ବଲାଙ୍ଗୀର ୧୦।୦୪ : ବଲାଙ୍ଗୀରରୁ ପୁଣି ଆସିଲା ଶିଶୁ ବିକ୍ରି ଅଭିଯୋଗ। ଏଭଳି ଏକ ଘଟଣା ବଲାଙ୍ଗୀର ସହର ମାଲପଡାରେ ଘଟିଛି। ଜଣେ ମହିଳା ୨୦ ହଜାର ଟଙ୍କାରେ ଶିଶୁକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି । ଅନୈତିକ ସମ୍ପର୍କ ଓ ଅଭାବ ଅନଟନ ପାଇଁ ମହିଳା ଜଣଙ୍କ ଶିଶୁକୁ ବିକ୍ରି କରଦେଇଥିବା ସନ୍ଦେହ କରାଯାଉଛି । ମହିଳା ଜଣଙ୍କ ସ୍ବାମୀଙ୍କ ମୃତ୍ୟୁ ୨ ବର୍ଷ ପୂର୍ବରୁ ହୋଇଯାଇଛି ।
ଗତ ୬ ତାରିଖରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଘରମାଲିକ ମହିଳାଙ୍କୁ ପ୍ରସୂତି ବିଭାଗରେ ଭର୍ତି କରିଥିଲେ । ସେଠାରେ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ପରେ ମହିଳା ଜଣଙ୍କ କାଲି ସେହି ଶିଶୁକୁ ଟିଟିଲାଗଡ଼ର ଜଣେ ମହିଳାଙ୍କୁ ବିକି ଦେଇଥିଲେ । ଏହାନେଇ ଖବର ଆସିବା ପରେ ସିଡବ୍ଲୁସି ଓ ଚାଇଲଡ଼ ଲାଇନର କର୍ମଚାରୀମାନେ ମହିଳାଙ୍କ ଘରକୁ ଯାଇଥିଲେ। ସେଠାରେ ଦୀର୍ଘ ସମୟ ଧରି ପଚରାଉଚୁରା ପରେ ମହିଳା ଜଣକ ଶିଶୁପୁତ୍ରକୁ ବିକି ଦେଇଥିବା ମାନିଥିଲେ। ଏନେଇ ବଲାଙ୍ଗୀର ଶିଶୁ ସୁରକ୍ଷା ଆୟୋଗ, ସିଡବ୍ଲୁସି, ସିଡିପିଓ ଙ୍କ ସହ ନିଜେ ଅତିରିକ୍ତ ଜିଲ୍ଲାପାଳ ଘଟଣାର ତଦନ୍ତ କରୁଛନ୍ତି।