ନୂଆଦିଲ୍ଲୀ ୨୦/୦୮: ନାମାଙ୍କନ ଦାଖଲ କରିବେ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ । ତାଙ୍କ ପାଇଁ ପ୍ରସ୍ତାବକ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଏନଡିଏ । ରାଧାକ୍ରିଷ୍ଣନ ଅଗଷ୍ଟ ୨୦ ତାରିଖ ସକାଳ ୧୧ଟାରେ ତାଙ୍କର ନାମାଙ୍କନ ଦାଖଲ କରିବେ । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରସ୍ତାବକ ହେବେ ।
ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ । ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ସେପ୍ଟେମ୍ବର ୯ ତାରିଖରେ ସଂସଦ ଭବନରେ ଅନୁଷ୍ଠିତ ହେବ । ସେହି ଦିନ ରାତି ସୁଦ୍ଧା ଫଳାଫଳ ଘୋଷଣା କରାଯିବ ।
ସି.ପି. ରାଧାକ୍ରିଷ୍ଣନଙ୍କ ନାମାଙ୍କନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ମେଣ୍ଟର ପ୍ରାୟ ୧୬୦ ସାଂସଦ, ୨୦ ପ୍ରସ୍ତାବକ ଏବଂ ୨୦ ସମର୍ଥକ ଯୋଗଦେବେ। ରିଜିଜୁ କହିଛନ୍ତି ଯେ ମଙ୍ଗଳବାର ସଂସଦ ଭବନରେ ଅନୁଷ୍ଠିତ ଏନଡିଏ ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ରାଧାକ୍ରିଷ୍ଣନଙ୍କୁ ମେଣ୍ଟ ସାଂସଦଙ୍କ ସହ ପରିଚିତ କରାଇଥିଲେ । ତାଙ୍କୁ ସର୍ବସମ୍ମତି ସମର୍ଥନ ପାଇଁ ଅପିଲ୍ କରିଥିଲେ।
୨୦୨୪ ଜୁଲାଇରୁ ସେ ମହାରାଷ୍ଟ୍ର ରାଜ୍ୟପାଳ ଥିବା ବେଳେ, ଏହା ପୂର୍ବରୁ ୨୦୨୩ ଫେବ୍ରୁଆରୀରୁ ସେ ଝାଡ଼ଖଣ୍ଡର ରାଜ୍ୟପାଳ ବି ରହିଥିଲେ। ପୂର୍ବରୁ ତେଲେଙ୍ଗାନା ରାଜ୍ୟପାଳ ଏବଂ ପୁଡୁଚେରୀ ଉପରାଜ୍ୟପାଳ ଭାବରେ ମଧ୍ୟ ଅତିରିକ୍ତ ଦାୟିତ୍ବ ସମ୍ଭାଳିଥିଲେ ୬୭ ବର୍ଷୀୟ ସି.ପି. ରାଧାକ୍ରିଷ୍ଣନ୍। ରାଜନୈତିକ କ୍ୟାରିୟର କଥା ଦେଖିଲେ, ୧୯୫୭ ଅକ୍ଟୋବର ୨୦ରେ ତାମିଲନାଡୁ ତିରୁପୁରରେ ଜନ୍ମଗ୍ରହଣ କରିଥିବା ରାଧାକ୍ରିଷ୍ଣନ୍, ୧୯୯୮ରେ ପ୍ରଥମେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ କୋଏମ୍ବାଟୁରରୁ ୨ ଥର ସାଂସଦ ବନିଥିଲେ। ୨୦୦୩ରୁ ୨୦୦୬ ଯାଏଁ ସେ ତାମିଲନାଡୁ ବିଜେପି ସଭାପତି ଥିଲେ। ୧୬ ବର୍ଷ ବୟସରୁ RSS ଓ ଜନସଂଘ ସହ ଜଡ଼ିତ ଅଛନ୍ତି ସି.ପି. ରାଧାକ୍ରିଷ୍ଣନ୍।
NDA ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାଙ୍କ ନାଁରେ ମୋହର ମାରିଥିବା ବେଳେ ଆସନ୍ତା ୨୧ ତାରିଖ ରହିଛି ନାମାଙ୍କନର ଶେଷ ତାରିଖ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସେପ୍ଟେମ୍ବର ୯ରେ ହେବ ଭୋଟିଂ। ସେହିଦିନ ହିଁ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ସୂଚନା ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେପି ସଂସଦୀୟ ବୋର୍ଡ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗ ଦେଇଥିଲେ।