ନୂଆଦିଲ୍ଲୀ: ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ ମାନିରେ ଯେଭଳି ସାମ୍ନା କରୁଛନ୍ତି ସେପରି ହୁଏତ ଅନ୍ୟ କୌଣସି ଦେଶ କରିପାରୁ ନାହାନ୍ତି। ଏକ ଇଣ୍ଟରଭ୍ୟୁରେ ଲୁଲା ଟ୍ରମ୍ପଙ୍କର ଆଚରଣରେ ଦୃଢ଼ତାର ସହ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଲୁଲା ଏକ ସାକ୍ଷାତକାରରେ କହିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ୨୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ୫୦ ପ୍ରତିଶତ ଶୁଳ୍କ ଲଗାଇବାର ଚାପ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଆମେରିକା ରାଷ୍ଟ୍ରପତି ତାଙ୍କ ସରକାରଙ୍କ ଆଲୋଚନା ପ୍ରସ୍ତାବକୁ ଅଣଦେଖା କରୁଛନ୍ତି ବୋଲି ଲୁଲା ଅଭିଯୋଗ କରିଛନ୍ତି।
ଇଣ୍ଟରଭ୍ୟୁରେ ଟ୍ରମ୍ପଙ୍କୁ ଟର୍ଗେଟ୍ କରି ଲୁଲା କହିଛନ୍ତି “ ଏହା ନିଶ୍ଚିତ ଯେ ଆମେ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ବିଚାର କରୁଛୁ। କିନ୍ତୁ ଗମ୍ଭୀରତା ପାଇଁ କାହାର ଅଧୀନତା ସ୍ୱୀକାର କରିବା ଆବଶ୍ୟକ ନାହିଁ।" ମୁଁ ସମସ୍ତଙ୍କୁ ବହୁତ ସମ୍ମାନର ସହିତ ବ୍ୟବହାର କରେ। ତେଣୁ ମୁଁ ବି ସମ୍ମାନର ସହିତ ବ୍ୟବହାର ଚାହେଁ।” ୧୩ ବର୍ଷ ପରେ ଲୁଲା ପ୍ରଥମ ଥର ପାଇଁ ଆମରିକୀୟ ଗଣମାଧ୍ୟମ ଦ ନ୍ୟୁ ୟର୍କ ଟାଇମ୍ସକୁ ସାକ୍ଷାତ୍କାର ଦେଇଛନ୍ତି। ଟ୍ରମ୍ପଙ୍କ ସହ ସେ କେତେ ହତାସ ଅଛନ୍ତି ଏକଥା ଆମେରିକା ଲୋକମାନଙ୍କୁ ସେ ଜଣାଇବାକୁ ଏହି ଇଣ୍ଟରଭ୍ୟୁ ଦେଇଛନ୍ତି ବୋଲି କହିଛନ୍ତି ବ୍ରାଜିଲ ପ୍ରେସିଡେଣ୍ଟ।
ପ୍ରକୃତରେ ଟ୍ରମ୍ପ ଗତ ସପ୍ତାହର ଶୁକ୍ରବାର କହିଥିଲେ ଯେ ସେ ବ୍ରାଜିଲ୍ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଚାହୁଁଛନ୍ତି। କାରଣ ବର୍ତ୍ତମାନ ସରକାର ପୂର୍ବ ଜାଏର ବୋଲସୋନାରୋ ସରକାରଙ୍କ ବିରୁଦ୍ଧରେ କ୍ଷମତା ଧରି ରଖିବାର ଅଭିଯୋଗ ଆଣିଛନ୍ତି। ଟ୍ରମ୍ପ ଏହାକୁ ଡାଆଣୀ ଶିକାର ବୋଲି କହିବା ସହ ଏହାକୁ ରଦ୍ଦ କରିବାକୁ ଚାହୁଁଛନ୍ତି। ଏ ନେଇ ଲୁଲା କହିଛନ୍ତି ଟ୍ରମ୍ପ ବୋଧେ ଜାଣନ୍ତି ନାହିଁ ଯେ ବ୍ରାଜିଲ୍ରେ ନ୍ୟାୟ ପାଳିକା ସ୍ୱାଧୀନ ବୋଲି।
ସ୍ୱାଭିମାନ କଥାକୁ ଦୋହରାଇ ଲୁଲା କହିଛନ୍ତି ଯେ ଏକ ବଡ଼ ଦେଶ ସହ ଏକ ଛୋଟ ଦେଶ ଆଲୋଚନା କରୁଛି ବୋଲି ଭାବନା ରଖି ବ୍ରାଜିଲ କେବେ ବି ଆଲୋଚନା କରିବ ନାହିଁ। ଆମେ ଆମେରିକାର ଶକ୍ତି, ସେନା ଓ ଟେକ୍ନୋଲୋଜୀ ସାଇଜକୁ ଭଲ ଭାବରେ ଜାଣିଛୁ। ହେଲେ ଏନେଇ ଆମ ମନରେ ଭୟ ନାହିଁ ବରଂ ଚିନ୍ତା ରହିଛି। ଲୁଲାଙ୍କ ପରି ଟ୍ରମ୍ପଙ୍କୁ ଏତେ ଦୃଢ଼ ଭାବରେ ବିରୋଧ କରୁଥିବା ବିଶ୍ୱର ଅନ୍ୟ କୌଣସି ନେତା ବୋଧହୁଏ ନାହାନ୍ତି ବୋଲି ଲୁଲା କହିଛନ୍ତି।
ମଙ୍ଗଳବାର ଲୁଲା କହିଛନ୍ତି ଯେ ଯଦି ଟ୍ରମ୍ପ ତାଙ୍କ ଧମକରେ କାର୍ଯ୍ୟ କରନ୍ତି, ତେବେ ସେ ଆମେରିକୀୟ ରପ୍ତାନି ବିରୁଦ୍ଧରେ ପ୍ରତିଶୋଧମୂଳକ ଶୁଳ୍କ ବିଷୟରେ ଅଧ୍ୟୟନ କରୁଛନ୍ତି। ଟ୍ରମ୍ପଙ୍କୁ କଟାକ୍ଷ କରି ଲୁଲା କହିଛନ୍ତି ଯେ ୧ ଜାନୁଆରୀ ୨୦୨୧ରେ ଆମେରିକାର କ୍ୟାପିଟଲରେ ହୋଇଥିବା ଦଙ୍ଗା ଯଦି ବ୍ରାଜିଲରେ ହୋଇଥାନ୍ତା, ତେବେ ଟ୍ରମ୍ପ ମଧ୍ୟ ବୋଲସୋନାରୋଙ୍କ ପରି ବିଚାରର ସମ୍ମୁଖୀନ ହୋଇଥାନ୍ତେ।
ଲୁଲା ଆହୁରି କହିଛନ୍ତି ଯେ ଆମ ପାଇଁ ଗଣତାନ୍ତ୍ରୀକ ଆଇନ ଏକ ପବିତ୍ର କଥା। ଆମେ ପୂର୍ବରୁ ଅନେକ ଏକଛତ୍ରବାଦ ଦେଖିଛୁ, ଏବେ ଆଉ ଚାହୁଁ ନାହୁଁ। କେବଳ ସେତିକି ନୁହେଁ, ବିଭିନ୍ନ କ୍ଷେତ୍ରରେ ଟ୍ରମ୍ପଙ୍କୁ କଡ଼ା ଜବାବ ଦେଇଛନ୍ତି ଲୁଲା।