ଆରମ୍ଭ ହେବ କ୍ୟାପିଟାଲ ରିଜନ ରିଙ୍ଗ ରୋଡ଼ କାମ, ସରିଲା ବିଡ୍ ଦାଖଲ, ୩ ପର୍ଯ୍ୟାୟରେ ନିର୍ମାଣ ହେବ ୧୧୧ କି.ମି. ରାସ୍ତା

NEWS7
nainar-nagendran-files-nomination-for-bjp-tamil-nadu-president-post

ଭୁବନେଶ୍ୱର: ଖୁବଶୀଘ୍ର ଆରମ୍ଭ ହେବ କ୍ୟାପିଟାଲ ରିଜନ ରିଙ୍ଗ ରୋଡ଼ କାମ । ଖୋର୍ଦ୍ଧା ରାମେଶ୍ୱରରୁ ଏହି ରାସ୍ତା ବାହାରି ବିଲିପଡା ପର୍ଯ୍ୟନ୍ତ ଯିବ । ଟ୍ଵିନ ସିଟିରୁ କମିବ ଭିଡ଼ । ଖୋର୍ଦ୍ଧାବାସୀ ବି ହେବେ ଉପକୃତ । ବର୍ତ୍ତମାନ ଏହି ପ୍ରକଳ୍ପକୁ ସମସ୍ତ ପ୍ରକାର ମଞ୍ଜୁରୀ ମିଳିବା ସହ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଏନଏଚଏଆଇ ସିଜିଏମ ବୀରେନ୍ଦ୍ର ସିଂହ ।

ସେ କହିଛନ୍ତି, ୧୧୧ କିଲୋମିଟର ଏହି ରାସ୍ତା ତିନୋଟି ପର୍ଯ୍ୟାୟରେ କାମ ହେବ । ଏଥିପାଇଁ ମୋଟ ୮ହଜାର ୩ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଅଢେଇ ବର୍ଷ ଭିତରେ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ୧୬ ନମ୍ବର ଜାତୀୟ ରାଜପଥ ଉପରୁ ଟ୍ରାଫିକ ଭିଡ଼ ହ୍ରାସ କରିବାରେ ଏହି ପ୍ରକଳ୍ପ ବେଶ ସହାୟକ ହେବ । ବିଶେଷକରି ଖୋର୍ଦ୍ଧା, ଭୁବନେଶ୍ୱର ଓ କଟକ ରାସ୍ତାରୁ ଭିଡ଼ ହ୍ରାସ ପାଇବ। ଏହି ପ୍ରକଳ୍ପକୁ ନେଇ ପରିବେଶ ସମେତ ଅନ୍ୟାନ୍ୟ ମଞ୍ଜୁରୀ ମିଳିସାରିଛି । ଏହାର ବିଡ୍ ଦାଖଲ କରିବାର ଆଜି ଶେଷ ତାରିଖ ଥିଲା । ଏହାକୁ ୩ଟି ପ୍ୟାକେଜରେ କରିବାକୁ ଥିବାବେଳେ ପ୍ରତି ପ୍ୟାକେଜ ପାଇଁ ୧୫ଟି ଲେଖାଏଁ ବିଡ୍ ଗ୍ରହଣ କରାଯାଇଛି । ଆଗାମୀ ଦେଢ଼ ମାସ ଭିତରେ କାମ ଆବଣ୍ଟିତ କରାଯିବ।

ଏହା ହେଉଛି ଆକ୍ସେସ କଣ୍ଟ୍ରୋଲ ଗ୍ରୀନ ଫିଲଡ଼ ପ୍ରକଳ୍ପ । ଏଥିରେ ସୀମିତ ସଂଖ୍ୟାରେ ରାସ୍ତା ସଂଯୋଗୀକରଣ ବ୍ୟବସ୍ଥା ରହିବ । ଅର୍ଥାତ ଗୋଟିଏ ଗୋଟିଏ ପ୍ରବେଶ ଓ ପ୍ରସ୍ଥାନକୁ ମିଶାଇ ମୋଟ ୮ଟି ସ୍ଥାନରେ ପଥଚାରୀମାନେ ପ୍ରବେଶ ପ୍ରସ୍ଥାନ କରିପାରିବେ । ଏହାଦ୍ୱାରା ଅଯଥା ଟ୍ରାଫିକ ଭିଡ଼ ସୃଷ୍ଟି ହେବ ନାହିଁ । ଲୋକମାନେ କମ ସମୟରେ ଓ ବିନା ଭିଡରେ କେମିତି ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିବେ, ତାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା ଆପଣାଯାଇଛି ।

ସେହିଭଳି ଏହି ରାସ୍ତାରେ ହାତୀ ଚଳାଚଳ କରିବା ପାଇଁ ୭ମିଟିର ଉଚ୍ଚତା ବିଶିଷ୍ଟ ଭୂତଳ ରାସ୍ତା ନିର୍ମାଣ କରାଯିବ । ଠିକାସଂସ୍ଥା ଦୁଇରୁ ଅଢ଼େଇ ବର୍ଷ ଭିତରେ ପ୍ରକଳ୍ପ ସାରିବ । ଏହାପରେ ୧୫ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ କରିବ । ଏଥିରେ ୧୨୫ ଅଣ୍ଡାରପାସ, ୩୦୦ କଲଭର୍ଟ ନିର୍ମାଣ କରାଯିବ । ୪ଟି ସ୍ଥାନରେ ପେଟ୍ରୋଲ ପମ୍ପ, ଢ଼ାବା, ଗାଡି ମରାମତି ଦୋକାନ ଆଦିର ବ୍ୟବସ୍ଥା ରହିବ । ଏହି ପ୍ରକଳ୍ପ ପାଇଁ ମୋଟ ୬୬୦ ଏକର ଜମିର ଆବଶ୍ୟକତା ରହିଛି । ୨୨୦ ଏକର ଜମି ସରକାର ଓ ସରକାରୀ ସଂସ୍ଥା ଅଧୀନରେ ରହିଛି । ବାକି ୪୪୦ ଏକର ସାଧାରଣ ଲୋକଙ୍କ ଜମି ଅଧିଗ୍ରହଣ କରାଯାଇଛି । ଏପ୍ରିଲ ପ୍ରଥମ ସପ୍ତାହରୁ କାମ ଆରମ୍ଭ କରାଯିବା ନେଇ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି ।