ମହାରାଷ୍ଟ୍ର ନିର୍ବାଚନରେ ଭିଭିପାଟ୍‌ ସ୍ଲିପ୍ ଗଣନାରେ କୌଣସି ତ୍ରୁଟି ହୋଇନି: ଇଲେକ୍ସନ କମିଶନ

Published By : Prameya-News7 Bureau | December 10, 2024 IST

indiatoday

ମୁମ୍ବାଇ: ନିକଟରେ ସରିଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (VVPAT) ସ୍ଲିପ୍ସର ଗଣନାରେ କୌଣସି ତ୍ରୁଟି କି ଅସଂଗତି କରାଯାଇ ନାହିଁ। ୨୮୮ ନିର୍ବାଚନ ମଣ୍ଡଳିରେ ଭେରିଫିକସେନ ପ୍ରକ୍ରିୟା କରାଯାଇଥିଲା। ସବୁ ନିୟମ ଅନୁସାର ହୋଇଛି। ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ନିର୍ବାଚନ ଆୟୋଗ (ECI)। ମହାରାଷ୍ଟ୍ର ନିର୍ବାଚନକୁ ନେଇ ବିରୋଧୀ ମହାବିକାଶ ଆଘାଡ଼ି ଦଳ ଇଭିଏମ୍ ଟାମ୍ପରିଂ ଅଭିଯୋଗ ଆଣିଥିଲା। ଯାହାର ଉତ୍ତର ଦେଇ ଇସିଆଇ ଏହି ସୂଚନା ଦେଇଛନ୍ତି। 

ଇସିଆଇ ଦ୍ୱାରା ବାଧ୍ୟତାମୁଳକ କରାଯାଉଥିବା ଭିଭିପାଟ ସ୍ଲିପ୍ ପ୍ରକ୍ରିୟା ଏକ ଲଟେରି ମାଧ୍ଯମରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଚୟନ କରାଯାଇଥିବା   ୫ଟି ପୁଲିଂ ଷ୍ଟେସନରେ କରାଯାଇଥାଏ। ଏଥିରେ ସ୍ୱଚ୍ଛତା ଆଣିବା ପାଇଁ ସମସ୍ତ ପ୍ରକ୍ରିୟାରେ ନିର୍ବାଚନ ଲଢ଼ିଥିବା ପ୍ରାର୍ଥୀଙ୍କର ପ୍ରତିନିଧି ଉପସ୍ଥିତ ଥାନ୍ତି। ୩୬ ଜିଲ୍ଲାର ଇଲେକ୍ସନ ଅଫିସରଙ୍କ ଠାରୁ  ମିଳିଥିବା ରିପୋର୍ଟ ଅନୁସାରେ, ପ୍ରାର୍ଥୀ ଅନୁସାରେ ଇଭିଏମ୍‌ରେ ରେକର୍ଡ ହୋଇଥିବା ଭୋଟ ସଂଖ୍ୟା ଓ ଭିଭିପାଟ୍ ସ୍ଲିପ୍‌ ସମ୍ପୂର୍ଣ୍ଣ ମ୍ୟାଚ୍ ହୋଇଥିଲା।

୨୩ ନଭେମ୍ବର ୨୦୨୪ ରେ ସମୁଦାୟ ୧୪୪୦ VVPAT ସ୍ଲିପ୍ ଗଣନା ଶେଷ ହୋଇଥିଲା। ଇସିଆଇ ପର୍ଯ୍ୟବେକ୍ଷକ ଏବଂ ପ୍ରାର୍ଥୀଙ୍କ ପ୍ରତିନିଧୀଙ୍କ ଉପସ୍ଥିତିରେ ମତଦାନ କେନ୍ଦ୍ର ନମ୍ବର ଚୟନ କରାଯାଇଥିଲା, ପ୍ରକ୍ରିୟାର ସ୍ୱଚ୍ଛତା ପାଇଁ ଦସ୍ତାବିଜରେ ସେମାନେ ଦସ୍ତଖତ ମଧ୍ୟ କରିଥିଲେ।ଏସବୁ କାର୍ଯ୍ଯ ସିସିଟିଭିରେ କଏଦ ହୋଇଛି ବୋଲି ଇଲେକ୍ସନ କମିଶନ କହିଛନ୍ତି।

ସୂଚନା ଥାଉକି ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏମ୍‌ଭିଏ ମେଣ୍ଟର ଶୋଚନୀୟ ପରାଜୟ ହୋଇଛି। ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ୨୩୫ ଆସନ ହାତେଇ ଥିବା ବେଳେ ଏମ୍‌ଭିଏ ମାତ୍ର ୪୬ରେ ସୀମିତ ରହିଥିଲା। ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏମ୍‌ଭିଏ ଇଭିଏମ୍ ଟାମ୍ପରିଂ ଅଭିଯୋଗ ଆଣି ବାଲଟ ପେପର ନିର୍ବାଚନ କରାଇବାକୁ ଦାବି କରିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.