କଳା ପଡୁଛି ହିମାଳୟ, ପାହାଡରୁ ବରଫ ଉଭାନ, ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ

NEWS7
namaj-for-mohammed-sami-at-cuttack-bukhari-baba-peeth

କାଙ୍ଗଡା ୨୬।୧୨: ଡିସେମ୍ବର ମାସ ଶେଷ ହେବାକୁ ଯାଉଛି, ହେଲେ ଉତ୍ତରାଖଣ୍ଡର ପାହାଡ ଏବେବି ବରଫର ଶ୍ୱେତ ଚାଦରରେ ଘୋଡେଇ ହୋଇ ନାହାନ୍ତି। ବିଶେଷ କରି ୨୫୦୦ ମିଟର ଓ ୩୫୦୦ ମିଟର ଉଚ୍ଚ ଗିରି ଶୃଙ୍ଗରେ ଏ ପର୍ଯ୍ୟନ୍ତ ହୀମପାତ ହୋଇ ନାହିଁ। ତେବେ ଏହାର ଉପର ଅଞ୍ଚଳରେ ସାମାନ୍ୟ ହୀମପାତ ହୋଇଥିବାର ଜଣାପଡିଛି। ହିମାଳୟ କ୍ଷେତ୍ରରେ ଏହି ବରଫ ଅକାଳ କାରଣରୁ ଜଳବାୟୁରେ ଗୁରୁତ୍ତର ପରିବର୍ତ୍ତନର ସଂକେତ ମିଳୁଛି। ଗତ ଏକ ମାସର ଛବି ଚିନ୍ତାକୁ ଆହୁରି ବଢେଇ ଦେଇଛି।

ଗୋଟିଏ ପଟେ ଉଚ୍ଚା ଉଚ୍ଚା ପାହାଡ ଏପର୍ଯ୍ୟନ୍ତ ଶ୍ୱେତ ଧବଳ ହୋଇ ନଥିବା ବେଳେ ତଳେ ହାଡଭଙ୍ଗା ଥଣ୍ଡା ଯୋଗୁ ନଦୀ, ଝରଣା ଓ ପୋଖରୀ ଜମିଗଲାଣି। ବିଶେଷଜ୍ଞ ଓ ବୈଜ୍ଞାନିକଙ୍କ କହିବା କଥା ହେଉଛି ଏହି ପରିସ୍ଥିତି ପାଣିପାଗ ଚକ୍ରରେ ହେଉଥିବା ବଡ଼ ପରିବର୍ତ୍ତନକୁ ଦର୍ଶାଉଛି। ଏଥିରେ ଗ୍ରୀଷ୍ମ ଆଗମନର ସମୟ ଏବେ ଅନିଶ୍ଚିତ ହୋଇଯାଇଛି। ଏଥି ପାଇଁ ସବୁଠୁ ବଡ଼ କାରଣ ଗ୍ଲୋବାଲ ୱାର୍ମିଂ ଓ ବାୟୁମଣ୍ଡଳର ବଢୁଥିବା ତାପମାତ୍ରା ବୋଲି କୁହାଯାଉଛି। ଏହି ସ୍ଥିତି ନା କେବଳ ଗ୍ଲାସିୟର ସ୍ୱାସ୍ଥ୍ୟ ଲାଗି ବିପଦଜନକ ବରଂ ଆଗକୁ ହେବାକୁ ଥିବା ଜଳ ସଂକଟକୁ ଦର୍ଶାଉଛି।

ଉତ୍ତରାଖଣ୍ଡ କାଙ୍ଗଡା ଜିଲ୍ଲା ଧୌଲାଧାର ପର୍ବତମାଳା ଉପରେ ଏ ପର୍ଯ୍ୟନ୍ତ ହୀମପାତ ହୋଇ ନାହିଁ। ପ୍ରାୟତଃ ଏହି ପାହାଡ ଚୂଡ଼ା ସବୁ ଏତେବେଳକୁ ଧଳା ଦେଖାଯିବା କଥା ହେଲେ ମାଟିଆ ଦେଖାଯାଉଛି। ରାଜ୍ୟର ମୁଖ୍ୟ ପର୍ଯ୍ୟଟନ ସ୍ଥଳ ଶିମଲା, ମନାଲୀ, ମ୍ୟାକଲୋଡ ଗଞ୍ଜ ଓ ଡେଲହାଉସୀରେ ମଧ୍ୟ ଏପର୍ଯ୍ୟନ୍ତ ବରଫ ପଡି ନାହିଁ। ମନାଲୀରେ ବଡ଼ ଦିନ ପାଳନ ବେଳକୁ ବରଫ ପଡିବ ବୋଲି ଆଶା କରାଯାଉଥିଲା, ହେଲେ ହାଲୁକା ବର୍ଷା ପରେ ଆକାଶ ସଫା ହୋଇଯାଇଛି।

ଏହି ପରିସ୍ଥିତି କେବଳ କେଦାରନାଥ କ୍ଷେତ୍ରର ନୁହେଁ ବରଂ ଗଙ୍ଗୋତ୍ରୀ, ଯମୁନେତ୍ରୀ ଓ ବଦ୍ରିନାଥ ଧାମ କ୍ଷେତ୍ରରେ ମଧ୍ୟ ଏ ପର୍ଯ୍ୟନ୍ତ ବରଫ ଜମି ନାହିଁ। ସାଧାରଣତଃ ଏଠାରେ ଡିସେମ୍ବର ମାସ ବେଳକୁ ଦୁଇ ଥର ହୀମପାତ ହୋଇ ସାରିଥାଏ। ହେଲେ ଏ ପର୍ଯ୍ୟନ୍ତ ବରଫ ପଡି ନଥିବା ବେଳେ ପାହାଡ଼ ସବୁ ବିନା ବରଫରେ କଳା ଦେଖାଯାଉଛନ୍ତି। ବଦ୍ରିନାଥ, କେଦାରନାଥ ଓ ଗଙ୍ଗୋତ୍ରୀ ପାଖାପାଖି ୩୦୦୦ ମିଟର ଉଚ୍ଚରେ ଥିବା କ୍ଷେତ୍ର। ଉତ୍ତରାଖଣ୍ଡର ସବୁ ୩ ହଜାର ମିଟର ଉଚ୍ଚ କ୍ଷେତ୍ରେର ଡିସେମ୍ବର ମାସରେ ଦୁଇ ଥର ବରଫ ପଡିଯିବା କଥା, ହେଲେ ଏ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଯାଇଛି।

ଚଳିତବର୍ଷ ନଭେମ୍ବର ଓ ଡିସେମ୍ବର ମାସ ବିନା ହୀମପାତରେ କଟିଯିବ ଲୋକେ କେବେ ଭାବିନଥିଲେ। ହେଲେ ନୂଆ ବର୍ଷରେ ନିଶ୍ଚିତ ହୀମପାତ ହୋଇପାରେ ବୋଲି ଲୋକେ ଆଶା ବାନ୍ଧିଛନ୍ତି। ଏଥିରେ ଯଦି ହୀମପାତ ନ ହୁଏ, ବର୍ଷା ନ ହୁଏ ଏହା କେବଳ ପରିବେଶର କ୍ଷତି କରିବନି ବରଂ ମଣିଷ ସହିତ ବନସମ୍ପଦ, ବନ୍ୟଜୀବଙ୍କୁ ଆଗାମୀ ଦିନମାନଙ୍କରେ କ୍ଷତି ସହିବାକୁ ପଡିବ। ବରଫ ପଡୁନଥିବାରୁ ଏହାର ପ୍ରଭାବ ଏବେ ଉତ୍ତରାଖଣ୍ଡର ପର୍ଯ୍ୟଟନ ସ୍ଥଳ ଉପରେ ପଡିଛି। ଦେଶର ବିଭିନ୍ନ ଅଞ୍ଚଳରୁ ଲୋକେ ଉତ୍ତରାଖଣ୍ଡକୁ ହୀମପାତ ଦେଖିବାକୁ ଆସିଥାନ୍ତି। ଏଣୁ ପର୍ଯ୍ୟଟନ ଋତୁରେ ବରଫ ପଡୁନଥିବାରୁ ପର୍ଯ୍ୟଟକ ଅନ୍ୟ ଆଡେ ମୁହାଁଇଛନ୍ତି।

ବୈଜ୍ଞାନିକଙ୍କ ଅନୁସାରେ ଏବେ ଦେଶରେ ଗ୍ରୀଷ୍ମ ଦିନ ସଂଖ୍ୟା ବଢୁଛି ଓ ଶୀତ ଋତୁରେ ଥଣ୍ଡା ଦିନ ସଂଖ୍ୟା କମୁଛି। ଡିସେମ୍ବରରେ ଯେଉଁ ବରଫ ପଡୁଛି ତାହ ଜମି ପାରୁ ନାହିଁ। ସ୍ନୋଫଲ ସିଫ୍ଟିଂ ହାର ୧୦ରୁ ୧୫ %କୁ ପହଞ୍ଚିଛି। ଏହା ଛଡା ଜଳବାୟୁ ପରିବର୍ତ୍ତନର ମଧ୍ୟ ପ୍ରଭାବ ରହୁଛି। ଏଣୁ ୨,୫୦୦ ମିଟର ପର୍ଯ୍ୟନ୍ତ ହେବାକୁ ଥିବା ବର୍ଷା ୩୦୦୦ ମିଟରକୁ ବୃଦ୍ଧି ପାଇଛି।