ନୂଆଦିଲ୍ଲୀ ୨୬।୬: ବିଶ୍ୱରେ ଅଲଗା ପ୍ରକାରର ଏକ ବ୍ଲଡ ଗ୍ରୁପ ଥିବା ଜଣାପଡିଛି। ତେବେ ସବୁଠୁ ବଡ଼ କଥା ହେଉଛି ଏହି ବ୍ଲଡ ଗ୍ରୁପର ଏପର୍ଯ୍ୟନ୍ତ ବିଶ୍ୱରେ କେବଳ ଜଣେ ଜ୍ଞାତ ବ୍ୟକ୍ତି ମିଳିଛନ୍ତି। ଏପରି ବ୍ଲଡ ଗ୍ରୁପ ରୋଗୀ ନିମନ୍ତେ ଅନ୍ୟ ୪୭ ରକ୍ତ ସମୂହ ମ୍ୟାଚ୍ କରୁନଥିବା ଜଣାପଡିଛି। ଫ୍ରାନ୍ସ ଗବେଷକ (ଇଏଫଏସ) ଏହି ଅଲଟ୍ରା ରେୟାର ଅର୍ଥାତ ବିରଳରୁ ବିରଳତମ ବ୍ଲଡ ଗ୍ରୁପ ବୋଲି କହିଛନ୍ତି, ଯାହା ଗୁଆଡେଲୁପିୟନ ମହିଳାଙ୍କଠାରେ ମିଳିଛି।
ଗବେଷକଙ୍କ କହିବା କଥା ହେଉଛି ଏହା ବିଶ୍ୱରେ ଏ ପର୍ଯ୍ୟନ୍ତ ଖୋଜା ଯାଇଥିବା ୪୮ତମ ବ୍ଲଡ ଗ୍ରୁପ। ବ୍ଲଡଗ୍ରୁପ ଚିହ୍ନଟ ରକ୍ତ ଲଗାଇବା ଓ ଅଙ୍ଗ ପ୍ରତ୍ୟାରୋପଣ କାଳରେ ଅତ୍ୟନ୍ତ ଜରୁରି ହୋଇଥାଏ। ଏହା ଛଡା କେତେକ ଖାସ ପ୍ରକାରର ରୋଗ ଚିହ୍ନଟ ପାଇଁ ବ୍ଲଡ ଗ୍ରୁପ ସହାୟକ ହୋଇଥାଏ। ବ୍ଲଡ ଗ୍ରୁପ ଚିହ୍ନଟ କରି ଡାକ୍ତର ରକ୍ତଦାତା ଓ ରକ୍ତ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ପ୍ରଥମରୁ ବିପଦ ଆକଳନ କରିଥାନ୍ତି। ସାଧାରଣତଃ ଏ,ବି ଏବଂ ଓ ବ୍ଲଡ ଗ୍ରୁପ କୁ ଛାଡି ଦେଲେ ବିଶ୍ୱରେ ଅନେକ ବିରଳ ବ୍ଲଡ ଗ୍ରୁପ ରହିଛି।
ଫରାସୀ ସଙ୍ଗଠନ କହିଛି ଯେ ଏହି ବ୍ଲଡ ଗ୍ରୁପକୁ ଗ୍ୱାଡା ନେଗେଟିଭ ବା ‘ଜି ନେଗେଟିଭ’ ନାମ ଦିଆ ଯାଇଛି ଓ ଏ ପର୍ଯ୍ୟନ୍ତ ଏହି ମହିଳା ମିଳିଛନ୍ତି ଯାହାଙ୍କର ଏହି ବ୍ଲଡ ଗ୍ରୁପ ରହିଛି। ଏହି ବ୍ଲଡ ଗ୍ରୁପକୁ ଚିହ୍ନଟ କରିବାକୁ ୨୦୧୧ ମସିହାରେ ସେତେବେଳେ ଗବେଷଣା ଆରମ୍ଭ ହୋଇଥିଲା ଯେତେବେଳେ ମହିଳାଙ୍କୁ ରକ୍ତ ଦେବା ଜରୁରି ଥିଲା। ହେଲେ କୌଣସି ରକ୍ତଦାତାଙ୍କ ଗ୍ରୁପ ମହିଳାଙ୍କ ରକ୍ତ ସହ ମ୍ୟାଚ୍ କରିନଥିଲା। ଏଣୁ ଗବେଷକମାନେ ସ୍ୱଭାବିକ ପ୍ରକ୍ରିୟାରେ ମହିଳାଙ୍କ ହିମୋଗ୍ଲୋବିନ ବଢାଇବାକୁ ଉଦ୍ୟମ କରିଥିଲେ।
୮ ବର୍ଷର ଦୀର୍ଘ ଗବେଷଣା ଓ ଡିଏନଏ ସିକ୍ୱେନସିଂ ପରେ ୨୦୧୯ ମସିହାରେ ଏହାକୁ ନୂଆ ବ୍ଲଡ ଗ୍ରୁପ ରୂପେ ଚିହ୍ନଟ କରିଥିଲେ। ଏବେ ୧୪ ବର୍ଷ ପରେ ଏହି ବ୍ଲଡ ଗ୍ରୁପକୁ ମାନ୍ୟତା ମିଳିଛି। ଫରାସୀ ସଙ୍ଗଠନ ଇଏଫଏସ୍ ର ମେଡିକାଲ ବାୟୋଲଜିଷ୍ଟ କହିଛନ୍ତି ଯେ ୨୦୧୧ ମସିହାରେ ଯାଞ୍ଚ କରାଯିବା ବେଳେ ଏହି ମହିଳାଙ୍କ ରକ୍ତରେ ଅସାଧାରଣ ଆଣ୍ଟିବଡି ଥିବା ଜଣାପଡିଥିଲା। ୫୪ ବର୍ଷ ବୟଷ୍କା ଏହି ମହିଳାଙ୍କ ସର୍ଜରୀ କାଳରେ ମେଡିକାଲ ଟେଷ୍ଟ ବେଳେ ଏହି ବ୍ଲଡ ଗ୍ରୁପ ଚିହ୍ନଟ ହୋଇଥିଲା। ହେଲେ ବ୍ଲଡ ଗ୍ରୁପ ନ ମିଶିବାରୁ ମହିଳାଙ୍କ ଅପରେସନ ରୋକିବାକୁ ପଡିଥିଲା।
ଚିକିତ୍ସକଙ୍କ ଅନୁସାରେ ମହିଳାଙ୍କୁ ଏପରି ବ୍ଲଡ ଗ୍ରୁପ ତାଙ୍କ ମାତା ପିତାଙ୍କ ମ୍ୟୁଟେଡ ଜିନରୁ ମିଳିଥାଇପାରେ। ବିଶ୍ୱରେ ଏବିଓ ଗ୍ରୁପର ବିରଳ ଗ୍ରୁପର ଚିହ୍ନଟ କାମ ୧୯୦୦ ମସିହାରୁ ଆରମ୍ଭ ହୋଇଥିଲା।