କଟକ ୧୨।୪: ନାଇଜେରିଆ ବ୍ଲାକମେଲର ଜେଜେ ରେମଣ୍ଡର କଳା ସାମ୍ରାଜ୍ୟର ଗୁମର ଖୋଲୁଛି । ରିମାଣ୍ଡରେ ପଚରା ଉଚରା ଓ ରେମଣ୍ଡର ଲାପଟପ୍, ମୋବାଇଲର ଟେକ୍ନିକାଲ ଆନାଲିସିସ କମିଶନରେଟ୍ ପୋଲିସକୁ ରେମଣ୍ଡର କଳା ସାମ୍ରାଜ୍ୟ ସମ୍ପର୍କରେ ଅନେକ ନୂଆ ତଥ୍ୟ ଦେଇଛି । ଭାରତୀୟ ନ୍ୟାୟ ସଂହିତାର ବ୍ୟବସ୍ଥା ଅନୁସାରେ ପୋଲିସ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ରେମଣ୍ଡର ସୋସିଆଲ ମିଡ଼ିଆ ଆକାଉଣ୍ଟ, ହ୍ବାଟ୍ସଆପ୍ ମେସେଜ ଓ ଆର୍ଥିକ କାରବାରର ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଛି ପୋଲିସ । ଏ ନେଇ ସୂଚନା ଦେଇ କଟକ ଡିସିପି କହିଛନ୍ତି, ଅନେକ ବିଦେଶୀ ଯୁବତୀ ରେମଣ୍ଡର ବ୍ଲାକମେଲର ଶୀକାର ହୋଇଛନ୍ତି ଓ ଏ ନେଇ ବିଭିନ୍ନ ଦେଶରୁ ବିପୁଳ ବିଦେଶୀ ମୁଦ୍ରା ରେମଣ୍ଡର ଆକାଉଣ୍ଟକୁ ଆସିଛି ।
ଡିସିପିଙ୍କ ସୂଚନା ଅନୁସାରେ ରେମଣ୍ଡର ଗୋଟିଏ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ୧୦ରୁ ୧୫ଦିନ ଭିତରେ ୧୫ରୁ ୨୦ଲକ୍ଷ ଟଙ୍କାର ଦେଣନେଣ ହୋଇଛି । ରେମଣ୍ଡର ଏହି ଭଳି ଏକାଧିକ ଆକାଉଣ୍ଟ ଓ ଏହାସହ ଏହି ଆକାଉଣ୍ଟ ସହ ଲିଙ୍କ ଥିବା ୫୦ରୁ ଅଧିକ ଆକାଉଣ୍ଟ ଠାବ କରିଛି କମିଶନରେଟ୍ ପୋଲିସ । ଯେଉଁସବୁ ଅଞ୍ଚଳର ଯୁବତୀ ରେମଣ୍ଡର ବ୍ଲାକମେଲର ଶୀକାର ହୋଇଛନ୍ତି ସେମାନଙ୍କୁ ନିକଟସ୍ଥ ଥାନାରେ ଏତଲା ଦେବା ପାଇଁ ପରାମର୍ଶ ଦେଇଛି କମିଶନରେଟ୍ ପୋଲିସ । ଏହାସହ ରେମଣ୍ଡର ପାସପୋର୍ଟ ସମ୍ବନ୍ଧିତ ତଥ୍ୟ ପାଇଁ କମିଶନରେଟ୍ ପୋଲିସ ନାଇଜେରିଆ ଓ ଆଇଭରି କୋଷ୍ଟର ପାସପୋର୍ଟ ବିଭାଗକୁ ମେଲ୍ କରିଥିବା ବେଳେ, ସେ ନେଇ ଦୁଇ ଦେଶର ଉତ୍ତରକୁ ଅପେକ୍ଷା ରହିଛି ବୋଲି ଡିସିପି କହିଛନ୍ତି ।
You Can Read:
ଅନଲାଇନ୍ ଗେମ୍ରୁ ଠକେଇ କରି ଜଣେ ଗିରଫ, ଆପ୍ ଲକ୍ କରି ଗେମ୍ ଖେଳିଲେ ପାଉଥିଲେ କମିଶନ