତା ଓ ସ୍ଥାନୀୟ ପାରଦର୍ଶିତାର ଅଭାବକୁ ନେଇ ଗୁରୁତ୍ର ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଗାମୀ ଦିନମାନଙ୍କରେ ଯଦି ଏହା ଉପରେ କୌଣସି ଅଧିକାରୀକ ପ୍ରତିକ୍ରିୟା ନ ଆସେ ତେବେ ଏହି ବିବାଦ ହୁଏତ ଆଗାମୀ ଦିନରେ ପୁଣି ଦେଶରେ ରାଜନୈତିକ ସଂକଟର କାରଣ ନ ହେବ ତାହା କୁହାଯାଇ ନପାରେ।