ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ରହିଥିବା ବେଳେ ଆଲୋଚନାର ବାଟ ଖୋଲିବା ପାଇଁ ମଧ୍ୟ ପାକିସ୍ତାନ ପ୍ରୟାସ ଜାରି ରଖିଛି। ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ମାଧ୍ୟମରେ ଆଲୋଚନା କରିବାକୁ ସମ୍ପର୍କ ଜାରି ରଖିଛି। ଅଜିତ ଡୋଭାଲ ଏବଂ ପାକିସ୍ତାନ ସୁରକ୍ଷା ପରାମର୍ଶଦାତା ଲେଫ୍ଟନାଣ୍ଟ ଜେନେରାଲ ଅସୀମ ମଲିକ ଏବଂ ସେମାନଙ୍କ ଉଚ୍ଚାୟୋଗ ମାଧ୍ୟମରେ ଯୋଗାଯୋଗ ଜାରି ରହିଛି।
ଏନେଇ ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଇଶାକ ଡାର ସୂଚନା ଦେଇଛନ୍ତି। ଦୁଇ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ମଧ୍ୟରେ ଆଲୋଚନା ହୋଇଛି ବୋଲି ଡାର ତୁର୍କୀ ମିଡିଆ ଟିଆର୍ଟିକୁ ପ୍ରତିକ୍ରିୟା ଦେଇ କହିଛନ୍ତି। କୂଟନୈତିକ ସୂତ୍ରରୁ ଖବର ନେଇ ଇଣ୍ଡିଆନ ଏକ୍ସପ୍ରେସ ଛାପିଥିବା ଖବର ଅନୁସାରେ, ଦୁଇ ଦେଶ ମଧ୍ୟରେ କୂଟନୈତିକ ଆଲୋଚନା ପାଇଁ ଉଦ୍ୟମ ଜାରି ରହିଛି।
ପାକିସ୍ତାନ ମନ୍ତ୍ରୀ ଇଶାକ ଡାର୍
ଇସଲାମାବାଦରେ ଭାରତୀୟ ଡି'ଆଫେୟର୍ସ (ରାଷ୍ଟ୍ରଦୂତଙ୍କ ଅନୁପସ୍ଥିତିରେ ଅଧୀନସ୍ତ କୂଟନିତୀଜ୍ଞ) ଦାୟିତ୍ୱରେ ଥିବା ଗୀତିକା ଶ୍ରୀବାସ୍ତବ ଇସଲାମାବାଦରେ ପ୍ରମୁଖ ମଧ୍ୟସ୍ଥିଙ୍କ ସହ ଯୋଗାଯୋଗରେ ଅଛନ୍ତି। ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଭାରତୀୟ ଆକ୍ରମଣ ଉପରେ ପ୍ରତିବାଦ ଜଣାଇବା ପାଇଁ ତାଙ୍କୁ ବୁଧବାର ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ସମନ କରିଥିଲା। ସୂତ୍ର ଅନୁଯାୟୀ, ଆମେରିକାର ବୈଦେଶିକ ସଚିବ ଏବଂ ଏନଏସଏ ମାର୍କୋ ରୁବିଓ ଏନଏସଏ ଅଜିତ ଡୋଭାଲଙ୍କ ସହ କଥା ହେବା ପରେ ଉଭୟ ପକ୍ଷ ଯୋଗାଯୋଗରେ ଅଛନ୍ତି। ଏପଟେ ଭାରତର ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ କିନ୍ତୁ ଦୁଇ ଦେଶର ଜାତୀୟ ସୁରକ୍ଷା ପରାମର୍ଶ ଦାତାଙ୍କ ମଧ୍ୟରେ ଆଲୋଚନା ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ ବୋଲି କହିଛନ୍ତି।
ପଢ଼ନ୍ତୁ- ଭାରତର ଧୈର୍ଯ୍ୟର ପରୀକ୍ଷା ନେଲେ, ଏମିତି କ୍ୱାଲିଟି ଜବାବ ପାଇଁ ପ୍ରସ୍ତୁତ ରୁହ: ପାକିସ୍ତାନକୁ ରାଜନାଥଙ୍କ ଚେତାବନୀ
ଇଣ୍ଡିଆନଏକ୍ସପ୍ରେସ୍କୁ ଜଣେ ଶୀର୍ଷ ଭାରତୀୟ ଅଧିକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି "ସମ୍ପର୍କରେ ରହିବାର ଅର୍ଥ ଆଲୋଚନାରେ କରିବା ନୁହେଁ।" ପାକ୍ ଅଧିକୃତ କାଶ୍ମୀର ଏବଂ ପାକିସ୍ତାନର ୯ଟି ସ୍ଥାନରେ ଆକ୍ରମଣ ପରେ ପାକିସ୍ତାନ ଜବାବୀ କାର୍ଯ୍ୟାନୁଷ୍ଠାନ ନେବାକୁ ଶପଥ ନେଇଛି। ଏଥିପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।