ନାବାଳିକାଙ୍କ ବେକରେ ଛୁରୀ ଲଗାଇ ଦୋକାନୀକୁ ଟଙ୍କା ମାଗିଲା ଯୁବକ, ପୋଲିସ କହିଲା...

NEWS7
new-corona-strain-at-florida

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟା ପ୍ରାୟ ୬ ଟା। ସେଲ୍ ଲାଗିଥିବାରୁ ଗୋଟିଏ ପୋଷାକ ଦୋକାନରେ ଲାଗିଥିଲା ଲୋକଙ୍କ ଖଚାଖଚ୍ ଭିଡ଼। ସମସ୍ତେ ନିଜ ମନ ପସନ୍ଦର ପୋଷାକ ବାଛିବାରେ ବ୍ୟସ୍ତ ଥା’ନ୍ତି। ଏହାରି ଭିତରେ ମୁଖାପିନ୍ଧି ଦୋକାନ ଭିତରକୁ ପଶିଗଲା ଜଣେ ଯୁବକ। ହାତରେ ଥିଲା ଧାରୁଆ ଛୁରୀ। କେହି କିଛି ବୁଝିବା ଆଗରୁ ପୋଷାକ କିଣୁଥିବା ଜଣେ ନାବାଳିକାକୁ ଛୁରୀ ଦେଖାଇ ବନ୍ଦୀ କରିଥିଲା ଯୁବକ। ମାଗିଥିଲା ଟଙ୍କା ଓ ବାଇକ୍। ଘଟଣାକୁ ଦେଖି ସେଠାରେ ଥିବା ସମସ୍ତେ ଡରିଯାଇଥିଲେ। ତେବେ ଅନେକ ଘଣ୍ଟାର କସରତ ପରେ ଶେଷରେ ପୋଲିସ ଏହି ଯୁବକଙ୍କୁ କାବୁ କରିଥିଲା ପୋଲିସ ।

ସୂଚନା ଅନୁସାରେ, ବିଜନୌର ଜିଲ୍ଲାର ନଜୀବାବାଦ ସହରରେ ବୁଧବାର ସନ୍ଧ୍ୟାରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଥିଲା। ସ୍ଥାନୀୟ ମାର୍କେଟରେ ଥିବା ଏକ ପୋଷାକ ଦୋକାନରେ ସେଲ୍ ଚାଲିଥିବା ସମୟରେ ଜଣେ ଦୁର୍ବୃତ୍ତ ନାବାଳିକାକୁ ଛୁରୀ ଦେଖାଇ ବନ୍ଦୀ କରିଥିଲା। ଘଟଣା ସନ୍ଧ୍ୟା ପ୍ରାୟ ୭ଟା ବେଳେ ଘଟିଥଲା। ନାବାଳିକା ନିଜ ସାଙ୍ଗ ସହ ସେଠାକୁ ଯାଇଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଦୁଇ ନାବାଳିକା ସେଲ୍ ଲାଗିଥିବା ଦୋକାନରେ ପୋଷାକ ଦେଖୁଥିଲେ। ଏତିକିବେଳେ ହଠାତ ଜଣେ ମୁଖାପିନ୍ଧା ଯୁବକ ସେଠାରେ ପହଞ୍ଚିଥିଲା ଆଉ ଗୋଟିଏ ଝିଅର ବେକର ଛୁରୀ ଲଗାଇଥିଲା। ଯୁବକ ଝିଅଟିକୁ ଜୀବନରୁ ମାରିଦେବା ଧମକ ଦେଇ ଟଙ୍କା ମାଗିବା ଆରମ୍ଭ କରିଥିଲା। ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା। ଦୋକାନୀଙ୍କ ଚିତ୍କାର ଶୁଣି ଲୋକେ ମଧ୍ୟ ସେଠାରେ ଜମା ହୋଇଥିଲେ।

ଭିଡ଼ ଯୁବକକୁ ଧରିବାକୁ ଚେଷ୍ଟା କରିଥିଲେ। ମାତ୍ର ଯୁବକ ଜଣ ଛୁରୀ ଦେଖାଇ ଏଭଳି କରିବାକୁ ମନା କରିଥିଲା। ଏମିତିକି ଯଦି ଆଗକୁ ବଢ଼ିବେ ତେବେଳ ଝିଅଟିକୁ ମାରିଦେବ ବୋଲି ଧମକ ଦେଇଥିଲା। ଖାଲି ସେତିକି ନୁହେଁ ଯୁବକ ଜଣକ ୧ ଲକ୍ଷ ଟଙ୍କା ଏବଂ ବାଇକ ମଧ୍ୟ ଦାବି କରିଥିଲା। ତେବେ ସ୍ଥିତି ବିଗିଡ଼ିବାର ଦେଖି ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା। ନୂଆବର୍ଷ ଯୋଗୁ ପୋଲିସ ଆଲର୍ଟରେ ଥିବାରୁ ସଙ୍ଗେ ସଙ୍ଗେ ବଡ଼ ସଂଖ୍ୟାରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।

ପୋଲିସ ପ୍ରଥମେ ଯୁବକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ଯୁବକ ଜଣକ ଝିଅଟିକୁ ଛାଡ଼ିବାକୁ ମନା କରିଥିଲା। ଏମିତିରେ ପୋଲିସ ସତର୍କତାର ସହ ଯୁବକଙ୍କୁ କାବୁ କରିଥିଲା। ଛୁରୀଟିକୁ ଛଡ଼ାଇ ଝିଅଟିକୁ ସୁରକ୍ଷିତ ଉଦ୍ଧାର କରିଥିଲା। ଏହା ପରେ ଅଭିଯୁକ୍ତ ଯୁବକକୁ ହେପାଜତକୁ ନେଇଥିଲା।

ନଜୀବାବାଦ ସିଓ ନିତେଶ ପ୍ରତାପ ସିଂହ କହିଛନ୍ତି ଧରାପଡ଼ିଥିବା ଯୁବକ ବାରାବଙ୍କୀ ଜିଲ୍ଲାର ଅଜିତ। ପ୍ରାଥମିକ ପଚରାଉଚୁରାରେ ଯୁବକର ବ୍ୟବହାର ଅସାମାନ୍ୟ ଜଣାପଡ଼ିଥିଲା। ଅଭିଯୁକ୍ତର କହିବା ଅନୁସାରେ ସେ ବାହାରେ ରହି ବ୍ୟଥିତ ହୋଇପଡ଼ିଥିଲା। ଆଉ ଜେଲ୍ ଯିବାକୁ ଚାହୁଥିଲା। ଏଥିପାଇଁ ଏଭଳି କରିଥିଲା।

ତେବେ ବର୍ତ୍ତମାନ ପୋଲିସ ଅଭିଯୁକ୍ତକୁ ଅଧିକ ପଚରାଉଚୁରା କରୁଛି ଏବଂ ତା’ର ଅପରାଧିକ ପୃଷ୍ଠଭୂମିର ମଧ୍ୟ ଯାଞ୍ଚ କରୁଛି। ଏହା ମଧ୍ୟ ଯାଞ୍ଚ କରାଯାଉଛି ଯେ, ସେ ବାରାବଙ୍କୀରୁ ନଜୀବାବାଦ କାହିଁକି ଆସିଥିଲା ? ଆଉ ଏହି ଘଟଣା ପଛରେ ତା’ର ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା।