ଜେରୁଜେଲମ ୨୭।୭: ଇସ୍ରାଏଲ ଓ ଗାଜା ମଧ୍ୟରେ ଗତ ୨୭ ମାସ ହେଲା ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ଲଗାତାର ଆକ୍ରମଣ ଯୋଗୁ ଗାଜାରେ ଏବେ ଅନାହାର ମୃତ୍ୟୁ ଭଳି ସମସ୍ୟା ଉପୁଜିଛି। ଏହି ପରିସ୍ଥିତିର ମୁକାବିଲା ନିମନ୍ତେ ଇସ୍ରାଏଲ ୨୭ ଜୁଲାଇ ରବିବାର ଏକ ବଡ଼ ଘୋଷଣା କରିଛି। ଏଥିରେ ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) କହିଛି ଯେ ସେ ଗାଜାର ୩ ଘନ ଜନବହୁଳ ଅଞ୍ଚଳରେ ଦୈନିକ ୧୦ ଘଣ୍ଟା ଯୁଦ୍ଧବିରାମ କରିବ।
ସେହିପରି ସେହି ସବୁ ଅଞ୍ଚଳରେ ଅନାହାରର ଶିକାର ଲୋକଙ୍କ ନିକଟକୁ ରିଲିଫ ସାମଗ୍ରୀ କିପରି ପହଞ୍ଚିବ ସେଥି ପାଇଁ ସୁରକ୍ଷିତ ରାସ୍ତା ମଧ୍ୟ ଦେବ। ଇସ୍ରାଏଲର ଏହି ଘୋଷଣା ଅର୍ଥ ହେଉଛି ଏହି ୧୦ ଘଣ୍ଟା କାଳରେ ସେହି ସବୁ ଅଞ୍ଚଳରେ ଇସ୍ରାଏଲ ପକ୍ଷରୁ କୌଣସି ପ୍ରକାରର ଆକ୍ରମଣ କରାଯିବ ନାହିଁ। ଗାଜାରେ ବଢୁଥିବା ଅନାହାର ମୃତ୍ୟୁ ଯୋଗୁ ଅନ୍ତର୍ଜାତୀୟ ସ୍ତରରେ ଇସ୍ରାଏଲର ହେଉଥିବା ସମାଲୋଚନା ଯୋଗୁ ଆଇଡିଏଫ ଏହି ପଦକ୍ଷେପ ନେଇଛି।
ଆଇଡିଏଫ ଏ ନେଇ ରବିବାର ଏକ ଅଧିକାରୀକ ବୟାନ ଜାରି କରିଛି। ଏହି ବୟାନରେ କୁହାଯାଇଛି ଯେ ଗାଜା ସିଟି, ଦ୍ୟର ଅଲ-ବଲାହ ଓ ମୁଭାସୀରେ ରଣନୈତିକ ଯୁଦ୍ଧବିରାମ ଆରମ୍ଭ କରିବ। ଏହି ୩ଟି ଅଞ୍ଚଳରେ ବହୁମାତ୍ରାରେ ପାଲେଷ୍ଟେନୀୟ ବସବାସ କରୁଛନ୍ତି। ଏଣୁ ଏହି ଅଞ୍ଚଳଗୁଡିକ ଲାଗି ମାନବୀୟ ସହାୟତାକୁ ବଢାଯିବ। ଆଇଡିଏଫର ବୟାନ ଅନୁସାରେ ଗାଜା ସିଟିରେ ସବୁଦିନ ସ୍ଥାନୀୟ ସମୟ ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ନିଜର ସାମରିକ କାର୍ଯ୍ୟାନୁଷ୍ଠାନ ରୋକିବ। ଏହି ରଣନୈତିକ ଯୁଦ୍ଧବିରାମ ରବିବାର ଠାରୁ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ।
ଆଇଡିଏଫ କହିଛି ଯେ ସେ ଏବେ ଏହି ୩ଟି ଅଞ୍ଚଳ ଉପରେ ଆଉ ଆକ୍ରମଣ କରିବ ନାହିଁ। ହେଲେ ଗତ କିଛି ସପ୍ତାହ ହେଲା ଇସ୍ରାଏଲୀ ସେନା ଏହି ସବୁ ଅଞ୍ଚଳ ଉପରେ ଭୀଷଣ ଆକ୍ରମଣ ଜାରି ରଖିଥିଲା। ଇସ୍ରାଏଲ ସେନା ବୟାନରେ ଏହି ସବୁ ଅଞ୍ଚଳକୁ ରିଲିଫ ପହଞ୍ଚାଇବା ପାଇଁ ସୁରକ୍ଷିତ ମାର୍ଗ ମଧ୍ୟ ନିଶ୍ଚିତ କରିବ। ଏହି ସବୁ ରାସ୍ତା ମାଧ୍ୟମରେ ରିଲିଫ ସାମଗ୍ରୀ ପହଞ୍ଚାଉଥିବା ଏଜେନ୍ସୀଙ୍କୁ ଖାଦ୍ୟ ସାମଗ୍ରୀ ଓ ଅନ୍ୟ ସହାୟତା ପହଞ୍ଚାଇବା ପାଇଁ ସହଯୋଗ ମିଳିବ।