ନୂଆଦିଲ୍ଲୀ ୦୧/୦୭: ୧ ଜୁଲାଇ, ୨୦୨୫ । ବଦଳିଯିବ ଅନେକ ନିୟମ । ଖାସ୍ କରି ରାଜଧାନୀରେ ଲାଗୁ ହେବାକୁ ଯାଉଛି ନୂଆ ନିୟମ । ଦିଲ୍ଲୀ ସରକାର ପ୍ରଦୂଷଣ ରୋକିବା ଉପରେ ସବୁଠାରୁ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ପୁରୁଣା ଯାନ ବ୍ୟବହାରକୁ ରୋକିବା ପାଇଁ ଦିଲ୍ଲୀ ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଣ୍ଡ-ଅଫ୍-ଲାଇଫ୍ ଭେଇକିଲ୍ ଅଧିନରେ ଦିଲ୍ଲୀ ସରକାର ପୁରୁଣା ଗାଡ଼ିଗୁଡିକୁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍, ଯେଉଁ ଗାଡ଼ିଗୁଡ଼ିକ ୧୫ବର୍ଷରୁ ଅଧିକ ହୋଇସାରିଛି ସେଗୁଡ଼ିକ ଆଉ ରାସ୍ତାରେ ଗଡ଼ିବ ନାହିଁ । ପୁରୁଣା ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯାଇ ସେଗୁଡ଼ିକୁ ଜବତ କରାଯିବ । ଏଣ୍ଡ-ଅଫ୍-ଲାଇଫ୍ ଭେଇକିଲ୍ ଗୁଡ଼ିକ ଉପରେ ଚାଲାଣ ମଧ୍ୟ କାଟିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ୧୫ବର୍ଷ ପୁରୁଣା ପେଟ୍ରୋଲ୍ ଗାଡ଼ି ଏବଂ ୧୦ବର୍ଷ ପୁରୁଣା ଡିଜେଲ୍ ଗିଡ଼ିଗୁଡିକୁ ଆଜିଠୁ ପେଟ୍ରୋଲ୍ ମିଳିବ ନାହିଁ । ଅର୍ଥାତ୍ ଆପଣ ପୁରୁଣା ଗାଡ଼ିକୁ ନେଇ ପେଟ୍ରୋଲ ପମ୍ପ ଗଲେ ବି ପେଟ୍ରୋଲ ପମ୍ପରେ ପେଟ୍ରୋଲ ମିଳିବ ନାହିଁ । ଆଉ ଧରାପଡ଼ିଲେ ୪ଚକିଆ ଯାନ ପାଇଁ ୧୦,୦୦୦ ଟଙ୍କା ଏବଂ ୨ଚକିଆ ଯାନ ପାଇଁ ୫ହଜାର ଟଙ୍କା ଚାଲାଣ ବି କାଟିବାର ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏହି ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ଦିଲ୍ଲୀର ପେଟ୍ରୋଲ ପମ୍ପଗୁଡ଼ିକରେ ବାୟୁ ଗୁଣବତ୍ତା ପରିଚାଳନା କମିଶନ, ପରିବହନ ବିଭାଗ, ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଏବଂ ଦିଲ୍ଲୀ ପୁଲିସ ସମେତ ଅନ୍ୟାନ୍ୟ ପ୍ରବର୍ତ୍ତନ ସଂସ୍ଥାର ଟିମ୍ ଉପସ୍ଥିତ ରହିବେ।
ନିୟମ ଅନୁଯାୟୀ, ୧୦ ବର୍ଷରୁ ପୁରୁଣା ଡିଜେଲ ଯାନ ଏବଂ ୧୫ ବର୍ଷରୁ ପୁରୁଣା ପେଟ୍ରୋଲ ଯାନଗୁଡ଼ିକୁ ଏଣ୍ଡ-ଅଫ୍-ଲାଇଫ୍ ଭେଇକିଲ୍ ବର୍ଗରେ ରଖାଯାଇଛି । ଏହି ନୂତନ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ, ଦିଲ୍ଲୀର ସମସ୍ତ ପେଟ୍ରୋଲ ପମ୍ପରେ ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ ସିଷ୍ଟମ ରହିଛି, ଯାହା ସାହାଯ୍ୟରେ ଏପରି ପୁରୁଣା ଯାନଗୁଡ଼ିକୁ ଚିହ୍ନଟ କରାଯିବ ।