ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ଆଜି ସବୁ ସେକ୍ଟରରେ ଚାପ ଦେଖିବାକୁ ମିଳିଛି । ସେନ୍ସେକ୍ସ ୧୫୫ ଅଙ୍କ ଖସି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୨୪,୪୦୦ ସ୍ତର ତଳେ ବନ୍ଦ ହୋଇଛି । ସ୍ମଲ୍କ୍ୟାପ୍ ଓ ମିଡ୍କ୍ୟାପ୍ ସେୟାରରେ ଅଧିକ ହ୍ରାସ ଦେଖିବାକୁ ମିଳିଛି । ଉଭୟ ଇଣ୍ଡେକ୍ସ ୨ ପ୍ରତିଶତରୁ ଅଧିକ ଖସି ବନ୍ଦ ହୋଇଛି । ଏହି କାରଣରୁ ଆଜି ନିବେଶକଙ୍କୁ ପ୍ରାୟ ୭ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ସବୁଠୁ ଅଧିକ ହ୍ରାସ ରିୟଲ୍ଟି, ପାୱାର ୟୁଟିଲିଟି ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ସେୟାରରେ ଦେଖିବାକୁ ମିଳିଛି । ଆମେରିକାର ଫେଡରାଲ୍ ରିଜର୍ଭ ବ୍ୟାଙ୍କର ବୁଧବାର ହେବାକୁ ଥିବା ବୈଠକ ଓ ଭାରତ-ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ଯୋଗୁଁ ନିବେଶକ ସତର୍କ ରହିଛନ୍ତି ।
କାରବାର ଶେଷରେ ବିଏସଇ ସେନସେକ୍ସ ୧୫୫.୭୭ ଅଙ୍କ ବା ୦.୧୯ ପ୍ରତିଶତ ହ୍ରାସ ସହ ୮୦,୬୪୧.୦୭ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍ଏସ୍ଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୮୧.୫୫ ଅଙ୍କ ବା ୦.୩୩ ପ୍ରତିଶତ ଖସି ୨୪,୩୭୯.୬୦ ସ୍ତରରେ ବନ୍ଦ ହୋଇଛି ।
ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ ମାର୍କେଟ୍ କ୍ୟାପ୍ ଆଜି ହ୍ରାସ ପାଇ ୪୨୦.୬୩ ଲକ୍ଷ କୋଟି ଟଙ୍କା ହୋଇଛି । ଯାହା ପୂର୍ବ କାରବାର ଦିନ ଅର୍ଥାତ୍ ସୋମବାର ୪୨୭.୪୮ ଲକ୍ଷ କୋଟି ଥିଲା । ଏହିପରି ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକ ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୬.୮୫ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ଆଜି ୬.୮୫ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ।
ଆଜି ବିଏସଇ ସେନସେକ୍ସର ୩୦ ସେୟାର ମଧ୍ୟରୁ ୧୧ ସେୟାର ସବୁଜ ସଂକେତରେ ବନ୍ଦ ହୋଇଛି । ଏଥିରେ ଭାରତୀ ଏୟାରଟେଲର ସେୟାରେ ସବୁଠୁ ଅଧିକ ୧.୬୬ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ସେହିପରି ଇଟର୍ନଲ ସେୟାର ୩.୦୮ ପ୍ରତିଶତ ହ୍ରାସ ସବୁଠୁ ଅଧିକ ହ୍ରାସ ହୋଇଛି ।