ଚୀନ୍‌ରେ ଏଚ୍‌କେୟୁ୫-କୋଭ୍‌-୨ ଭାଇରସ ଆତଙ୍କ: ବାଦୁଡି ଠାରେ ଚିହ୍ନଟ, ମଣିଷ ମଧ୍ୟରେ ବ୍ୟାପିବ

Published By : Prameya-News7 Bureau | June 07, 2025 IST

ନୂଆଦିଲ୍ଲୀ ୦୭/୦୬:  କରୋନା ପରେ ଚୀନ୍‌ରେ ଏକ ନୂଆ ଭାଇରସ୍‌  ମିଳିଛି । ଆମେରିକୀୟ ବୈଜ୍ଞାନିକମାନେ ଚେତାବନୀ  ଦେଇଛନ୍ତି, ଏଚ୍‌କେୟୁ୫-କୋଭ୍‌-୨ ନାମକ ଏହି  ଭାଇରସ୍‌ ମଣିଷକୁ ସଂକ୍ରମିତ କରିପାରେ । ଏବେ  ବାଦୁଡ଼ିଙ୍କଠାରେ ଏହି ଭାଇରସ୍‌ ଚିହ୍ନଟ ହୋଇଛି । କିନ୍ତୁ ଛୋଟ ମ୍ୟୁଟେସନ୍‌ (ପରିବର୍ତ୍ତନ) ପରେ ଏହା  ମଣିଷ ମଧ୍ୟରେ ବ୍ୟାପିଯିବ । ମର୍ସ (ମିଡିଲ ଇଷ୍ଟ୍‌  ରେସ୍ପରେଟୋରୀ ସିଣ୍ଡ୍ରୋମ୍‌) ସହ ଏହି ଭାଇରସ୍‌ର  ସାମଞ୍ଜସ୍ୟ ରହିଛି ।  

ଚୀନ୍‌ର ଦକ୍ଷିଣ ଓ ପୂର୍ବ କ୍ଷେତ୍ରରେ ସର୍ବପ୍ରଥମେ  ଏହି ଭାଇରସ୍‌କୁ ବାଦୁଡ଼ିଠାରେ ଚିହ୍ନଟ କରାଯାଇଥିଲା ।  ଏହାକୁ ଉହାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିର  ଗବେଷକମାନେ ଆବିଷ୍କାର କରିଥିଲେ । ଏହି ଲାବ୍‌ରୁ  କୋଭିଡ୍‌-୧୯ ଭାଇରସ୍‌ ବ୍ୟାପିଥିବାର ଆଶଙ୍କା  କରାଯାଏ । ଏସିଆ, ସିଙ୍ଗାପୁର, ହଂକଂ, ଚୀନ୍‌,  ଥାଇଲାଣ୍ଡ ଓ ଭାରତରେ କରୋନା ଭାଇରସ୍‌ ମାମଲା  ଦ୍ରୁତ ବଢୁଥିବାବେଳେ ଏହି ଖବର ଚିନ୍ତା ବଢ଼ାଇଛି ।  

also read..

ହୁ ହୁ ବଢୁଛି କରୋନା ସଂକ୍ରମଣ: ସକ୍ରିୟ ମାମଲା ୫୭୦୦ ପାର୍, ୪ ମୃତ

କେବଳ ଭାରତରେ ସକ୍ରିୟ କରୋନା ରୋଗୀଙ୍କ  ସଂଖ୍ୟା ୫ ହଜାରରୁ ଅଧିକ ।  ଏଚ୍‌କେୟୁ୫-କୋଭ୍‌-୨ ଭାଇରସ୍‌ ମର୍ବେକୋ  ଭାଇରସ୍‌ ସମୂହର ଅଂଶ । ଏଥିରେ ମିଡିଲ ଇଷ୍ଟ୍‌  ରେସ୍ପିରେରେଟୋରୀ ସିଣ୍ଡ୍ରୋମ (ମର୍ସ-କୋଭ୍‌) ଭଳି  ଘାତକ ଭାଇରସ୍‌ ରହିଛି । ମର୍ସ-କୋଭ୍‌ ମୁଖ୍ୟତଃ ବାଦୁଡ଼ିଙ୍କଠାରେ ଦେଖିବାକୁ ମିଳେ । ଏହା ଓଟଙ୍କ  ଜରିଆରେ ମଣିଷଙ୍କ ମଧ୍ୟରେ ବ୍ୟାପେ । ଓଟକୁ  ଏହାର ସଂରକ୍ଷକ (ଯେଉଁଠି ନିଷ୍କ୍ରିୟ ଭାଇରସ୍‌  ରହନ୍ତି) କୁହାଯାଏ । ମର୍ସ ପ୍ରଥମ ଥର ୨୦୧୨ରେ  ସାଉଦି ଆରବରେ ସାମ୍ନାକୁ ଆସିଥିଲା । ମର୍ସର ମୃତ୍ୟୁ  ହାର ହାରାହାରି ୩୪ ପ୍ରତିଶତ ଅଧିକ ।

ଅର୍ଥାତ୍‌  ତିନି ଜଣଙ୍କ ମଧ୍ୟରେ ଜଣେ ସଂକ୍ରମିତ ବ୍ୟକ୍ତିଙ୍କ  ମୃତ୍ୟୁ ହୁଏ । ୱାଶିଂଟନ୍‌ ଷ୍ଟେଟ୍‌ ବିଶ୍ୱବିଦ୍ୟାଳୟର  ଗବେଷକମାନେ ଏଚ୍‌କେ୫ ଭାଇରସ୍‌ର ଅଧ୍ୟୟନ  କରିଥିଲେ । ନେଚର୍‌ କମ୍ୟୁନିକେସନ୍‌ସ ପତ୍ରିକାରେ  ଏହାର ଫଳ ପ୍ରକାଶ ପାଇଛି । ବୈଜ୍ଞାନିକମାନେ  ଜାଣିବାକୁ ପାଇଲେ, ଏଚ୍‌କେୟୁ୫-କୋଭ୍‌-୨ର ଏକ  ପ୍ରକାର ‘ଲାଇନେଜ୍‌ ୨’ ପୂର୍ବରୁ ହିଁ ମଣିଷ କୋଷିକାକୁ  ସଂକ୍ରମିତ କରିବାରେ ସକ୍ଷମ । ଭାଇରସ୍‌ର ସ୍ପାଇକ୍‌  ପ୍ରୋଟିନ୍‌ରେ ଏକ ଛୋଟ ପରିବର୍ତ୍ତନ ତାକୁ ମାନବ  ଏସିଇ୨ କୋଷିକାଗୁଡ଼ିକ ସହ ଯୋଡ଼ିବାରେ ସକ୍ଷମ  କରିପାରେ, ଯାହା ଲୋକଙ୍କ ଗଳା, ମୁହଁ ଓ ନାକରେ  ମିଳନ୍ତି ।  

ଏଚ୍‌କେୟୁ୫-କୋଭ୍‌-୨ ଏବେ କେବଳ  ବାଦୁଡ଼ିଙ୍କ ମଧ୍ୟରେ ବ୍ୟାପୁଛି । ମଣିଷଙ୍କ ମଧ୍ୟରେ ଏହା ବ୍ୟାପିବାର କୌଣସି ପ୍ରମାଣ ନାହିଁ । ତେବେ,  ବିଶେଷଜ୍ଞଙ୍କର ଭୟ ଯେ ଚୀନ୍‌ରେ ବେପରୁଆ  ବନ୍ୟଜୀବ ବ୍ୟବସାୟ ଯୋଗୁ ଏହାର ପ୍ରସାର ବିପଦ  ବଢ଼ିଛି । ବୈଜ୍ଞାନିକମାନେ ସ୍ୟୁଡୋଭାଇରସ୍‌ (ନକଲି  ଭାଇରସ୍‌) ପ୍ରସ୍ତୁତ କରି ପ୍ରୟୋଗ କଲେ, ଯେଉଁଥିରେ  ଏଚ୍‌କେୟୁ୫ର ସ୍ପାଇକ୍‌ ପ୍ରୋଟିନ୍‌ ଉପଯୋଗ  କରାଗଲା । ଏଥିରୁ ଜଣାପଡ଼ିଲା, ଭାଇରସ୍‌ ବାଦୁଡ଼ିଙ୍କ  କୋଷିକାଗୁଡ଼ିକୁ ସହଜରେ ସଂକ୍ରମିତ କରେ ଏବଂ  ସ୍ୱତନ୍ତ୍ର ମ୍ୟୁଟେସନ୍‌ ହେଲେ ମାନବ କୋଷିକାରେ ମଧ୍ୟ  ପ୍ରବେଶ କରିପାରେ । 

ଏଥିପାଇଁ ବାଦୁଡ଼ି ଓ ମଣିଷ  ମଧ୍ୟରେ କେବଳ ଏକ ମ୍ୟୁଟେସନ୍‌ ହିଁ ଆବଶ୍ୟକ ।  ଯଦି ଏହି ଭାଇରସ୍‌ ବାଦୁଡ଼ିଙ୍କଠୁ କୌଣସି  ଅନ୍ୟ ଜନ୍ତୁ ଯଥା-ମାଙ୍କଡ଼ କିମ୍ବା ସିଭେଟ୍‌ ପର୍ଯ୍ୟନ୍ତ  ପହଞ୍ଚିଯାଏ, ତେବେ ଏଥିରେ ମ୍ୟୁଟେସନ୍‌ ହେବ ।  ଏହା ପରେ ଭାଇରସ୍‌ ମଣିଷକୁ ସଂକ୍ରମିତ କରିବାରେ  ସକ୍ଷମ ହୋଇଯିବ । ବିଶେଷଜ୍ଞମାନେ ଚୀନ୍‌ ବଜାରରୁ  ମଧ୍ୟ ଏହି ଭାଇରସ୍‌ ମଣିଷଙ୍କ ମଧ୍ୟରେ ବ୍ୟାପିବାର  ଆଶଙ୍କା ବ୍ୟକ୍ତ କରିଛନ୍ତି । କାରଣ ସେଠାରେ ଜନ୍ତୁଙ୍କୁ  ଖୋଲା ଓ ଅତି ଖରାପ ସ୍ଥିତିରେ ରଖାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.