ଟେକ୍ କମ୍ପାନୀଗୁଡ଼ିକୁ ଟ୍ରମ୍ପଙ୍କ ପରାମର୍ଶ: ଭାରତୀୟଙ୍କ ନିଯୁକ୍ତି ବନ୍ଦ କର, ପ୍ରଥମେ ଆମେରିକୀୟଙ୍କୁ ଦିଅ

Published By : Prameya-News7 Bureau | July 24, 2025 IST

indiatoday

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ଘନିଷ୍ଠ ବନ୍ଧୁ ବୋଲି କହୁଥିବା ଟ୍ରମ୍ପ ବାରତ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି। ଭାରତୀୟଙ୍କୁ ହାତଗୋଡ଼ ବାନ୍ଧୀ ଦେଶରୁ ବାହାର କରିବା ଓ ଭାରତୀୟ ଆଲୁମିନିୟମ, ଇଲେକ୍ଟ୍ରୋନିକ୍ସ ଓ ଷ୍ଟିଲ୍ ଉପରେ ଶୁଳ୍କ ଲଗାଇବା, ପାକିସ୍ତାନକୁ ପରୋକ୍ଷ ସମର୍ଥନ ଦେବା ତାଙ୍କର ଭାରତ ବିରୋଧୀ କାର୍ଯ୍ୟକଳାପକୁ ଉଜାଗର କରୁଛି। 

ଆଉ ଏବେ ପୁଣି ଭାରତୀୟଙ୍କୁ ଚାକିରି ନ ଦେବାକୁ ଆମେରିକାର କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରମ୍ପ। ଗୁଗୁଲ ଏବଂ ମାଇକ୍ରୋସଫ୍ଟ ଭଳି ବଡ଼ ଆମେରିକୀୟ ଟେକ୍ କମ୍ପାନୀଗୁଡ଼ିକୁ ଭାରତରୁ ନିଯୁକ୍ତି ବନ୍ଦ କରିବାକୁ ଟ୍ରମ୍ପ କହିଛନ୍ତି। ଗତକାଲି ୱାଶିଂଟନ ଡିସିରେ ଅନୁଷ୍ଠିତ ଏଆଇ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି ଯେ ଆମେରିକାର ସବୁଠାରୁ ବଡ଼ ଟେକ୍ କମ୍ପାନୀଗୁଡ଼ିକ ଆମର ସ୍ୱାଧୀନତାର ସୁଯୋଗ ନିଅନ୍ତି, କିନ୍ତୁ ଚୀନରେ କାରଖାନା ସ୍ଥାପନ କରନ୍ତି ଏବଂ ଭାରତରୁ ଲୋକଙ୍କୁ ନିଯୁକ୍ତି ଦିଅନ୍ତି। ଟ୍ରମ୍ପ ଆହୁରି କହିଛନ୍ତି ଯେ ଆମେ ଚାହୁଁଛୁ ଯେ ଗୁଗୁଲ୍ ଏବଂ ମାଇକ୍ରୋସଫ୍ଟ ଭଳି କମ୍ପାନୀଗୁଡ଼ିକ ଆମେରିକୀୟ ଶ୍ରମିକମାନଙ୍କୁ ପ୍ରାଥମିକତା ଦିଅନ୍ତୁ, ଏହା ହିଁ ଦେଶ ହିତରେ ରହିଛି। 

ଟ୍ରମ୍ପ ଟେକ୍ କମ୍ପାନୀଗୁଡ଼ିକର ବିଶ୍ୱବାଦୀ ମାନସିକତାକୁ ସମାଲୋଚନା କରିଛନ୍ତି। ଆମେରିକୀୟମାନଙ୍କୁ ପ୍ରଥମେ ଚାକିରି ମିଳିବା ଉଚିତ ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପଙ୍କ ଅନୁଯାୟୀ, କମ୍ପାନୀଗୁଡ଼ିକ ବିଦେଶରେ କାରଖାନା ଏବଂ କର୍ମଚାରୀଙ୍କ ଉପରେ ଟଙ୍କା ନିବେଶ କରି ଆମେରିକୀୟ ପ୍ରତିଭାଙ୍କ ଅଧିକାରକୁ ହତ୍ୟା କରୁଛନ୍ତି।

ଟ୍ରମ୍ପଙ୍କର ଏଭଳି ବିବୃତ୍ତିରେ ଭାରତର ଆଇଟି କ୍ଷେତ୍ର ପ୍ରଭାବିତ ହୋଇପାରେ। ଗୁଗୁଲ୍, ମାଇକ୍ରୋସଫ୍ଟ ଏବଂ ଅନ୍ୟାନ୍ୟ ଟେକ୍ କମ୍ପାନୀଗୁଡ଼ିକର ଭାରତରେ ଲକ୍ଷ ଲକ୍ଷ କର୍ମଚାରୀ ଅଛନ୍ତି। ଏହି କମ୍ପାନୀଗୁଡ଼ିକ ବାଙ୍ଗାଲୋର, ହାଇଦ୍ରାବାଦ ଏବଂ ପୁଣେ ଭଳି ସହରରେ ବଡ଼ ବଡ଼ କାର୍ଯ୍ୟାଳୟ ପରିଚାଳନା କରନ୍ତି। ଏହା ବ୍ୟତୀତ, ଆମେରିକାର ନାଗରିକତା ଏବଂ ପ୍ରବାସନ ସେବା ଅନୁଯାୟୀ, ୨୦୨୩ ମସିହାରେ, ୭୨% H-1B ଭିସା ଭାରତୀୟମାନଙ୍କୁ ଦିଆଯାଇଥିଲା। ମୁଖ୍ୟତଃ ଡାଟା ସାଇନ୍ସ, AI ଏବଂ ସାଇବର ସୁରକ୍ଷା ଭଳି କ୍ଷେତ୍ରରେ ଏମାନେ ନିଯୁକ୍ତ ହୋଇଛନ୍ତି। 

ଟ୍ରମ୍ପଙ୍କ ନୀତି H-1B ଭିସା ନିୟମକୁ ଆହୁରି କଠୋର କରିପାରେ, ଯାହା ଫଳରେ ଭାରତୀୟ ଟେକ୍ ବୃତ୍ତିଗତମାନଙ୍କ ପାଇଁ ଆମେରିକାରେ ଚାକିରି ପାଇବା କଷ୍ଟକର ହୋଇଯିବ। ଏହା ସହିତ, ଭାରତରେ ନୂଆ ନିଯୁକ୍ତି ହ୍ରାସ ପାଇବା ଯୋଗୁ ଆଇଟି କମ୍ପାନୀ ଏବଂ ଷ୍ଟାର୍ଟଅପ୍ ଉପରେ ଚାପ ବୃଦ୍ଧି ପାଇବ। ଏହା ପୂର୍ବରୁ ମଧ୍ୟ ଟ୍ରମ୍ପ ଭାରତ ବିରୋଧୀ ମନ୍ତବ୍ୟ ଦେଇଥିଲେ। ଆପଲକୁ ଭାରତରେ କମ୍ପାନୀ ନ ଖୋଲିବାକୁ ନିର୍ଦ୍ଦେଶ ଦେଇ ୨୫ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ଦେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.