ଭୁବନେଶ୍ବର ୧୯।୪: ନବମ ଥର ପାଇଁ ନବୀନ ମୁଖିଆ । ନବୀନ ପଟ୍ଟନାୟକ ନବମ ଥର ପାଇଁ ବିଜୁ ଜନତା ଦଳର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ଦ୍ବନ୍ଦ୍ବରେ ସଭାପତି ନିର୍ବାଚିତ ହୋଇଛନ୍ତି ନବୀନ ପଟ୍ଟନାୟକ । ଏ ନେଇ ବିଧିବଦ୍ଧ ଭାବେ ବିଜେଡି ନିର୍ବାଚନ ଅଧିକାରୀ ପ୍ରତାପ ଦେବ ଘୋଷଣା କରିଛନ୍ତି । ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡି ରାଜ୍ୟ ପରିଷଦ ବୈଠକରେ ଏହି ଘୋଷଣା କରାଯାଇଛି । ତେବେ ଏକମାତ୍ର ପ୍ରାର୍ଥୀ ଭାବେ ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ ନବୀନ ପଟ୍ଟନାୟକ ।
ଏହି ଅବସରରେ ଶଙ୍ଖ ଭବନରେ ବିଜେଡି ନେତା ଓ କର୍ମୀଙ୍କ ଭିଡ଼ ଦେଖିବାକୁ ମିଳିଛି । ନବୀନ ସଭାପତି ନିର୍ବାଚିତ ହେବା ପରେ ତାଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି ।
ନବମ ଥର ପାଇଁ ସଭାପତି ଘୋଷଣା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ନବୀନ । ସେ କହିଛନ୍ତି, ବିଜୁ ଜନତା ଦଳର ସଭାପତି ଭାବରେ ଦଳର ସେବା କରିବା ପାଇଁ ମୋତେ ପୁଣି ଥରେ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଉଛି । ଆପଣ ମାନଙ୍କ ଏହି ଭଲ ପାଇବା ମୋତେ ସବୁବେଳେ ଆପଣମାନଙ୍କ ନିକଟରେ ଋଣୀ କରିରଖିଛି । ଏହି ଅବସରରେ ଆମର ପ୍ରିୟ ନେତା ବିଜୁ ପଟ୍ଟନାୟକଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି । ବିଜୁ ବାବୁଙ୍କ ଆଦର୍ଶ ସବୁବେଳେ ଆମକୁ ବାଟ ଦେଖାଇଆସିଛି ।
ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶା ମା’ର ସେବାର ସୁଯୋଗ ପାଇଥିଲା । ଏହି ସମୟ ଥିଲା ଓଡ଼ିଶା ବିକାଶର ସୁବର୍ଣ୍ଣ ଯୁଗ । ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ହୋଇଥିଲା । ଆମର ନୀତି ଓ ଆଦର୍ଶ ହେଉଛି ଆମର ଶକ୍ତି । ସରକାରରେ ରହେ ବା ନ ରହେ, ବିଜୁ ଜନତା ଦଳ ସବୁବେଳେ ଓଡିଶାବାସୀଙ୍କ ସେବା କରି ଚାଲିଛି ଏବଂ କରି ଚାଲିବ ।
ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ସାଥୀରେ ବିଜେଡି ସବୁବେଳେ ଯୋଡି ହୋଇ ରହିଛି ଓ ରହିବ । ଓଡ଼ିଶାର ହକ୍ ପାଇଁ ଆମର ଲଢେଇ ଜାରି ରହିବ । ଓଡ଼ିଆ ସ୍ୱାଭିମାନ ଓ ଓଡ଼ିଶାଙ୍କ ସ୍ୱାର୍ଥ ଆମ ପାଇଁ ସବୁଠାରୁ ଉପରେ । ବିଜୁ ଜନତା ଦଳ ସବୁବେଳେ ତାର ଆଦର୍ଶରେ ଦୃଢ଼ ରହିଛି ଓ ରହିବ । ବିଜେଡିର କର୍ମୀ, ଭାଇ-ଭଉଣୀ ମାନଙ୍କ ଉପରେ ମୋର ପୁରା ଭରସା ଅଛି । ସେମାନେ ହିଁ ମିଛ ପ୍ରଚାରର ଉଚିତ୍ ଜବାବ ଦେବେ । ଓଡ଼ିଶାର ସବୁ ଗାଁ, ସବୁ ସହରରେ ଆମର ସେବାର ବାର୍ତ୍ତା ପହଞ୍ଚାଇବେ ।
You Can Read:
ସରକାରୀ ଜମିରୁ କାଜୁ ତୋଳିବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ମାରଣାସ୍ତ୍ର ଆକ୍ରମଣରେ ୧୫ରୁ ଅଧିକ ଆହତ