ମାନବାଧିକାର ଆୟୋଗରେ ପହଞ୍ଚିଲା ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ମୃତ୍ୟୁ ଘଟଣା, କ୍ଷତିପୂରଣ ଦାବି

NEWS7
nomination-of-elon-musk-for-nobel-peace-prize-know

ଭୁବନେଶ୍ଵର: ପୁରୀ ଜାତୀୟ ରାଜପଥରେ ଘଟିଥିବା ଯୁବ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ମୃତ୍ୟୁ ଘଟଣା ଓଡିଶା ମାନବାଧିକାର ଆୟୋଗରେ ପହଞ୍ଚିଛି । ଓଡ଼ିଶା ମାନବାଧିକାର ଆୟୋଗରେ ଦାଖଲ ହୋଇଛି ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ । ଅଭିଯୋଗରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ଗୁରୁତର ଅବହେଳାକୁ ଦାୟୀ କରାଯାଇଛି । ଏଥିରେ ଉଭୟ କର୍ତ୍ତୃପକ୍ଷକୁ ପକ୍ଷଭୁକ୍ତ କରାଯାଇଛି। 

ଅଭିଯୋଗ ଅନୁସାରେ, ରାସ୍ତା ଉପରେ ଦୀର୍ଘ ସମୟ ଧରି ବାଲି ରଖାଯାଇଥିଲା । ନା ବାରିକେଡ୍, ନା ସତର୍କ ସୂଚନା ବୋର୍ଡ ଥିଲା। ଏଭଳି ଅବ୍ୟବସ୍ଥାରେ ନିୟନ୍ତ୍ରଣ ହରାଇ ଭାରସାମ୍ୟ ହରାଇଥିବା ବେଳେ ପଛପଟୁ ଆସୁଥିବା ଏକ ବସ ଦୁର୍ଘଟଣା ଘଟାଇଥିଲା। ଏହି ଘଟଣାକୁ ନେଇ ଓଡ଼ିଶା ମାନବାଧିକାର ଆୟୋଗରେ ଅଭିଯୋଗ ଦାଖଲ ହୋଇଛି ।

ଅଭିଯୋଗରେ ସ୍ପଷ୍ଟ କୁହାଯାଇଛି ଯେ ଏହା ଭାରତ ସମ୍ବିଧାନର ଅନୁଚ୍ଛେଦ ୨୧ ଅର୍ଥାତ୍ ‘ଜୀବନର ଅଧିକାର’ର ସିଧାସଳଖ ଉଲ୍ଲଂଘନ। ମାନବାଧିକାର ଆୟୋଗଙ୍କୁ ଘଟଣାର ସ୍ୱତନ୍ତ୍ର ତଦନ୍ତ, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ପୀଡିତ ପରିବାରକୁ ଯଥୋଚିତ କ୍ଷତିପୂରଣ ଦେବାକୁ ଦାବି କରାଯାଇଛି । ସମାଜସେବୀ ଏନ ଏ ସାହ ଅନସାରୀ ଏହି ଅଭିଯୋଗ ଆଣିଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ବର ପୁରୀ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନ୍ୟୁଜ ସେଭେନର ପ୍ରତିନିଧି ଶୀଲା ପଟ୍ଟନାୟକଙ୍କର ଦେହାନ୍ତ ହୋଇଛି। ଶୀଲା ଏବଂ ଅନ୍ୟ ଜଣେ ମହିଳା ସିପିକା ପ୍ରିୟଦର୍ଶିନୀ ଏକ ସ୍କୁଟରରେ ଯାଉଥିବା ବେଳେ ପଛପଟୁ ଆସୁଥିବା ଏକ ବସ୍ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ତେବେ ଏହି ଘଟଣା ପରେ ରାଜପଥରେ ପଡିଥିବା ବାଲିକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସାମ୍ବାଦିକତାରେ ଏକ ନିଆରା ପରିଚୟ ସୃଷ୍ଟି କରିଥିଲା ଶିଲା ପଟ୍ଟନାୟକ।