Live Live
LIVE

ଭାରତରେ ୨୫% iPhone ଉତ୍ପାଦନ କରୁଛି ଆପଲ, କାମ ଦେଉନି ଟ୍ରମ୍ପ ଟାରିଫ ଚାପ: ରିପୋର୍ଟ

NEWS7
night-curfew-returns-institutional-quarantine-mandatory-for-indian-who-returns-from-foreign

ନୂଆଦିଲ୍ଲୀଟ୍ରମ୍ପଙ୍କ ବାରମ୍ବାର ଧମକ ପରେ ବି ଆପଲ ଭାରତରେ ଏହାର iPhone ଉତ୍ପାଦନ ଜାରି ରଖିଛି। ଆପଲ ଗତବର୍ଷ ଭାରତରେ iPhone ଉତ୍ପାଦନ ପାଖାପାଖି ୫୩ ପ୍ରତିଶତ ବୃଦ୍ଧି କରିଥିଲା। ଆଉ ଏବେ କମ୍ପାନୀ ଏହାର ମୋଟ ଉତ୍ପାଦନର ଏକ ଚତୁର୍ଥାଂଶ ଭାରତରେ କରୁଛି। ଚୀନ ଉପରେ ନିର୍ଭରଶୀଳତା ହ୍ରାସ କରିବା ଓ ଉଚ୍ଚା ଟାରିଫରୁ ରକ୍ଷା ପାଇବା ପାଇଁ କମ୍ପାନୀ ଏବେ ଭାରତକୁ ଏହାର ପ୍ରଡକ୍ସନ ହବ୍ ଭାବରେ ଦେଖୁଛି।

କମ୍ପାନୀ ୨୦୨୫ ମସିହାରେ ଭାରତରେ ପ୍ରାୟ ୫୫ ମିଲିଅନ ଆଇଫୋନ୍ ଆସେମ୍ବଲ କରିଥିଲା। ଯାହା ପୂର୍ବ ବର୍ଷ (୨୦୨୪)ରେ ୩୬ ମିଲିଅନ ଥିଲା। ଘଟଣା ସହିତ ଜଡ଼ିତ ଲୋକମାନଙ୍କ ଠାରୁ ସୂଚନା ନେଇ ବିଜନେଶ ଷ୍ଟାଣ୍ଡାର୍ଡ ଏହି ରିପୋର୍ଟ ପ୍ରକାଶ କରିଛି। ବର୍ତ୍ତମାନ କେତେ ମାତ୍ରାରେ ଉତ୍ପାଦନ ଭାରତରେ ହେଉଛି ତାର ପ୍ରକୃତ ସଂଖ୍ୟା ଲୋକଲୋଚନକୁ ଆସି ନାହିଁ। ତେଣୁ ସେମାନେ ନାଁ ଗୋପନ ରଖି ଏହି ସୂଚନା ଦେଇଛନ୍ତି। ଆପଲ୍ ବିଶ୍ୱ ସ୍ତରରେ ପ୍ରତିବର୍ଷ ପ୍ରାୟ ୨୨୦ ମିଲିଅନରୁ ୨୩୦ ମିଲିଅନ ଆଇଫୋନ୍ ଉତ୍ପାଦନ କରେ, ଯେଉଁଥିରେ ଭାରତର ଭାଗ ଦ୍ରୁତ ଗତିରେ ବଢୁଛି ବୋଲି ଅଧିକାରୀମାନେ ନାଁ ଗୋପନ ରଖି ସୂଚନା ଦେଇଛନ୍ତି।

ଟ୍ରମ୍ପଙ୍କ ନିର୍ଦ୍ଦେଶକୁ ଫାଙ୍କି ଆପଲ ଭାରତରେ ଉତ୍ପାଦନ ବଢ଼ାଇବାର କାରଣ ବି ରହିଛି। ଭାରତକୁ ବିଶ୍ୱର କାରଖାନାରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଉତ୍ପାଦନ-ସଂଯୁକ୍ତ ପ୍ରୋତ୍ସାହନ(ପ୍ରଡକ୍ସନ ଲିଙ୍କ୍ଡ ଇନ୍ସେଣ୍ଟିଭ୍) ଦେଉଛନ୍ତି ସେଥିରେ କମ୍ପାନୀକୁ ଉତ୍ପାଦନରେ ଖୁବ୍ ସହାୟ ହେଉଛି। ମିଳୁଥିବା ସ୍ବିସିଡି ଯୋଗୁ କମ୍ପାନୀର ଖର୍ଚ୍ଚ ବି କମ ହେଉଛି। ତେଣୁ ଆପଲ ସାମ୍ପ୍ରତିକ ବର୍ଷଗୁଡ଼ିକରେ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତରେ ଏହାର ବିସ୍ତାରକୁ ତ୍ୱରାନ୍ୱିତ କରୁଛି। ତା ଛଡ଼ା ଏଠାରେ ଶ୍ରମ ମୂଲ୍ୟ ବା ଲେବର କଷ୍ଟ କମ୍ ରହିଛି।

୨୦୨୫ରେ ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ଲାଗି ରହିଥିଲା। ଆମେରିକା ଚୀନ ଉପରେ ଉଚ୍ଚମାନର ଶୁଳ୍କ ଲଗାଇଥିଲା। ଏପଟେ ଭାରତ ଉପରେ କମ୍ ଶୁଳ୍କ ଥିବା ସହିତ ଭାରତ ସରକାର ଦେଉଥିବା ସୁବିଧା ଓ କମ ଲେବର କଷ୍ଟ ଯୋଗୁ ଆପଲ ଏହାର ଉତ୍ପାଦନ ୟୁନିଟ୍କୁ ଭାରତକୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରିଥିଲା। ଆପଲ ପ୍ରଡକ୍ଟ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକ ମଧ୍ୟ ଭାରତରେ ଏହାର ଉତ୍ପାଦନ ସିଫ୍ଟ କରି ନେଇଥିଲେ। ତେବେ ବର୍ତ୍ତମାନର ଡେଭଲପ ନେଇ କମ୍ପାନୀ ପ୍ରବକ୍ତା କୌଣସି ସୂଚନା ଦେଇ ନାହାନ୍ତି।

ଯଦିଓ ପ୍ରଡକ୍ସନ ବଢ଼ୁଛି ତଥାପି ଭାରତରେ ଚୀନ୍ ଏବଂ ଭିଏତନାମ ତୁଳନାରେ ଇଲେକ୍ଟ୍ରୋନିକ୍ସ ଆସେମ୍ବଲି ଏବଂ ଯନ୍ତ୍ରାଂଶ ଉତ୍ପାଦନ ଖର୍ଚ୍ଚ ଅଧିକ ହେଉଛି। ସେଥିପାଇଁ ଆପଲ୍, ସାମସଙ୍ଗ ଭଳି କମ୍ପାନୀ ଅଧିକ ସରକାରୀ ସହାୟତା ଲୋଡ଼ୁଛନ୍ତି।

ସେପଟେ ଉତ୍ପାଦନ ବ୍ୟତୀତ, ଆପଲ୍ ଭାରତ ଭଳି ଏକ ବଡ଼ ମାର୍କେଟ୍ରେ ବିକ୍ରି ମଧ୍ୟ ବଢ଼ାଇ ଦେଇଛି। ଭାରତରେ ଆପଲ ଉତ୍ପାଦନ ବିକ୍ରି ୯ ବିଲିୟନ ଅତିକ୍ରମ କରିଛି। ସଫଳତାକୁ ଦେଖି କମ୍ପାନୀ ଚଳିତ ବର୍ଷ ଶେଷରେ ଭାରତରେ ଆପଲ୍ ପେ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। ସେହିପରି ରିଟେଲ ମାର୍କେଟ୍ରେ କମ୍ପାନୀର ୬ଟି ଷ୍ଟୋର ରହିଛି। ଏହି ଷ୍ଟୋରମାନଙ୍କର ଆପଲ ପ୍ରଡକ୍ଟ କିଣିବାକୁ ଗ୍ରାହକଙ୍କ ଲମ୍ବା ଲାଇନ ଲାଗୁଛି। ତେଣୁ ଆପଲ ଭାରତରେ ନିଜ ବ୍ୟବସାୟର ପୂରା ବିସ୍ତାର କରିବାକୁ ଭିତରେ ଭିତର ଯୋଜନା କରୁଥିବା କୁହାଯାଉଛି।