ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା

Published By : Prameya-News7 Bureau | July 24, 2025 IST

ଭୁବନେଶ୍ୱର ୨୪।୦୭ : ଗୁରୁବାର ଉତ୍ତର ବଙ୍ଗୋପସାଗରରେ ଲଘୁଚାପ  ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ। କିଛି ସ୍ଥାନରେ ଅତିପ୍ରବଳ ବର୍ଷା ହେବ । ପାଣିପାଗ ବିଭାଗ (ଆଇଏମ୍‌ଡି) ଏହି ପୂର୍ବାନୁମାନ କରିଛି। 

ଗୁରୁବାର ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି ଓ କୋରାପୁଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଅଛି । ଏହି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ସୁନ୍ଦରଗଡ଼, ଦେବଗଡ଼, ବାଲେଶ୍ୱର, ଭଦ୍ରକ,  କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶା ଓ  ଦକ୍ଷିଣ ଓଡ଼ିଶାର ଗୋଟିଏ ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି।

ଶୁକ୍ରବାର (୨୫ ତାରିଖ) ମୟୂରଭଞ୍ଜ ଓ କେନ୍ଦୁଝରରେ ଅତି ଭୀଷଣ ବର୍ଷା ହୋଇପାରେ । ଏହି ଦୁଇ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଦିଆଯାଇଛି । ବାଲେଶ୍ୱର, ଭଦ୍ରକ,  ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଆଭ୍ୟନ୍ତରୀଣ ଓଡ଼ିଶାର  ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି  ସହ ବର୍ଷା ହୋଇପାରେ ।

ଶନିବାର (୨୬ ତାରିଖ) ମୟୂରଭଞ୍ଜ, କେନ୍ଦୁଝର  ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଅଛି । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି  ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୨୭ ତାରିଖରେ  ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଭାରି ବର୍ଷା ଆଶଙ୍କା ଅଛି । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । 

ବୁଧବାର ଭୁବନେଶ୍ୱରରେ ପ୍ରବଳ ବର୍ଷା  ହୋଇଛି । ଦାରିଙ୍ଗିବାଡ଼ିରେ ୬୨ମିମି, ଛତ୍ରପୁରରେ  ୪୨.୬, ଖୋର୍ଦ୍ଧାରେ ୨୧, ପାରଳାଖେମୁଣ୍ଡିରେ ୨୦.୪,  ରାୟଗଡ଼ାରେ ୧୭.୪, ପୁରୀରେ ୧୧.୮, କଟକ  ଓ ଗୋପାଳପୁରରେ ୫.୨, ଟିଟିଲାଗଡ଼ରେ ୫,  ମାଲକାନଗିରିରେ ୩.୨ମିମି ବର୍ଷା ରେକର୍ଡ ହୋଇଛି ।

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.