ନୂଆଦିଲ୍ଲୀ: ଜୁଲାଇ ୧୫ରୁ ଦୁଇ ଚକିଆ ଗାଡ଼ିରୁ ଟୋଲ୍ ଟ୍ୟାକ୍ସ ସଂଗ୍ରହ ଖବରକୁ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଖଣ୍ଡନ କରିଛନ୍ତି । ଗୁରୁବାର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହା ଉପରେ ଏକ ପୋଷ୍ଟ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି, ଦୁଇ ଚକିଆ ଯାନରୁ ଟୋଲ୍ ଟ୍ୟାକ୍ସ ସଂଗ୍ରହର କୌଣସି ନିଷ୍ପତ୍ତି ପ୍ରସ୍ତାବିତ ନାହିଁ । ସେ ସ୍ପଷ୍ଟ କରିଛନ୍ତି ଯେ ଦୁଇ ଚକିଆ ଗାଡ଼ି ଉପରେ କୌଣସି ପ୍ରକାର ଟୋଲ୍ ଟ୍ୟାକ୍ସ ଲାଗୁ ହେବ ନାହିଁ ।
କେନ୍ଦ୍ରମନ୍ତ୍ରୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି, 'କିଛି ମିଡିଆ ହାଉସ୍ ଦ୍ୱାରା ଦୁଇ ଚକିଆ ଗାଡ଼ି ଉପରେ ଟୋଲ୍ ଲଗାଯିବାର ମିଛ ଓ ବିଭ୍ରାନ୍ତିକର ଖରବ ପ୍ରସାର କରାଯାଉଛି । ଏପରି କୌଣସି ନିଷ୍ପତ୍ତି ପ୍ରସ୍ତାବିତ ନାହିଁ । ଦୁଇ ଚକିଆ ଯାନ ଉପରେ ଟୋଲ୍ରେ ସମ୍ପୂର୍ଣ୍ଣ ଛାଡ଼ ଜାରି ରହିବ । ସତ୍ୟତା ନଜାଣି ମିଛ ଖରବ ପ୍ରଚାର କରି ଅତିରଙ୍ଗିତ କରିବା ସୁସ୍ଥ ସାମ୍ୱାଦିକତାର ଲକ୍ଷଣ ନୁହେଁ । ମୁଁ ଏହାର ନିନ୍ଦା କରୁଛି ।'
ଉଲ୍ଲେଖଯୋଗ୍ୟ ଯେ ଦୁଇ ଚକିଆ ଗାଡ଼ି କିଣିବା ସମୟରେ ଟୋଲ୍ ଟ୍ୟାକ୍ସ ସେଥିରେ ସାମିଲ ଥାଏ । ତେଣୁ ଦୁଇ ଚକିଆ ଯାନ ଟୋଲ ପ୍ଲାଜା ଦେଇ ଯିବା ବେଳେ କୌଣସି ଟୋଲ୍ ଟ୍ୟାକ୍ସ ଦେବାକୁ ପଡ଼ିନଥାଏ । ରାଷ୍ଟ୍ରୀୟ ରାଜମାର୍ଗରେ ଚାରି ଚକିଆ କିମ୍ୱା ତାହାଠାରୁ ବଡ଼ ଗାଡ଼ି ଉପରେ ଟୋଲ୍ ଟ୍ୟାକ୍ସ ଆଦାୟ କରାଯାଇଥାଏ ।
କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ନିକଟରେ ଟୋଲ୍କୁ ନେଇ ନୂଆ ଯୋଜନା ଘୋଷଣା କରିଥିଲେ । ସେ ଫାସଟ୍ୟାଗ ଆଧାରିତ ବାର୍ଷିକ ଟୋଲ୍ ପାସ୍ ଯୋଜନର ଘୋଷଣା କରିଥିଲେ । ଅଗଷ୍ଟ ୧୫ରୁ ଏହି ଯୋଜନା ଆରମ୍ଭ ହେବ । ଏହି ପାସ୍ ୩୦୦୦ ଟଙ୍କାର ହେବ । ଏଥିରେ ୨୦୦ ଯାତ୍ରା କରାଯାଇପାରିବ । ଏହି ଯୋଜନା ଏବେ କେବଳ ଏନ୍ଏଚ୍ଏଆଇ ଓ ଏନ୍ଇ ଟୋଲ୍ ପ୍ଲାଜାରେ କାର୍ଯ୍ୟକାରୀ ହେବ । ରାଜ୍ୟ ରାଜପଥ ଅଧିନରେ ଆସୁଥିବା ଟୋଲ୍ ବୁଥ୍ ଉପରେ ଏହି ପାସ୍ କାମ କରିବ ନାହିଁ ।