ଝାରସୁଗୁଡା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାରେ ନୂଆମୋଡ଼। ୩୪ ମାସ ପରେ ପୁଣି ଖୋଲିବ ଫାଇଲ। ଉତ୍ତରାଞ୍ଚଳ ଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି। ନିରପେକ୍ଷ ତଦନ୍ତ ସହ ଲଳିତଙ୍କ ବାପା ବେଲାଲସେନ ସାହୁ ନ୍ୟାୟ ମାଗିଛନ୍ତି। ପ୍ରକୃତ ଖୋଳତାଡ ହେଲେ ସତ୍ୟ ସାମନାକୁ ଆସିବ ସେ କହିଛନ୍ତି।
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଡେଙ୍ଗବୋରେଇ ଗାଁର ଲଳିତ ସାହୁ। ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡ଼ା ସ୍ଥିତ ବାସଭବନରେ ରହୁଥିବା ବ୍ୟକ୍ତିଗତ କର୍ମଚାରୀଙ୍କ ପାଇଁ ରୋଷଇ କରୁଥିଲେ କିନ୍ତୁ ଗତ ୧୭ ଏପ୍ରିଲ ୨୦୨୨ ସଂଧ୍ୟାରେ ତାଙ୍କ ଝୁଲନ୍ତା ମୃତଦେହ ମନ୍ତ୍ରୀଙ୍କ ସରକାରୀ ବାସଭବନରୁ ମିଳିଥିଲା। ଅନ୍ୟପଟେ ଭାଇରାଲ୍ ହୋଇଥିଲା ଲଳିତଙ୍କ ବାପାଙ୍କ ଭିଡିଓ। ଯେଉଁଥିରେ ସେ କହୁଛନ୍ତି, ମୃତ୍ୟୁ ପୂର୍ବରୁ ୭/୮ ଦିନ ଧରି ପୁଅ ମାନସିକ ଚାପରେ ରହୁଥିଲେ। ପୁଅର ମାନସିକ ଅବସ୍ଥା ଦେଖି ଗାଁକୁ ଫେରି ଆସିବାକୁ କହିଥିଲେ ଲଳିତଙ୍କ ବାପା। କିନ୍ତୁ, ଲଳିତ ରାଜି ହୋଇନଥିଲେ। ଦୁର୍ଭାଗ୍ୟକୁ ଝାରସୁଗୁଡ଼ା ସରବାହାଲରେ ଗତ ୧୭ ସଂଧ୍ୟାରେ ଝୁଲନ୍ତା ଅବସ୍ଥାରେ ଲଳିତଙ୍କ ମିଳିଥିଲା ମୃତଦେହ।
ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି ମାନସିକ ଚାପରେ ଥିଲେ ଲଳିତ ସାହୁ? କିଏ ତାଙ୍କୁ ଏଭଳି ମାନସିକ ଚାପ ଦେଲା ଯେ, ଜୀବନ ହାରିବା ଯାଏଁ କଥା ଗଲା? ରାତାରାତି ବ୍ୟବଚ୍ଛେଦ ପଛର ଉଦ୍ଦେଶ୍ୟ କଣ?
ଅନ୍ୟପଟେ ଘଟଣାର ୫ ଦିନ ପରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାରେ ଆସିଥିଲା ନୂଆ ମୋଡ। ପୁଅର ଆତ୍ମହତ୍ୟାକୁ ନେଇ ବିଜେପି ରାଜନୀତି କରୁଥିବା ଅଭିଯୋଗ କରିଥିଲେ ମୃତ ଲଳିତଙ୍କ ବାପା। ଏପରିକି ବିଜେପି ନେତା ଟଙ୍କଧର ତ୍ରିପାଠୀ, ତ୍ରିନାଥ ଗୁଆଲ, ଅଞ୍ଜଳି ବେହେରା ଏବଂ ଅନ୍ୟ ବିଜେପି ନେତାମାନେ ତାଙ୍କୁ ଗଭୀର ମାନସିକ ଚାପ ଦେଉଥିବା ଅଭିଯୋଗ କରି ଝାରସୁଗୁଡା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏଭଳି ମାନସିକ ଚାପ ଫଳରେ ପରିବାରର କେହି ସଦସ୍ୟ ଆତ୍ମହତ୍ୟା କଲେ ଏହି ନେତାମାନେ ଦାୟୀ ରହିବେ ବୋଲି ଏତଲାରେ ଦର୍ଶାଇଥିଲେ ମୃତ ଲଳିତଙ୍କ ବାପା ବେଲାଲସେନ ସାହୁ।
ପୁଅ କୌଣସି କର୍ମ ସଂସ୍ଥାନ ପାଉନଥିବାବେଳେ ସୌଭାଗ୍ୟରୁ ମନ୍ତ୍ରୀ ନବ ଦାସଙ୍କ ଘରେ ରୋଷେୟା ଭାବେ ନିଯୁକ୍ତି ପାଇଥିଲେ। କିନ୍ତୁ ଅବାଟରେ ଯାଇ ମାନସିକ ଚାପରେ ରହୁଥିଲେ ଓ ଶେଷରେ ଆତ୍ମହତ୍ୟା କରିଦେଲେ ବୋଲି ଏତଲାରେ ଲେଖିଥିଲେ। ତେଣୁ ଏକ ଆତ୍ମହତ୍ୟାକୁ ବିଜେପି ନେତାମାନେ ବାରମ୍ବାର ଆତ୍ମହତ୍ୟା ନୁହେଁ ବୋଲି ପ୍ରଚାର କରୁଥିବା ସେ ଅଭିଯୋଗରେ ଦର୍ଶାଇଥିଲେ। ଝାରସୁଗୁଡା ଟାଉନଥାନାରେ ଲିଖିତ ଅଭିଯୋଗ କରିବା ସହ ଥାନା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଚିଠି ଲେଖିଥିଲେ ବେଲାଲସେନ ସାହୁ।
ଦୀର୍ଘ ୩୪ ମାସ ପରେ ପୁଣି ମୁହଁ ଖୋଲିଛନ୍ତି ଲଳିତଙ୍କ ବାପା। ନିରପେକ୍ଷ ତଦନ୍ତ ସହ ନ୍ୟାୟ ମାଗିଲେ ଲଳିତଙ୍କ ବାପା ବେଲାଲସେନ ସାହୁ। ପ୍ରକୃତ ଖୋଳତାଡ ହେଲେ ସତ୍ୟ ସାମନାକୁ ଆସିବ ବୋଲି କହିଛନ୍ତି ଲଳିତଙ୍କ ବାପା। ଏହି ଘଟଣାର ତଦନ୍ତ କରୁଥିବା ଅଧିକାରୀଙ୍କ ସ୍ଥାନରେ ନୂଆ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି କହିଛନ୍ତି ଏସପି ସ୍ମିଥ ପରମାର।