ମୁମ୍ବାଇ ୧୯।୩: ରେମଣ୍ଡ ଲିମିଟେଡର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଗୌତମ ସିଂଘାଣିଆଙ୍କଠାରୁ ପୃଥକ ରହୁଥିବା ପତ୍ନୀ ନୱାଜ ମୋଦି ସିଂଘାଣିଆ ବୁଧବାର କମ୍ପାନୀର ବୋର୍ଡ ଅଫ ଡାଇରେକ୍ଟର୍ସ ରୁ ଇସ୍ତଫା ଦେଇଛନ୍ତି। କମ୍ପାନୀ ପକ୍ଷରୁ ଜାରି ଏକ ବୟାନରେ ଏହି ସୂଚନା ଦିଆଯାଇଛି। ରେମଣ୍ଡ ଲିମିଟେଡ କମ୍ପାନୀ ବୋର୍ଡର ନିର୍ଦ୍ଦେଶକ ପଦବୀରୁ ନୱାଜ ମୋଦି ସିଂଘାଣିଆଙ୍କ ଇସ୍ତଫା ଘୋଷଣା କରିଛି। ଏହି ଇସ୍ତଫା ମାର୍ଚ୍ଚ ୧୯ ତାରିଖରୁ ପ୍ରଭାବୀ ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।
ନୱାଜଙ୍କ ଇସ୍ତଫା ଉପରେ ଟିପ୍ପଣୀ କରି ଗୌତମ ସିଂଘାଣିଆ କହିଛନ୍ତି ଯେ ‘ଆମେ ନୱାଜ ମୋଦି ସିଂଘାଣିଆଙ୍କୁ ବୋର୍ଡ ସଦସ୍ୟ ରୂପେ ଦୀର୍ଘ ବର୍ଷରେ କମ୍ପାନୀକୁ ଦେଇଥିବା ସେବା ନିମନ୍ତେ ଧନ୍ୟବାଦ ଜଣାଉଛୁ । ଉଦ୍ୟୋଗରେ ବଦଳୁଥିବା ପରିଦୃଶ୍ୟରେ ଏକ କମ୍ପାନୀ ରୂପେ ଆଗକୁ ବଢିବା ସହିତ ପରିଚାଳନାର ଉଚ୍ଚତମ ସ୍ତରକୁ ପହଞ୍ଚିବା ପାଇଁ ଆମର ଉଦ୍ୟମ ଜାରି ରହିବ।’
କମ୍ପାନୀ ପକ୍ଷରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସଇ)କୁ ଦିଆଯାଇଥିବା ଇସ୍ତଫା ପତ୍ରରେ ନୱାଜ ମୋଦି ସିଂଘାଣିଆ କହିଛନ୍ତି ଯେ ସେ ବ୍ୟକ୍ତିଗତ କାରଣରୁ ନିର୍ଦ୍ଦେଶକ ପଦରୁ ତତ୍କାଳ ଇସ୍ତଫା ଦେଉଛନ୍ତି। ସେ ଲେଖିଛନ୍ତି ଯେ ‘ମୋ କାର୍ଯ୍ୟକାଳରେ ସ୍ମରଣୀୟ ସହଯୋଗ ଓ ସମ୍ପୂର୍ଣ୍ଣ କାର୍ଯ୍ୟକାଳରେ ମୋର ସମର୍ଥନ ନିମନ୍ତେ ନିର୍ଦ୍ଦେଶକ ମଣ୍ଡଳି ନିକଟରେ ମୁଁ କୃତଜ୍ଞ’। ଗୌତମ ସିଂଘାଣିଆ ୨୦୨୩ ମସିହାରେ ୩୨ ବର୍ଷର ବୈବାହିକ ସମ୍ପର୍କକୁ ଭାଙ୍ଗୁଥିବା ଓ ପତ୍ନୀଙ୍କ ଠାରୁ ପୃଥକ ହେଉଥିବା ଘୋଷଣା କରିଥିଲେ। ଗୌତମ ସିଂଘାଣିଆ ଓ ନୱାଜ ମୋଦି ସିଂଘାଣିଆଙ୍କ ୨ଟି ସନ୍ତାନ ଅଛନ୍ତି।