ନୂଆବର୍ଷରେ ଠକ ସୁକେଶ ଚନ୍ଦ୍ରଶେଖରର ନୂଆ ଚାଲ, ଦିଲ୍ଲୀ ପୋଲିସ ଓ ଅଦିତି ସିଂହଙ୍କୁ ନୋଟିସ୍, ଜବାବ ମାଗିଲେ କୋର୍ଟ

NEWS7
night-curfew-imposed-in-delhi-due-to-spreading-of-covid

ନୂଆଦିଲ୍ଲୀ ୩।୨: ଠକ ସୁକେଶ ଚନ୍ଦ୍ରଶେଖର ସମ୍ପର୍କିତ ୨୦୦ କୋଟି ଟଙ୍କାର କଥିତ ଠକେଇ ମାମଲାରେ ଦିଲ୍ଲୀ ପାଟିଆଲା ହାଉସକୋର୍ଟ ଶନିବାର ଶୁଣାଣି କରିଛନ୍ତି। ଏଥିରେ କୋର୍ଟ ଦିଲ୍ଲୀ ପୋଲିସ ଓ ଅଭିଯୋଗକାରିଣୀ ଆଦିତି ସିଂହଙ୍କୁ ନୋଟିସ ଜାରି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଠକ ସୁକେଶ ବିବାଦ ସମାଧାନ ନିମନ୍ତେ କୋର୍ଟରେ ଆବେଦନ ଦାୟର କରିଛି। ଏଣୁ ପାଟିୟାଲା ହାଉସ କୋର୍ଟ ଶୁଣାଣି କାଳରେ ଦିଲ୍ଲୀ ପୋଲିସ ଓ ଅଭିଯୋଗକାରିଣୀଙ୍କୁ ଜବାବ ତଲବ କରିଛନ୍ତି।

ଏହି ମାମଲାର ପରବର୍ତ୍ତି ଶୁଣାଣି ଜାନୁୟାରୀ ୮ ତାରିଖକୁ ଧାର୍ଯ୍ୟ ହୋଇଛି। ତେବେ ତା ପୂର୍ବରୁ ଦିଲ୍ଲୀ ପୋଲିସ ଓ ଆଦିତି ସିଂହଙ୍କୁ ନୋଟିସର ଜବାବ ଦେବାକୁ ପଡିବ। ସୁକେଶ ଚନ୍ଦ୍ରଶେଖର ତା ଆବେଦନରେ କଥିତ ଠକେଇ ମାମଲାକୁ ସମାପ୍ତ କରିବା ପାଇଁ ୨୧୭କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ବୋଲି କହିଛି। ଏହା ସହିତ ସେ ଅଭିଯୋଗକାରିଣୀ ଆଦିତି ସିଂହଙ୍କ ସହିତ ବୁଝାମଣାର ବିକଳ୍ପ ଖୋଜିବାକୁ ମଧ୍ୟ ପ୍ରସ୍ତୁତ ଥିବା କହିଛି। ସୁକେଶ କୋର୍ଟକୁ କହିଛି ଯେ ସେ ଯେ କୌଣସି ପ୍ରକାରେ ମାମଲାର ସମାଧାନ କରିବାକୁ ପ୍ରସ୍ତୁତ।

କୋର୍ଟ ସୁକେଶର ଏହି ଆବେଦନ ଉପରେ ଦିଲ୍ଲୀ ପୋଲିସ ଓ ଆଦିତି ସିଂହଙ୍କୁ ସୁକେଶର ପରାମର୍ଶ ଉପରେ ବିଚାର କରି ଜଣାଇବାକୁ କହିଛନ୍ତି। ଏଥିରେ ଏବେ ଅଭିଯୋଗକାରିଣୀ ଓ ପୋଲିସ କେଉଁ ପଦକ୍ଷେପ ନେବାକୁ ଯାଉଛନ୍ତି ତାହା ଦେଖିବାକୁ ରହିଲା। ତେବେ ସବୁଠୁ ମଜାଦର କଥା ଯାହା ତାହା ହେଉଛି ଆଗାମୀ ଶୁଣାଣିରେ କୋର୍ଟ କଣ ନିଷ୍ପତ୍ତି ନେବେ? ଉଲ୍ଲେଖଯୋଗ୍ୟ ଯେ ଏହି ମାମଲା ୨୦୨୧ ମସିହାରେ ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଦିଲ୍ଲୀ ତିହାର ଜେଲରୁ ବଡ଼ ଦୁର୍ନୀତି କରିଥିବା ଠକ ସୁକେଶ ଚନ୍ଦ୍ରଶେଖର ବିରୋଧରେ ମନିଲଣ୍ଡ୍ରିଂର ମାମଲା ରୁଜୁ ହେଲା।

ଏଥିରେ ସେ ୨୦୦ କୋଟି ଟଙ୍କା ଠକେଇ କରିଥିବାର ଅଭିଯୋଗ ହୋଇଥିଲା। ଯାଞ୍ଚରୁ ଜଣାପଡିଲା ଯେ ସୁକେଶ ଏହି ବିପୁଳ ଟଙ୍କାକୁ କିଛି ଲୋକଙ୍କୁ ମହଙ୍ଗା ଉପହାର ଦେବାରେ ମଧ୍ୟ ଉପଯୋଗ କରିଥିଲା। ଏଥିରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ନାମକ ପ୍ରମୁଖ ଭାବେ ସାମ୍ନାକୁ ଆସିଥିଲା। ସୂଚନା ଅନୁସାରେ ଜ୍ୟାକଲିନଙ୍କୁ ସୁକେଶ ଅନେକ ମହଙ୍ଗା ଉପହାର ଦେଇଥିଲା, ଯାହାର ମୂଲ୍ୟ କୋଟିକୋଟି ଟଙ୍କା ବୋଲି ଜଣାପଡିଥିଲା।