୮୬.୧୮ ମିଟର ଥ୍ରୋ, ଏନ୍‌ସି କ୍ଲାସିକ୍ ଟାଇଟଲ୍ ଜିତିଲେ ଗୋଲ୍ଡେନ ବୟ ନୀରଜ ଚୋପ୍ରା

Published By : Prameya-News7 Bureau | July 05, 2025 IST

ନୂଆଦିଲ୍ଲୀ: ଦୁଇ ଥର ଅଲିମ୍ପିକ୍ସ ପଦକ ବିଜେତା ଓ ପୂର୍ବତନ ବିଶ୍ୱ ଚାମ୍ପିଅନ ନୀରଜ ଚୋପ୍ରା ରେକର୍ଡ କରିଛନ୍ତି । ଭାରତର ଜାଭେଲିନ୍ ଥ୍ରୋ ସୁପରଷ୍ଟାର ନୀରଜ ଚୋପ୍ରା ଶନିବାର ନୀରଜ ଚୋପ୍ରା କ୍ଲାସିକ୍ (ଏନ୍‌ସି କ୍ଲାସିକ୍)ର ପ୍ରଥମ ସିଜିନର ଟାଇଟଲ୍ ଜିତିଛନ୍ତି । ବେଙ୍ଗାଲୁରୁର କାନ୍ତିରଭା ଷ୍ଟାଡିୟମରେ ଅନୁଷ୍ଠିତ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ନୀରଜ ତାଙ୍କର କ୍ରମାଗତ ତୃତୀୟ ଟାଇଟଲ୍ ଜିତିଛନ୍ତି । ଏହା ପୂର୍ବରୁ ସେ ପ୍ୟାରିସ୍ ଡାଇମଣ୍ଡ ଲିଗ୍ ଏବଂ ପୋଲାଣ୍ଡର ଓଷ୍ଟ୍ରାଭାରେ ଗୋଲ୍ଡେନ ସ୍ପାଇକରେ ଟାଇଟଲ୍ ଜିତିଥିଲେ ।

ନୀରଜ ତାଙ୍କର ତୃତୀୟ ପ୍ରୟାସରେ ୮୬.୧୮ ମିଟର ଦୂରତା ସହିତ NC କ୍ଲାସିକ୍ ୨୦୨୫ ଟାଇଟଲ ଜିତିଛନ୍ତି  । ୨୦୨୫ ବିଶ୍ୱ ଚାମ୍ପିଅନ୍ କେନିଆର ଜୁଲିୟସ୍ ୟେଗୋ ୮୪.୫୧ ମିଟର ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଶ୍ରୀଲଙ୍କାର ରୁମେଶ ପାଥିରାଗେ ୮୪.୩୪ ମିଟର ସହ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

JSW ସ୍ପୋର୍ଟସ୍ ସହଯୋଗରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହାକୁ ଭାରତୀୟ ଆଥଲେଟିକ୍ସ ମହାସଂଘ (AFI) ଦ୍ୱାରା ଅନୁମୋଦିତ କରାଯାଇଥିଲା । ନୀରଜ ଚୋପ୍ରା କ୍ଲାସିକ୍ ପ୍ରତିଯୋଗିତାରେ ସାତ ଜଣ ଶ୍ରେଷ୍ଠ ଅନ୍ତର୍ଜାତୀୟ ଜାଭେଲିନ୍ ଥ୍ରୋଅର ସମେତ ୧୨ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ । ଚୋପ୍ରାଙ୍କ ସମେତ ପାଞ୍ଚ ଜଣ ଭାରତୀୟ ଖେଳାଳି ଏଥିରେ ଅଂଶଗ୍ରହଣ କରିଥିଲେ ।

ବିଶ୍ୱ ଆଥଲେଟିକ୍ସ NC କ୍ଲାସିକକୁ କ୍ଲାସ୍ A ମାନ୍ୟତା ଦେଇଛି । ଚୋପ୍ରା ଚଳିତ ବର୍ଷ ମେ ମାସରେ ୯୦ ମିଟର ଅତିକ୍ରମ କରିଥିଲେ । ଏନ୍‌ସି କ୍ଲାସିକ୍ ପୂର୍ବରୁ ସେ ୨୦୨୫ ଓଷ୍ଟ୍ରାଭା ଗୋଲ୍ଡେନ୍ ସ୍ପାଇକ୍‌ରେ ୮୫.୨୯ ମିଟରର ସର୍ବୋତ୍ତମ ପ୍ରୟାସ ସହିତ ଟାଇଟଲ ଜିତିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.