ଅପରେସନ ସିନ୍ଦୂରକୁ ନେଇ ଆସିଲା ନୂଆ ତଥ୍ୟ, ଭାରତ ବ୍ୟବହାର କରିଥିଲା ୧୯ ବ୍ରହ୍ମୋସ ଓ କ୍ରିଷ୍ଟାଲ ମେଜ୍ କ୍ଷେପଣାସ୍ତ୍ର

Published By : Prameya-News7 Bureau | June 08, 2025 IST

ନୂଆଦିଲ୍ଲୀ ୮।୬: ପହଲଗାମରେ ପର୍ଯ୍ୟଟକଙ୍କ ହତ୍ୟାର ପ୍ରତିଶୋଧ ପାଇଁ ଭାରତୀୟ ସେନା ଯେଉଁ ‘ଅପରେସନ ସିନ୍ଦୂର’ ଚଳାଇ ପାକିସ୍ତାନରେ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଆକ୍ରମଣ କରିଥିଲା ସେ ନେଇ ନୂଆ ତଥ୍ୟ ଏବେ ସାମ୍ନାକୁ ଆସିଛି। ଏଥିରେ ଭାରତୀୟ ସେନା ଲସ୍କର ଓ ଜୈସ ମୁଖ୍ୟାଳୟ ଉପରେ ଅଲଗା ଅଲଗା କ୍ଷେପଣାସ୍ତ୍ର ବ୍ୟବହାର କରିଥିବାର ସୂଚନା ମିଳିଛି। ଏହା ଛଡା ପାକିସ୍ତାନ ସହ ୪ ଦିନ ଧରି ଚାଲିଥିବା ସଂଘର୍ଷରେ କେଉଁ ଅସ୍ତ୍ର ବ୍ୟବହାର ହୋଇଥିଲା ଓ ଏଥିରୁ କେତେ ମାତ୍ରାରେ କ୍ଷତି ହୋଇଥିଲା ତାର ସୂଚନା ମଧ୍ୟ ଆସିଛି। 

ଏହି ୪ ଦିନରେ ଭାରତ ମୋଟ ୧୯ଟି ବ୍ରହ୍ମୋସ ଓ କ୍ରିଷ୍ଟାଲ ମେଜ କ୍ଷେପଣାସ୍ତ୍ର ବ୍ୟବହାର କରି ପାକିସ୍ତାନକୁ ଆଣ୍ଠୁମାଡ଼ି ବସେଇ ଦେଇଥିଲା। ହିନ୍ଦୁସ୍ତାନ ଟାଇମସର ଏକ ରିପୋର୍ଟରୁ ଏହି ତଥ୍ୟ ମିଳିଛି। ଏହି ରିପୋର୍ଟ ଅନୁସାରେ ଜାତୀୟ ସୁରକ୍ଷା ସମ୍ପର୍କିତ ଯୋଜନା ପ୍ରଣୟନକାରୀ ଓ ସେନା ମୁଖ୍ୟମାନେ ଅପରେସନ ସିନ୍ଦୂରର ୧ ମାସ ପୂର୍ତ୍ତି ଅବସରରେ ଉତ୍ସବ ମଧ୍ୟ ପାଳନ କରିଛନ୍ତି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରାଳୟ ତିନି ସେନାଙ୍କୁ ଅସ୍ତ୍ରଶସ୍ତ୍ର ଓ କ୍ଷେପଣାସ୍ତ୍ର କିଣିବା ପାଇଁ ଅନୁମତି ମଧ୍ୟ ଦେଇଛି। 

ସୂତ୍ର ଅନୁସାରେ ସେନା କାର୍ଯ୍ୟାନୁଷ୍ଠାନ ଓ ଉପଗ୍ରହରୁ ମିଳୁଥିବା ଛବିରୁ ଏହା ପୁଷ୍ଟି ହେଉଛି ଯେ ଅପରେସନ ସିନ୍ଦୂର କାଳରେ ଭାରତୀୟ ବାୟୁସେନା ଭୂ-ପୃଷ୍ଠରୁ ଆକାଶକୁ ନିକ୍ଷେପ ହେଉଥିବା କ୍ଷେପଣାସ୍ତ୍ର ଓ ଏସ୍-୪୦୦ ଡିଫେନ୍ସ ସିଷ୍ଟମ ପାକିସ୍ତାନର ୪ଟି ଯୁଦ୍ଧବିମାନ (ଚିନ୍ ନିର୍ମିତ) ଓ ଦୁଇଟି ବଡ଼ ବିମାନ (ସମ୍ଭବତଃ ଗୋଟିଏ ସି-୧୩୦ ଜେ ଓ ଏସଏଏବି ୨୦୦୦ ଆୱାକ୍ସ ବିମାନ)କୁ ଖସେଇ ଦେଇଛନ୍ତି। ସୂତ୍ର ଏହା ମଧ୍ୟ କହିଛନ୍ତି ଯେ ସରଗୋଧା, ରଫିକୀ, ଜ୍ୟେକବାବାଦ ଓ ନୂର ଖାନ (ଚକଲାଲା ରାୱଲପିଣ୍ଡି) ସହିତ ୧୧ଟି ବାୟୁସେନା ଘାଟି ଉପରେ ଭାରତୀୟ ବାୟୁସେନା କ୍ଷେପଣାସ୍ତ୍ର ଆକ୍ରମଣରେ ୨ଟି ଏଫ-୧୬ ଯୁଦ୍ଧ ବିମାନ ଆଂଶିକ ରୂପେ କ୍ଷତିଗ୍ରସ୍ତ ହୋଇଛି। 

ରିପୋର୍ଟରୁ ଜଣାପଡିଛି ଯେ ଭାରତର ରାଫେଲ ଯୁଦ୍ଧ ବିମାନ, ଏସ୍-୪୦୦ ବାୟୁ ରକ୍ଷା ପ୍ରଣାଳୀ ଓ ଏମ୭୭୭ ହ୍ୱିଟଜର ତୋପ ୪ ଦିନର ଯୁଦ୍ଧକାଳରେ ନିଜକୁ ବେଶ୍ ପ୍ରମାଣିତ କରିଛନ୍ତି। ରିପୋର୍ଟ ମୁତାବକ ମେ ୭ରେ ଭାରତର ପ୍ରଥମ ଆତଙ୍କବାଦ ବିରୋଧୀ ଆକ୍ରମଣ ସଫଳ ହୋଇଥିବାର ପର୍ଯ୍ୟାପ୍ତ ପ୍ରମାଣ ମିଳିଛି। ମୁରିଦକେସ୍ଥିତ ଲସ୍କର ମୁଖ୍ୟାଳୟ ମରକଜ-ଏ-ତୌୟବା ଓ ଜୈଶ-ଏ-ମହମ୍ମଦର ଆଡ୍ଡା ମରକଜ-ଏ-ଶୁଭାନ ଅଲ୍ଲାହ ଉପରେ ରାଫେଲ ଯୁଦ୍ଧ ବିମାନରୁ ୬ଟି ସ୍କାଲଫ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଏଥିରେ ବଙ୍କର ବଷ୍ଟିଂ ଟେକ୍ନୋଲଜି ଉପଯୋଗ କରି ଆତଙ୍କବାଦୀ ଆଡ୍ଡାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦିଆଯାଇଥିଲା। 

ସେହିପରି ଭାରତୀୟ ସେନା ଏମ-୭୭୭ ହ୍ୱିଟଜର ତୋପରେ ଆମେରିକା ନିର୍ମିତ ଏକ୍ସକାଲିବର ଗୋଳା ବ୍ୟବହାର କରି ପାକିସ୍ତାନର ଦ୍ୱିତୀୟ ଧାଡିରେ ଥିବା ପ୍ରତିରକ୍ଷା ପଙକ୍ତିକୁ ଧ୍ୱଂସ କରିଦେଇଥିଲା। ୭ ମେ ସକାଳେ ଅପରେସନ ଆରମ୍ଭ ହେବା ପରଠାରୁ ୧୦ ମେ ସନ୍ଧ୍ୟାରେ ଯୁଦ୍ଧବିରାମ ପର୍ଯ୍ୟନ୍ତ ଭାରତୀୟ ସେନା ପାକିସ୍ତାନ ଓ ପିଓକେରେ ୯ଟି ଆତଙ୍କବାଦୀ ଶିବିର ଉପରକୁ ବୋମାବର୍ଷା କରି ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଥିଲା। ଭାରତୀୟ ବାୟୁ ସେନା ପାକିସ୍ତାନର ୧୩ଟି ବାୟୁସେନା ଘାଟି ସମେତ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିଥିଲା। 

ସେହିପରି ମେ ୧୦ ତାରିଖରେ ଭାରତ ଜବାବି କାର୍ଯ୍ୟାନୁଷ୍ଠାନରେ ଏକ ଚୀନ୍ ନିର୍ମିତ ଏଲୱାଇ-୮୦ ଫାୟାର ରଡାର, ଦୁଇଟି ଆମେରିକା ନିର୍ମିତ ସ୍ୱଚାଳିତ ଟ୍ରାକିଙ୍ଗ ରାଡାର ଏଏନ/ଟିପିକ୍ୟୁ ୪୩ ଓ ଚକଲାଲାରେ ଚୀନ୍ ନିର୍ମିତ ଏଚକ୍ୟୁ-୯ ରଡାରର ଏକ ଫାୟାର ୟୁନିଟ୍ କୁ ନଷ୍ଟ କରିଦେଇଛି। ରିପୋର୍ଟରୁ ଏହା ବି ଜଣାପଡିଛି ଯେ ଭାରତୀୟ ବାୟୁ ସେନା ପାକିସ୍ତାନୀ ଏୟାରବେସ୍ ଉପରେ ୧୯ଟି ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ ମିସାଇଲ ମାଡ଼ କରିଥିଲା। ଏହା ସହିତ ସେତିକି ସଂଖ୍ୟକ ଫ୍ରାନ୍ସ ନିର୍ମିତ ସ୍କାଲପ୍ ସବସୋନିକ୍ କ୍ରୁଜ ମିସାଇଲରେ ମଧ୍ୟ ଆକ୍ରମଣ କରିଥିଲା। 

ଏହାର ଜବାବରେ ପାକିସ୍ତାନ ଜେଏଫ-୧୭ ଯୁଦ୍ଧ ବିମାନ ଦ୍ୱାରା ଏକ ଭାରତୀୟ ବିମାନ ଘାଟିକୁ ଲକ୍ଷ୍ୟ କରି ସିଏମ-୪୦୦ ଏକେଜି ଏୟାରଲଞ୍ଚ ସୁପରସୋନିକ ମିସାଇଲ ଆକ୍ରମଣ କରିଥିଲା। ତେବେ ଏଥିଯୋଗୁ ବାୟୁସେନା ଘାଟିର କୌଣସି କ୍ଷୟକ୍ଷତି ହୋଇ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.