କଟକ ୨୬।୦୩ : ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ୍ ଟଣ୍ଟନ । ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ୍ ଟଣ୍ଡନ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ କେ. ହରିବାବୁ କମ୍ଭମ୍ପତି। ଏହି ଅବସରରେ ହାଇକୋର୍ଟରେ ବରିଷ୍ଠ ବିଚାରପତି, ମୁଖ୍ୟମନ୍ତ୍ରୀ ଏବଂ ଆଇନ୍ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଜଷ୍ଟିସ ଟଣ୍ଡନଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି କରାଯାଇଥିଲା । ସୁପ୍ରିମକୋର୍ଟଙ୍କ କଲେଜିୟମ ଗତ ୬ ତାରିଖରେ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ। କେନ୍ଦ୍ର ସରକାରଙ୍କ ସହମତି ପରେ ରାଷ୍ଟ୍ରପତି ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଏହା ପୂର୍ବରୁ କଲିକତା ହାଇକୋର୍ଟରେ ବରିଷ୍ଠ ବିଚାରପତି ଥିଲେ ଜଷ୍ଟିସ ଟଣ୍ଡନ। ଗତ ଜାନୁଆରୀ ୧୯ ରୁ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଓଡିଶା ହାଇକୋର୍ଟରୁ ଅଵସର ନେବା ପରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀ ଖାଲି ରହିଥିଲା। ସେବେଠାରୁ ଜଷ୍ଟିସ ଅରିନ୍ଦମ ସିହ୍ନା କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ।
୧୯୬୪ ମସିହା ନଭେମ୍ବର ୧୬ ରେ ଜଷ୍ଟିସ ଟଣ୍ଡନଙ୍କର ଜନ୍ମ। ୧୯୮୩ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ ପରେ ୧୯୮୯ ରେ ସେହି ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ। ସେହିବର୍ଷ ସେପ୍ଟେମ୍ବର ୨୬ ରେ ଓକିଲ ଭାବେ ନାମ ପଞ୍ଜିକରଣ କରି ସେ ପ୍ରାକ୍ଟିସ ଆରମ୍ଭ କରିଥିଲେ। ଦେୱାନି ମାମଲା ପରିଚାଳନାରେ ସେ ସିଦ୍ଧହସ୍ତ। ୨୦୧୦ ଏପ୍ରିଲ ୧୩ ତାରିଖରେ କଲିକତା ହାଇକୋର୍ଟରେ ତାଙ୍କୁ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ସେବେଠାରୁ ସେ କଲିକତା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରି ଅନେକ ଦୃଷ୍ଟାନ୍ତମୂଳକ ରାୟ ପ୍ରଦାନ କରିଛନ୍ତି। ଜଷ୍ଟିସ ହରିଶ ଟଣ୍ଡନଙ୍କ ଓଡିଶା ହାଇକୋର୍ଟରେ ଯୋଗଦାନ ପରେ ବିଚାରପତିଙ୍କ ସଂଖ୍ୟା ୧୯ରେ ପହଁଚିଛି।