ଆରବପତି ତାଲିକାରେ ଶୀର୍ଷରେ ନ୍ୟୁୟର୍କ: ଭାରତର କେଉଁ ସହର ଟପ୍-୧୦ରେ ସାମିଲ୍ ?

Published By : Prameya-News7 Bureau | July 01, 2025 IST

internet

ନୂଆଦିଲ୍ଲୀ: ଫୋର୍ବସ ୨୦୨୫ ବିଶ୍ୱ ଆରବପତିଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକା ଅନୁଯାୟୀ ଆମେରିକାର ନ୍ୟୁୟର୍କ ସହରରେ ବିଶ୍ୱର ସର୍ବାଧିକ ଆରବପତି ରହୁଛନ୍ତି। ଏହି ସହରରେ ୧୨୩ ଜଣ ବିଲିୟନେୟାର ରହୁଛନ୍ତି, ଓ ସେମାନଙ୍କର ମିଳିତ ସମ୍ପତ୍ତି ୭୫୯ ବିଲିୟନ ଡଲାର ହୋଇଛି। ସର୍ବାଧିକ ଆରବପତି ରହୁଥିବା ସହର ତାଲିକାରେ ନ୍ୟୁୟର୍କ ଦୀର୍ଘ ୧୨ ବର୍ଷ ହେଲା ଶୀର୍ଷରେ ରହି ଆସୁଛି। କେବଳ ୨୦୨୧ରେ ଚୀନର ବେଜିଂ ନ୍ୟୁୟର୍କକୁ ଟପିଯାଇଥିଲା। ନ୍ୟୁୟର୍କରେ ରହୁଥିବା ଅଧିକାଂଶ ଆରବପତିଙ୍କ ବ୍ୟବସାୟ ଫାଇନାନ୍ସ, ରିଅଲ୍ ଇଷ୍ଟେଟ୍ ଏବଂ ଖୁଚୁରା ବ୍ୟବସାୟ ଆଦିରେ ରହିଛି।

ବିଶ୍ୱର ମୋଟ ୩,୦୨୮ ଆରବପତିଙ୍କ ମଧ୍ୟରୁ ପ୍ରାୟ ଏକ ଚତୁର୍ଥାଂଶ ୬ ଦେଶର ମାତ୍ର ୧୦ଟି ସହରରେ ରହୁନ୍ତି। ଦୃଢ଼ ବ୍ୟବସାୟିକ ଇକୋସିଷ୍ଟମ, ନିବେଶକ-ଅନୁକୂଳ ନୀତି ଏବଂ ସମୃଦ୍ଧ ଶିଳ୍ପ ଯୋଗୁ ଏହି ସହରଗୁଡ଼ିକ ସମ୍ପତ୍ତି ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି।


ମୁମ୍ବାଇ - ଭାରତର ଆରବପତିଙ୍କ ରାଜଧାନୀ

ଯଦିଓ ଭାରତ ସର୍ବାଧିକ ଆରବପତି ଥିବା ଦେଶମାନଙ୍କ ତାଲିକା ମଧ୍ୟରେ ନାହିଁ, ତେବେ ମୁମ୍ବାଇ ଭାରତର ଆରବପତିଙ୍କ ରାଜଧାନୀ ହୋଇ ରହିଛି। ଏହି ସହର ବିଶ୍ୱ ସ୍ତରରେ ଷଷ୍ଠ ସ୍ଥାନରେ ରହିଛି। ମୁମ୍ବାଇରେ ମୋଟ ୬୭ ଜଣ ଆରବପତି ରହିଥିବା ବେଳେ ସେମାନଙ୍କର ମୋଟ ସମ୍ପତ୍ତି ୩୪୯ ବିଲିୟନ ଡଲାର। ଏହା ଦିଲ୍ଲୀ ଏବଂ ବେଙ୍ଗାଲୁରୁ ଭଳି ଅନ୍ୟାନ୍ୟ ପ୍ରମୁଖ ମହାନଗରଗୁଡ଼ିକ ଅପେକ୍ଷା ସର୍ବାଧିକ ଧନୀ ବ୍ୟକ୍ତି ଥିବା ଭାରତୀୟ ସହର ହୋଇଛି। ତଥାପି, ଚଳିତ ବର୍ଷ ବିଶ୍ୱ ସ୍ତରରେ ମୁମ୍ବାଇର ଚତୁର୍ଥରୁ ଷଷ୍ଠ ସ୍ଥାନକୁ ଖସି ଆସିଛି। ଦୁଇ ଜଣ ଆରବପତି ସହର ଛାଡ଼ି ପଳାଇବା ଯୋଗୁ ମୁମ୍ବାଇକୁ ପଛରେ ପକାଇ ଲଣ୍ଡନ ଚତୁର୍ଥ ସ୍ଥାନ ଓ ବେଜିଂ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି। 

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ୯୨.୫ ବିଲିୟନ ଡଲାର ସମ୍ପତ୍ତି ସହିତ ମୁମ୍ବାଇ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଭାବେ ସ୍ଥାନ ସୁରକ୍ଷିତ ରଖିଛନ୍ତି। ଗତ ବର୍ଷ ୨୦ ବିଲିୟନ ଡଲାରରୁ ଅଧିକ ସମ୍ପତ୍ତି ହ୍ରାସ ସତ୍ତ୍ୱେ ବି ସେ ସହରର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି।

ତେବେ ବଡ଼ କଥା ହେଲା ୨୦୨୫ ମସିହାରେ ମୁମ୍ବାଇରେ ୬ ଜଣ ନୂଆ ଆରବପତି ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଚାରି ଜଣ ବିଭି ଦୋଷୀଙ୍କ ପରିବାରର ସଦସ୍ୟ। ଏହି ୪ ଜଣ ହେଲେ ବୀରେନ, କିରୀଟ, ପଙ୍କଜ ଏବଂ ହିତେଶ ଦୋଷୀ, ଯାହାଙ୍କର ସୌର ଶକ୍ତି ଫାର୍ମ ୱାରୀ ଇଣ୍ଡଷ୍ଟ୍ରିଜ୍ ଗତ ବର୍ଷ ଅକ୍ଟୋବରରେ ସାର୍ବଜନୀନ ହୋଇଥିଲା।

ବିଶ୍ୱର ଅନ୍ୟ ସହରର ସ୍ଥିତି

ଚଳିତ ବର୍ଷ ମସ୍କୋରେ ଆରବପତିଙ୍କ ସଂଖ୍ୟାରେ ସର୍ବାଧିକ ବୃଦ୍ଧି ଦେଖିବାକୁ ମିଳିଛି। ମସ୍କୋରେ ୯୦ ଜଣ ଆରବପତି ରହିଛନ୍ତି, ଯାହାଙ୍କର ମିଳିତ ସମ୍ପତ୍ତି ମୂଲ୍ୟ ୪୦୯ ବିଲିୟନ ଡଲାର ହୋଇଛି। ସେହିପରି ହଂକଂ ଏବଂ ଲଣ୍ଡନ ମଧ୍ୟ ଅନେକ ଧନୀ ବ୍ୟବସାୟୀଙ୍କ ବାସସ୍ଥାନ ପାଲଟିଛି। ଅନ୍ୟପଟେ ବେଜିଂ ୬୮ ବିଲିୟନପତିଙ୍କ ସହିତ ପଞ୍ଚମ ସ୍ଥାନରେ ସ୍ଥିର ରହିଛି।

ତେବେ ଆରବପତିଙ୍କୁ ଆକର୍ଷିତ କରିବାରେ ସିଙ୍ଗାପୁର ଭଲ ପ୍ରଦର୍ଶନ କରିଛି। ସିଙ୍ଗାପୁର ଗତବର୍ଷ ନବମ ସ୍ଥାନରୁ ସପ୍ତମ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି। ୮ ଜଣ ନୂଆ ବିଲିୟନେୟାର ସିଙ୍ଗାପୁରକୁ ଆସିଛନ୍ତି। ବାଇଟ୍‌ଡାନ୍ସ (ଟିକଟକର ମାଲିକ)ର ସହ-ପ୍ରତିଷ୍ଠାତା ଝାଙ୍ଗ ୟିମିଙ୍ଗ ୬୫.୫ ବିଲିୟନ ଡଲାର ସମ୍ପତ୍ତି ସହ ସେ ସିଙ୍ଗାପୁରର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି।

ତାଲିକାରେ ଥିବା ଅନ୍ୟ ସହର ଯେପରିକି ସାନ ଫ୍ରାନ୍ସିସ୍କୋ, ସାଂଘାଇ ଏବଂ ଲସ୍ ଆଞ୍ଜେଲସ୍ ମଧ୍ୟ ଏହି ବର୍ଷ ନୂଆ ଆରବପତିଙ୍କୁ ସ୍ୱାଗତ କରିଛନ୍ତି। ମୁଖ୍ୟତଃ ଟେକ୍ନୋଲୋଜି ଏବଂ ମନୋରଞ୍ଜନ ଶିଳ୍ପରୁ ଏହି ଆରବପତିମାନେ ଆସିଛନ୍ତି। 

୨୦୨୫ରେ ସର୍ବାଧିକ ଆରବପତି ଥିବା ବିଶ୍ୱର ଶ୍ରେଷ୍ଠ ୧୦ ସହର ହେଲା-

ନ୍ୟୁୟର୍କ ସିଟି – ୧୨୩ କୋଟିପତି ($୭୫୯ ବିଲିୟନ)
 ମସ୍କୋ – ୯୦ କୋଟିପତି ($୪୦୯ ବିଲିୟନ)
 ହଂକଂ – ୭୨ କୋଟିପତି ($୩୦୯ ବିଲିୟନ)
 ଲଣ୍ଡନ – ୭୧ କୋଟିପତି ($୩୫୫ ବିଲିୟନ)
 ବେଜିଂ – ୬୮ କୋଟିପତି ($୨୭୩ ବିଲିୟନ)
 ମୁମ୍ବାଇ – ୬୭ କୋଟିପତି ($୩୪୯ ବିଲିୟନ)
 ସିଙ୍ଗାପୁର – ୬୦ କୋଟିପତି ($୨୫୯ ବିଲିୟନ)
 ସାନ ଫ୍ରାନ୍ସିସ୍କୋ – ୫୮ କୋଟିପତି ($୨୧୭ ବିଲିୟନ)
 ସାଂଘାଇ – ୫୮ କୋଟିପତି ($୧୯୮ ବିଲିୟନ)
 ଲସ୍ ଆଞ୍ଜେଲସ୍ – ୫୬ କୋଟିପତି ($୨୪୩ ବିଲିୟନ)


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.