LIVE TV
LIVE TV

କଂଗ୍ରେସ ଛାଡିବେ କି ଶଶି ଥରୁର ? ସୋନିଆଙ୍କ ବୈଠକରେ ସାମିଲ ହେଲେନି, ଦଳଠୁ ରହୁଛନ୍ତି ଦୂରରେ

NEWS7
nafed-potato-will-be-available-in-odisha-within-12-days

ନୂଆଦିଲ୍ଲୀ,୦୧ /୧୨: କଂଗ୍ରେସ ପାଇଁ ଅଡୁଆ ହେଲେଣି ଶଶି ଥରୁର । ଲଗାତାର ଭାବେ ସେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରୁଛନ୍ତି । ଯାହାକୁ ନେଇ ତାଙ୍କ ଦଳର ନେତା ତାଙ୍କୁ ବିରୋଧ କରୁଛନ୍ତି । ସେ କଂଗ୍ରେସରେ ରହିବେ ନା ନାହିଁ ତାକୁ ନେଇ ମଧ୍ୟ ସସପେନ୍ସ ଲାଗି ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେରଳର ଥିରୁଅନ୍ତପୂରମର ସାଂସଦ ଥିବା ଶଶି ବାରମ୍ବାର କଂଗ୍ରେସ ବୈଠକରୁ ନିଜକୁ ଦୂରେଇ ରଖୁଥିବା ଦେଖିବାକୁ ମିଳିଛି ।

ଦେଖିବାକୁ ଗଲେ ଆସନ୍ତା ବର୍ଷ କେରଳରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଠାରେ କଂଗ୍ରେସର ଭଲ ସଙ୍ଗଠନ ରହିଛି । ତେଣୁ ଶଶି ଥରୁରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ଯଦି ସେ ଦଳ ଛାଡନ୍ତି ତେବେ କେରଳ ବିଧାନସଭା ନିର୍ବାଚନ ଆଗରୁ ଛାଡିବେ ବୋଲି କେହି କେହି କହୁଛନ୍ତି । ସେପଟେ କିନ୍ତୁ ଦଳର ବୈଠକରେ ସାମିଲ ନହେବା ପ୍ରସଙ୍ଗରେ ଶଶି କହିଛନ୍ତି ଯେ, ସେ ବୈଠକରୁ ନିଜକୁ ଦୂରେଇ ନାହାଁନ୍ତି । ତାଙ୍କ ମାଆଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ । ତେଣୁ ସେ କେରଳରେ ଥିଲେ । ଫଳରେ ବୈଠକରେ ଯୋଗ ଦେଇପାରିନଥିଲେ ।

ରବିବାର ସନ୍ଧ୍ୟାରେ ସୋନିଆ ଗାନ୍ଧୀଙ୍କ ବାସଭବନରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏଥିରେ ଦଳୀୟ ସାଂସଦ ଏବଂ ବରିଷ୍ଠ ନେତା ଯୋଗ ଦେଇଥିଲେ । ଶୀତ ଅଧିବେଶନରେ ଦଳର ଆଭିମୁଖ୍ୟ କଣ ରହିବ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ । କିନ୍ତୁ ଥରୁରଙ୍କ ଦେଖା ମିଳି ନଥିଲା । ତେବେ ସେ ଉପସ୍ଥିତ ରହିବେ ନାହିଁ ବୋଲି ଦଳକୁ ଆଗୁଆ ସୂଚନା ଦେଇଥିବା କୁହାଯାଉଛି ।

କେବଳ ଗୋଟିଏ ବୈଠକ ନୁହେଁ ଗତ ନଭେମ୍ବର ୧୮ରେ କଂଗ୍ରେସର ଏକ ଜରୁରୀ ବୈଠକ ବସିଥିଲା । ଏଥିରେ ଏସଆଇଆର ବିପକ୍ଷରେ ରଣନୀତି ପ୍ରସ୍ତୁତ ହୋଇଥାନ୍ତା । ରାହୁଲ ଏବଂ ଖଡଗେ ଅନେକ ବରିଷ୍ଠ ନେତାଙ୍କୁ ବୈଠକକୁ ଆମନ୍ତ୍ରଣ କରିଥିଲେ । କିନ୍ତୁ ଏଠାରେ ମଧ୍ୟ ସାମିଲ ହୋଇନଥିଲେ ଶଶି । କିନ୍ତୁ ବୈଠକ ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଯେଉଁଠି ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ ।

ସୂଚନାଯୋଗ୍ୟ, ଶଶି କଂଗ୍ରେସର ବିଦ୍ରୋହୀ ସଙ୍ଗଠନ ଭାବେ ତିଆରି ହୋଇଥିବା ଜି-୨୩ର ଅଂଶ ଥିଲେ । ୨୦୨୦ ମସିହାରେ ବିଦ୍ରୋହୀ ନେତାମାନେ ସୋନିଆଙ୍କୁ ପତ୍ର ଲେଖି ଦଳର ସ୍ଥିତି ସଜାଡିବାକୁ କହିଥିଲେ । ଏହାର ଦୁଇ ବର୍ଷ ପରେ ସେ ଖଡଗେଙ୍କ ବିରୋଧରେ ଏଆଇସିସି ସଭାପତି ପଦ ପାଇଁ ଲଢି ପରାସ୍ତ ହୋଇଥିଲେ । ହେଲେ ଚଳିତବର୍ଷ ପହଲଗାମ ଆକ୍ରମଣ ପରେ ଥରୁର କଂଗ୍ରେସଠୁ ଦୂରେଇ ଯାଇଥିବା ଦେଖିବାକୁ ମିଳିଥିଲା । ଦଳର ମତ ଏବଂ ତାଙ୍କ ମତ ଭିନ୍ନ ରହୁଥିଲା । ଅପରେସନ ସିନ୍ଦୂରକୁ ସେ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରି ଦେଶକୁ ପ୍ରତିନିଧିତ୍ୱ କରିଥିଲେ । ଏହାପରେ କଂଗ୍ରେସ ମଧ୍ୟ ଅନେକ ଫୋରମରେ ଶଶିଙ୍କୁ ସାମିଲ କରିନଥିଲା ।