ହିମାଚଳ ପ୍ରଦେଶରେ ପ୍ରକୃତିର କୋପ, ଜଳ ପ୍ରଳୟ ନେଲାଣି ୭୨ ଜୀବନ

Published By : Prameya-News7 Bureau | July 06, 2025 IST

ନୂଆଦିଲ୍ଳୀ ୦୬।୦୭; ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ ଲୀଳା । ଜଳ ପ୍ରଳୟରେ ବେହାଲ ହୋଇଛି ରାଜ୍ୟ । ସାରା ରାଜ୍ୟରେ ବାଦଲଫଟା ବର୍ଷା ସହ ଅଚାନକ ବନ୍ୟା ଓ ଭୂସ୍ଖଳନ ଘଟି ଅନେକ ଲୋକଙ୍କ ଜୀବନ ଗଲାଣି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ସୂଚନା ଅନୁସାରେ, ଜୁନ ୨୦ରୁ ମୌସୁମୀ ଆରମ୍ଭ ପରଠୁ ଏବେ ସୁଦ୍ଧା ୭୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ନିଖୋଜ ଅଛନ୍ତି। ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ହିମାଚଳ ମୁଖ୍ୟମନ୍ତ୍ରୀ ସୁଖୁ ସୂଚନା ଦେଇଛନ୍ତି ଯେ, ରାଜ୍ୟର ୧୪ଟି ଭିନ୍ନ ଭିନ୍ନ ସ୍ଥାନରେ ବାଦଲଫଟା ବର୍ଷା ଘଟଣା ରିପୋର୍ଟ ହୋଇଛି । ଏହି ପ୍ରାକୃତିକ ବିପର୍ଯ୍ୟୟରେ ବ୍ୟାପକ ଧନଜୀବନ ଓ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୫୪୧ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରିଛି ରାଜ୍ୟ ଆପତକାଳୀନ ସଞ୍ଚାଳନ କେନ୍ଦ୍ର (SEOC) । କିନ୍ତୁ ଏହି କ୍ଷୟକ୍ଷତିର ପରିମାଣ ଆହୁରି ଅଧିକ ହେବ ବୋଲି କହିଛନ୍ତି ସୁଖୁ। ପାଖାପାଖି ୭୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥାଇପାରେ ବୋଲି ସେ ଅନୁମାନ କରିଛନ୍ତି।

ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ୫୦୦ରୁ ଅଧିକ ରାସ୍ତା ବନ୍ଦ ହୋଇଯାଇଛି । ମଣ୍ଡି ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ବନ୍ୟା ଓ ଭୂସ୍ଖଳନରେ କେବଳ ଏହି ଜିଲ୍ଲାରେ ୧୭୬ଟି ରାସ୍ତାରେ ଯାତାୟତ ପୂରାପୂରି ଠପ୍‌ ହୋଇଯାଇଛି। ସେହିପରି ୧୪ ବ୍ରିଜ ବନ୍ୟାରେ ଧୋଇ ଯାଇଥିବା ଯୋଗୁଁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ବାହ୍ୟାତ ହୋଇଛି । ତେବେ ଖାଲି ରାସ୍ତାଘାଟ ନୁହେଁ, ରାଜ୍ୟରେ ୫୦୦ରୁ ଅଧିକ ବିଦ୍ୟୁତ ଟ୍ରାନ୍ସଫର୍ମର କ୍ଷତିଗ୍ରସ୍ତ ହେବା କାରଣରୁ ୧୦ ହଜାରରୁ ଅଧିକ ଲୋକେ ଏବେ ଅନ୍ଧାରରେ ଦିନ କାଟୁଛନ୍ତି। ପ୍ରାୟ ୨୮୧ଟି ପାନୀୟ ଜଳ ପ୍ରକଳ୍ପ ନଷ୍ଟ ହୋଇଛି, ଯାହାକି ପ୍ରଭାବିତ ଅଞ୍ଚଳରେ ଗୁରୁତର ପାନୀୟଜଳ ଓ ଖାଦ୍ୟ ସଙ୍କଟ ସୃଷ୍ଟି କରିଛି। 

ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ମଣ୍ଡି ସମେତ କଙ୍ଗ୍ରା, ସରିମୌର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି । ଉନ୍ନା, ବିଲାସପୁର, ହାମିରପୁର, ଚମ୍ବା, ସୋଲାନ, ଶିମଲା ଓ କୁଲ୍ଲା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.