ଖଳାରେ ନିଆଁ ଲାଗି ୨ ଏକର ଧାନ ଭସ୍ମ, ଚିନ୍ତାରେ ଚାଷୀ

NEWS7
night-curfew-returns-institutional-quarantine-mandatory-for-indian-who-returns-from-foreign

ଝରିଗାଁ: ​​​​​​​ଏଥର ଭଲ ଚାଷ ହୋଇଥିଲା। ଚାଷୀଟି ଆଶା କରିଥିଲା ଧାନ ବିକି ଦୁଇ ପଇସା ରୋଜଗାର କରିବ। ଖୁସି ମନରେ ଧାନ କାଟି ଖଳାରେ ରଖିଥିଲା। ହେଲେ କେଇ ମିନିଟରେ ସବୁ କିଛି ଉଜୁଡ଼ିଗଲା। ବର୍ଷକର ହାଡ଼ଭଙ୍ଗା ପରିଶ୍ରମ ପାଣି ଫଟକା ପରି ମିଳେଇଗଲା। ଖଳାରେ ନିଆଁ ଲାଗିବାରୁ ଧାନ ଭସ୍ମ ହୋଇଗଲା। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁପୁଗାଁ ପଞ୍ଚାୟତ ଅନ୍ତର୍ଗତ ବାରବାକୁଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଧାନ ଖଳାରେ ନିଆଁ ଲାଗି ୨ ଏକର ଧାନ ନଷ୍ଟ ହୋଇ ଥିବା ଜଣାପଡିଛି।

ସୂଚନା ଅନୁଯାୟୀ,  ବାରବାକୁଳି ଗ୍ରାମର ଚାଷୀ ମିଶ୍ର ସାନ୍ତା ଏକ ମାସ ତଳେ ୮ ଏକର ଜମିରୁ ଧାନ କାଟି ଘରୁ ପ୍ରାୟ ୫୦ ମିଟର ଦୂରରେ ଥିବା ଖୋଳାରେ ଗଛିତ ରଖିଥିଲେ। ସେଥି ମଧ୍ୟରୁ ୬ ଏକର ଜମିର ଧାନ ମଳି ଦେଇଥିଲେ।ବଳକା ୨ ଏକର ଜମିର ଧାନ ଖୋଳାରେ ଗଛିତ ରହିଥିଲା । ତେବେ ଆଜି ଦିନ ପ୍ରାୟ ୨ରେ ରେ ହଠାତ ଖୋଳାରେ ନିଆଁ ଲାଗିଥିବା କିଛି ଲୋକ ଦେଖି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ।

ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ।କିନ୍ତୁ କୌଣସି ସୁଫଳ ମିଳି ନଥିଲା। ଶେଷରେ ଝରିଗାଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି। ତେବେ ନିଆଁ ଲାଗିବାର କାରଣ ସ୍ପଷ୍ଟ ଜଣାପଡି ନଥିବା ବେଳେ ଧାର ଉଧାର କରି ଚାଷ କରିଥିବା ଚାଷୀ ମିଶ୍ର ସାନ୍ତା ଚିନ୍ତାରେ ପଡିଛନ୍ତି। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରି କ୍ଷତି ପୂରଣ ଦେବା ପାଇଁ ଦାବି ହୋଇଛି।