ପଦ୍ମପୁର: ଛତୁ ପାଇଁ ହତ୍ୟାକାଣ୍ଡ। ଦାଦା, ଖୁଡି, ଭଉଣୀକୁ ଟାଙ୍ଗିଆରେ ହାଣିଲା ପୁତୁରା । ଥାନାରେ କଲା ଆତ୍ମସମର୍ପଣ। ଘଟଣାରେ ଖୁଡି ଓ ଭଉଣୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦାଦାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।ପଦ୍ମପୁର ଥାନା ଅନ୍ତର୍ଗତ ପଥୁରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ମିଳିଥିବା ସୂଚନା ଅନୁସାରେ ପଦ୍ମପୁର ଥାନା ପଥୁରୀ ଗାଁର ବିଶିକେଶନ ନାଗ ତାଙ୍କ ବିଲରେ ଛତୁ ଚାଷ କରିଛନ୍ତି। ରବିବାର ଦିନ ସନ୍ଧ୍ୟା ସମୟରେ ବିଲରୁ ଫେରିଲା ପରେ ଛତୁ ଚୋରି ହୋଇଥିବା ବା ନଷ୍ଟ ହୋଇଥିବା ବିଶିକେଶନ ପାଟି କରିଥିଲେ । ପରେ ତାଙ୍କ ପୁତୁରା ପୁଚୁ ନାଗ ଓରଫ ଶଶିଭୂଷଣ ନାଗଙ୍କ ମଧ୍ୟରେ ବଚସା ହୋଇଥିଲା । ଆଜି ସକାଳୁ ମଧ୍ୟ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ପୂର୍ବାହ୍ଣରେ ପୁତୁରା ଦାଦାଙ୍କୁ ଆକ୍ରମଣ କରିଥିଲା ।
Also read: ବୋହୂକୁ ମାରିଦେଲେ ଶାଶୁ ଘର ଲୋକ ! ମେଡିକାଲରେ ଛାଡ଼ି ସ୍ୱାମୀ ଓ ଶ୍ୱଶୁର ଫେରାର
ବିଶିକେଶନ ତାଙ୍କ ଜ୍ବାଇଁଙ୍କୁ ଡାକି ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଯାଇଥିଲେ । ସେହି ସମୟରେ ପୁତୁରା ଜଣକ ପୁଣି ଖୁଡି ବେଳମତି ଓ ଭଉଣୀ ସାବିତ୍ରୀଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଖୁଡି ଓ ଭଉଣୀଙ୍କ ମୃତ୍ୟୁ ହୋଇଥିଲା। ପରେ ଅଭିଯୁକ୍ତ ନିଜେ ଯାଇ ପଦ୍ମପୁର ଥାନାରେ ଆତ୍ମସମର୍ପଣ କରିଛି। ଏ ବିଷୟରେ ଖବର ପାଇ ପଦ୍ମପୁର ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି ।