ନୂଆଦିଲ୍ଲୀ : NCERT (ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ) ‘ଅପରେସନ ସିନ୍ଦୂର’ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ପାଠ୍ୟକ୍ରମ ମଡ୍ୟୁଲ ପ୍ରସ୍ତୁତ କରିବାର ଘୋଷଣା କରିଛି, ଯାହାର ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କୁ ଭାରତର ସାମରିକ ଶକ୍ତି, ପ୍ରଯୁକ୍ତିବିଦ୍ୟାର ପ୍ରଗତି ଓ ରାଷ୍ଟ୍ରୀୟ ସୁରକ୍ଷାରେ ଯୋଗଦାନ ବିଷୟରେ ସଚେତନା କରିବା। ଏହି ମଡ୍ୟୁଲ ଦୁଇଟି ଭାଗରେ ବିଭାଜିତ ହେବ। ପ୍ରଥମ ମଡ୍ୟୁଲ ଶ୍ରେଣୀ ୩ରୁ ୮ମ ପର୍ଯ୍ୟନ୍ତ ଛାତ୍ରଙ୍କ ପାଇଁ ଓ ଦ୍ୱିତୀୟ ମଡ୍ୟୁଲ ଶ୍ରେଣୀ ୯ମ -୧୨ତମ ଛାତ୍ରଛାତ୍ରୀଙ୍କ ପାଇଁ ହେବ। ପ୍ରତି ମଡ୍ୟୁଲରେ ୮ରୁ ୧୦ ପୃଷ୍ଠା ଭିତରେ ' ଅପରେସନ ସିନ୍ଦୂର'ର ରଣନୀତି, ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଓ ସଫଳତାର କାହାଣୀକୁ ଖୁବ୍ ରୋଚକପୂର୍ଣ୍ଣ ଓ ପ୍ରେରଣାଦାୟୀ ଭବେ ପ୍ରସ୍ତୁକ କରାଯିବ।
ଉକ୍ତ ପାଠ୍ୟକ୍ରମରେ ଅନ୍ୟ ପ୍ରମୁଖ ବିଷୟ ଗୁଡ଼ିକରେ ମିଶନ ଲାଇଫ୍ (ପରିବେଶ ପ୍ରତି ସଚେତନତା ଓ ଜୀବନଶୈଳୀରେ ପରିବର୍ତ୍ତନ), ଭାରତର ବୈଜ୍ଞାନିକ ଉପଲବ୍ଧି , ଚନ୍ଦ୍ରଯାନ ମିଶନର ସଫଳତା ଏବଂ ଆକ୍ସିଓମ-୪ ସ୍ପେସ୍ ମିଶନ ରେ ଶୁଭାଂଶୁ ଶୁକ୍ଳାଙ୍କ ଭୂମିକା ଅନ୍ତର୍ଭୁକ୍ତ ହେବ।
ଭାରତୀୟ ସେନା ମଧ୍ୟ ‘ଅପରେସନ ସିନ୍ଦୂର’ର ସଫଳତାକୁ ଜାଗ୍ରତ କରିବା ପାଇଁ ସାରା ଦେଶରେ ଶିକ୍ଷା ସଂସ୍ଥା ଗୁଡ଼ିକରେ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଆରମ୍ଭ କରିଛି, ଯେଉଁଥିରେ ବରିଷ୍ଠ ସାମରିକ ଅଧିକାରୀ ଛାତ୍ରଛାତ୍ରୀଙ୍କ ସହ ଭିଡ଼ିଓ ଫୁଟେଜ୍ ଓ ପ୍ରତ୍ୟକ୍ଷ ଅନୁଭବ ସେୟାର କରୁଛନ୍ତି। ଏହି ପ୍ରୟାସ ଛାତ୍ରଛାତ୍ରୀଙ୍କୁ ଭାରତର ସାମରିକ ରଣନୀତି ଓ ଟେକ୍ନୋଲଜିର ପ୍ରଗତିରେ ଅବଗତ କରାଇବା ସହ ସେମାନଙ୍କୁ ଦେଶର ସୁରକ୍ଷାରେ ଯୋଗଦାନ ପାଇଁ ପ୍ରେରିତ ମଧ୍ୟ କରିବ।
କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁସାରେ , ଅପରେସନ ସିନ୍ଦୂରକୁ ଏନସିଆରଟି ପାଠ୍ୟକ୍ରମରେ ସାମିଲ କରିବା ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମ ଓ ଜାତୀୟ ଗର୍ବର ଭାବନାକୁ ପ୍ରୋତ୍ସାହିତ କରାଯିବ। ଉତ୍ତରାଖଣ୍ଡ ମଦ୍ରାସା ବୋର୍ଡ ମଧ୍ୟ ନିକଟରେ ଘୋଷଣା କରିଥିଲା ଯେ, ରାଜ୍ୟର ମଦ୍ରାସା ଗୁଡିକରେ ଅପରେସନ ସିନ୍ଦୂରକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ , ଯାହାକି ଛାତ୍ରଛାତ୍ରୀଙ୍କୁ ଭାରତୀୟ ସେନାର ବୀରତ୍ୱ ଓ ବଳିଦାନ ବିଷୟରେ ସୂଚନା ମିଳି ପାରିବ।