ପାକିସ୍ତାନ ଓ ଚୀନକୁ ଜବାବ ଦେବାକୁ ପ୍ରସ୍ତୁତ ବାୟୁସେନାର ‘ସୂର୍ଯ୍ୟା’ ରାଡାର, ଆକାଶରେ ନଷ୍ଟ କରିଦେବ ଷ୍ଟିଲଥ୍ ବିମାନ

Published By : Prameya-News7 Bureau | May 28, 2025 IST

ନୂଆଦିଲ୍ଲୀ ୨୮।୫:   ଶତ୍ରୁ ଯେତେବେଳେ ଯୋଜନା କରୁଥାଏ ଭାରତ ସେତେବେଳକୁ ତାର କାଟ୍ ଖୋଜି କାଢି ସାରିଥାଏ। ଚୀନ୍ ଏବେ ପାକିସ୍ତାନକୁ ଷ୍ଟିଲଥ ଫାଇଟର ଜେଟ୍ ଦେବାକୁ ଯୋଜନା କରୁଛି। ହେଲେ ତା ପୂର୍ବରୁ ଭାରତ ଦୁଇ ଶତ୍ରୁ ଦେଶଙ୍କ ଟ୍ରିଟମେଣ୍ଟ କରିଦେଇଛି। ଭାରତ ସୂର୍ଯ୍ୟା ରାଡାର ତିଆରି କରିଛି, ଏହା ଷ୍ଟିଲଥ ବିମାନ ଓ ରକେଟର ମୁକାବିଲା କରିବାକୁ ସକ୍ଷମ ହୋଇଥିବ ବେଳେ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ବିକଶିତ  ହୋଇଛି। 

ସୂଚନା ମୁତାବକ ସୂର୍ଯ୍ୟା ରାଡାର (ଆଣ୍ଟି ଷ୍ଟିଲଥ୍ ରାଡାର) ଭାରତରେ ନିର୍ମିତ ଏପରି ପ୍ରଥମ ସ୍ୱଦେଶୀ ରାଡାର ଯାହା ଆମେରିକାର ଏଫ-୨୨, ଏଫ-୩୫ ଷ୍ଟିଲଥ୍ ବିମାନ ସହିତ ଚୀନ୍ ର ଜେ-୨୦ ଓ ଜେ-୩୫ ବିମାନକୁ ଆକାଶରେ ଧରି ନଷ୍ଟ କରିଦେଇ ପାରିବ। ଭାରତର ଏହାର ୬ ୟୁନିଟ୍‌ ପ୍ରସ୍ତୁତ କରିଛି। ଏ ଗୁଡିକୁ ଆତ୍ମ ନିର୍ଭର ଭାରତ ଯୋଜନାରେ ପ୍ରସ୍ତୁତ କରାଯାଇଛି। ସୂଚନା ଅନୁସାରେ ସୂର୍ଯ୍ୟା ରାଡାର ଏକ ମୋବାଇଲ, ସଲିଡ ଷ୍ଟେଟ୍ ଥ୍ରୀ-ଡି ରାଡାର ସିଷ୍ଟମ ଯାହା ଷ୍ଟିଲଥ ଏୟାରକ୍ରାଫ୍ଟ ଓ ସ୍ୱଳ୍ପ ଦୂରତାରେ ଥିବା ଟାର୍ଗେଟ୍ କୁ ଆକାଶରେ ବିନାଶ କରିବାକୁ ତିଆରି ହୋଇଛି। 

ଏହା ଭିଏଚଏଫ ବ୍ୟାଣ୍ଡରେ ସଞ୍ଚାଳିତ ହୋଇଥାଏ, ଯାହା ରାଡାରକୁ ସେହି ସବୁ ଲକ୍ଷ୍ୟ ଗୁଡିକୁ ଚିହ୍ନଟ କରାଇଥାଏ ଯେଉଁଗୁଡିକ ସାଧାରଣତଃ ଅନ୍ୟ ରାଡାରରୁ ବର୍ତ୍ତି ଯାଇଥାନ୍ତି। ଏହି ୨ ବର୍ଗ ମିଟର ରାଡାର କ୍ରସ ସେକ୍ସନ ଲକ୍ଷ୍ୟକୁ ୩୬୦ କିଲୋମିଟର ଦୂରରେ ଚିହ୍ନଟ କରି ଧରିପକାଏ। ଏହା ଛଡା ଶତ୍ରୁର ଲକ୍ଷ୍ୟ ସୀମାକୁ ମଧ୍ୟ ସହଜରେ ଜାଣି ଯାଇଥାଏ। ଟ୍ରାକ୍ କରିବା ପରେ ଭାରତୀୟ ସେନାକୁ ଷ୍ଟିୟରିଂ ମୋଡରେ ଆଲର୍ଟ ବି କରିପାରେ। ପ୍ରତିରକ୍ଷା ମନ୍ତ୍ରାଳୟ ସୂଚନା ଅନୁସାରେ ପାକିସ୍ତାନକୁ ଷ୍ଟିଲଥ ଫାଇଟର ଜେଟ୍ ମିଳିବା ସୂଚନା ଅନୁସାରେ ରାଡାର ମୂତୟନର ଯୋଜନା ଚାଲିଛି। 

ଅପରେସନ ସିନ୍ଦୂର ପରେ ସୂର୍ଯ୍ୟାରାଡାର ଡେଲିଭରି ତ୍ୱରାନ୍ୱିତ କରାଯାଇଛି। ସୂର୍ଯ୍ୟା ରାଡାର କେବଳ ସମ୍ମୁଖରୁ ନୁହେଁ ଶତ୍ରୁ ଯଦି ଛପି ରହି ଆକ୍ରମଣ କରିବାକୁ ଯୋଜନା କରିଥାଏ ତାକୁ ଖୋଜି ଟାର୍ଗେଟ୍ କରିପାରେ। କେବଳ ଏତିକି ନୁହେଁ ବିପଦ ନେଇ ପୂର୍ବରୁ ସୈନିକଙ୍କୁ ସତର୍କ ମଧ୍ୟ କରିପାରେ। ସୂର୍ଯ୍ୟା ରାଡାରର ପ୍ରଥମ ଲୁକ୍ ଏରୋ ଇଣ୍ଡିଆ ୨୦୨୫ରେ ସାମ୍ନାକୁ ଆସିଥିଲା ଓ ଏହି ପ୍ରଦର୍ଶନୀ ମାଧ୍ୟମରେ ଭାରତ ନିଜର ଶକ୍ତି ସମ୍ପର୍କରେ ସାରା ବିଶ୍ୱକୁ   ଜଣାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.