ଟଙ୍କା ପାଇଁ ନୁହେଁ , ତିନି ଯୁବକ ଏହି କାରଣରୁ ସୋନମର କଥା ମାନି ଥିଲେ : ରାଜା ହତ୍ୟାକାଣ୍ଡ ମାମଲାରେ ବଡ଼ ଖୁଲାସା

Published By : Prameya-News7 Bureau | June 15, 2025 IST

ଇନ୍ଦୋର : ଇନ୍ଦୋରର ରାଜା ରଘୁବଂଶୀ ହତ୍ୟାକାଣ୍ଡ ମାମଲାରେ ପ୍ରତିଦିନ ହୋଉଛି ନୂଆ ନୂଆ ଖୁଲାସା। ସୋନମ ଓ ତାର ପ୍ରେମିକ ରାଜ କୁଶୱାହା ସହ ରାଜାଙ୍କର ହତ୍ୟା କରିଥିବା ଆଉ ତିନି ଜଣ ଯୁବକ ବର୍ତ୍ତମାନ ମେଘାଳୟ ପୁଲିସର ୮ଦିନର କଷ୍ଟଡିରେ ରହିଛନ୍ତି। ଏହି ସମୟରେ ପୁଲିସର ପଚରାପଚରିରେ ସୋନମ ଓ ରାଜ ନିଜର ଦୋଷ ସ୍ୱୀକାର କରିଛନ୍ତି। ସେମାନେ ହିଁ ରାଜାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚି ଥିବା କଥା କହିଛନ୍ତି। ଏହା ସହ ଏହା ମଧ୍ୟ ଜଣାପଡ଼ିଛି ଯେ, ରାଜାଙ୍କ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ସୋନମ ସହ ବିବାହର ୧୧ ଦିନ ପୂର୍ବରୁ ହିଁ ରଚାଯାଇ ଥିଲା। ଏହା ପୂର୍ବରୁ ଖବର ଥିଲା ଯେ, ତିନି ଜଣ ଯୁବକ ବିଶାଲ ଚୌହାନ, ଆକାଶ ରାଜପୁତ ଓ ଆନନ୍ଦ କୁର୍ମୀ ଟଙ୍କା ପାଇଁ ସୋନମଙ୍କ କହିବା ଅନୁସାରେ ହତ୍ୟା କରିଥିଲେ। କିନ୍ତୁ ଏବେ ଏହା ଉପରେ ନୂଆ ଖୁଲାସା ହୋଇଛି। ସେମାନେ ଟଙ୍କା ପାଇଁ ନୁହେଁ , ଆଉ କିଛି ପାଇଁ ଏମିତି କାଣ୍ଡ କରିଛନ୍ତି। 

ପ୍ରକୃତ କଥା ଯେ, ପୂର୍ବରୁ କୁହାଯାଉ ଥିଲା , ରାଜାଙ୍କର ହତ୍ୟା ପାଇଁ ସୋନମ ଓ ରାଜ ଭଡ଼ାରେ ତିନି ଜଣ ବ୍ୟକ୍ତିଙ୍କୁ ଡାକି ଥିଲେ ଏବଂ ରାଜାଙ୍କ ହତ୍ୟାର ସୁପାରୀ ଦେଇଥିଲେ। କିନ୍ତୁ ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବିକ, ପୁଲିସ କଣ୍ଟ୍ରାକ୍ଟ କିଲିଂର ଅଟକଳକୁ ଖାରଜ କରିଛି। ପୁଲିସ ସ୍ପଷ୍ଟ ଭାବେ କହିଛି ଯେ, ତିନି ଜଣ ଯୁବକ ରାଜ କୁଶୱାହାର ପରିଚିତ। ଏଥିରୁ ଜଣେ ରାଜର କଜିନ ଭାଇ।

ପୁଲିସ କହିଛି ଯେ, ତିନି ଜଣ ଯୁବକଙ୍କୁ ପଇସା ପାଇଁ ରାଜାଙ୍କର ହତ୍ୟାର କାମ ଦିଆଯାଇ ନଥିଲା , ବରଂ ରାଜ ସହ ବହୁଦିନରୁ ନିବିଡ଼ ବନ୍ଧୁତା ଯୋଗୁଁ ସେ ରାଜାଙ୍କର ହତ୍ୟା ପାଇଁ ସୋନମକୁ ସାହାଯ୍ୟ କଲେ। ଏହା ମଧ୍ୟ କୁହାଯାଉଛି ଯେ, ସୋନମ ଇସାରା ଦେବା ପରେ ବିଶାଲ ପ୍ରଥମେ ରାଜାଙ୍କ ଉପରେ ଆକ୍ରମଣ କରିଥିଲା, ଯାହା ପରେ ଅନ୍ୟ ଦୁଇ ଯୁବକ ହମଲା କରି ତାଙ୍କୁ ମାରି ଦେଇଥିଲେ। ଏସବୁ ସୋନମର ଆଖି ଆଗରେ ହୋଇଥିଲା। ଏହାପରେ ରାଜାଙ୍କର ମୃତଦେହକୁ ଖାଇରେ ଫିଙ୍ଗିବାରେ ତିନି ଜଣ ଯୁବକଙ୍କ ସହ ସୋନମ ମଧ୍ୟ ସାହାଯ୍ୟ କରିଥିଲା।

କହି ରଖୁଛୁ କି , ଇନ୍ଦୋରରୁ ହନିମୁନ ପାଇଁ ଯାଇଥିବା ସୋନମ ଓ ରାଜା ୨୩ ମେ’ରେ ନିଖୋଜ ହୋଇ ଯାଇଥିଲେ। ତାଙ୍କର ତଲାସ ପାଇଁ ମେଘାଳୟ ପୁଲିସ ସର୍ଚ୍ଚ ଅପରେସନ ମଧ୍ୟ ଚଲାଇ ଥିଲା, ଏହାପରେ ୨ଜୁନ୍‌ରେ ପୁଲିସକୁ ଏକ ଖାଇରୁ ରାଜାଙ୍କର ମୃତଦେହ ମିଳିଲା। ମୃତଦେହ ଖୁବ୍‌ ଖରାପ ସ୍ଥିତିରେ ଥିଲା। କିନ୍ତୁ ସୋନମ ସେପର୍ଯ୍ୟନ୍ତ ବି ନିଖୋଜ ଥିଲେ। ଏହାପରେ ପୁଲିସକୁ ରାଜାଙ୍କର ହତ୍ୟାରେ ବ୍ୟବହୃତ ହୋଇଥିବା ଛୁରୀ, ତାଙ୍କର ସ୍କୁଟି ଓ ରେନକୋଟ୍‌ ମଧ୍ୟ ମିଳିଥିଲା। ଏହାପରେ ପୁଲିସ ନିଜର ଯାଞ୍ଚର ଦିଗକୁ ବଦଳାଇ ଥିଲା ଏବଂ ସୋନମ ସହ ଜଡ଼ିତ ସବୁ ତଥ୍ୟ ସଂଗ୍ରହ କରିବାରେ ଲାଗିଲା। ଯେଉଁ ହୋମ୍‌ଷ୍ଟେରେ ସୋନମ ଓ ରାଜା ରହିଥିଲେ, ଯେଉଁ ଗାଇଡ୍‌ ଦେଖିଥିଲେ, ତାଙ୍କର ବୟାନରୁ ନେଇ ସୋନମର କଲ୍‌ ଡିଟେଲ ଯାଏ ସବୁ ଛୋଟରୁ ଛୋଟ ଜିନିଷକୁ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କଲା। ସୋନମର କଲ୍‌ ଡିଟେଲରୁ ପୁଲିସ ଜାଣି ପାରିଲା ଯେ ,ସୋନମ ରାଜ କୁଶୱାହା ନାମଙ୍କ ବ୍ୟକ୍ତି ସହ ଲଗାତାର ସଂପର୍କରେ ଥିଲା। ଏହାପରେ ପୁଲିସର ଯାଞ୍ଚ ଆଗକୁ ବଢି ଥିଲା ଏବଂ ୮ଜୁନର ରାତିରେ ରାଜ କୁଶୱାହାକୁ ଗିରଫ କରିନିଆ ଯାଇଥିଲା। 

ଏହା ବି କୁହାଯାଉଛି ଯେ, ରାଜାଙ୍କର ହତ୍ୟା ପରେ ସୋନମ ରୁଟ୍‌ ବଦଳାଇ ପୁଣି ଇନ୍ଦୋର ଯାଇ ଥିଲା ଏବଂ ୩୦ ଜୁନରୁ ୭ ଜୁନ ଯାଏ ସେଠାରେ ରହିଥାଏ । କିନ୍ତୁ ରାଜାଙ୍କର ଧରାପଡ଼ିବା ପରେ ସେ ଘାବରେଇ ଯାଇଥିଲା ଏବଂ ଗାଜିପୁରର କାଶୀ ନାମକ ଢାବାକୁ ଯାଇ ତାର ମାଲିକଙ୍କ ଫୋନ୍‌ ନେଇ ନିଜ ଘର ଲୋକଙ୍କୁ ଫୋନ୍ କରିଥିଲା ଏବଂ ନିଜର ଲୋକେସନ କହିଥିଲା। ଏହାପରେ ସୋନମର ଭାଇ ଗୋବିନ୍ଦ ଓ ଢାବାର ମାଲିକ ତୁରନ୍ତ ପୁଲିସକୁ  ସୂଚନା ଦେଇଥିଲେ, ଏହାପରେ ପୁଲିସ ତାକୁ ସେଠାରୁ ନେଇ ଯାଇ ଥିଲା। ସବୁ ହତ୍ୟାକାରୀଙ୍କୁ ମଧ୍ୟ ପୁଲିସ ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଗେଶରୁ ଗିରଫ କରି ଥିଲା। ପୁଲିସ ପଚରାପଚରି ବେଳେ ପ୍ରଥମେ ସୋନମ ନିଜର କିଡନ୍ୟାପିଂର ମିଛ କାହାଣୀ ଶୁଣାଇ ପୁଲିସକୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ଶେଷରେ ଭାଙ୍ଗି ଗଲା ଏବଂ ରାଜାଙ୍କର ହତ୍ୟାର କଥା ସ୍ୱୀକାର କରି ନେଇଥିଲା।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.