ବୋହୂକୁ ମାରିଦେଲେ ଶାଶୁ ଘର ଲୋକ ! ମେଡିକାଲରେ ଛାଡ଼ି ସ୍ୱାମୀ ଓ ଶ୍ୱଶୁର ଫେରାର

Published By : Prameya-News7 Bureau | July 21, 2025 IST

ଚାନ୍ଦବାଲି ୨୧।୦୭ : ବୋହୂକୁ ମାରିଦେଲେ ଶାଶୁ ଘର ଲୋକ । ଏନେଇ ଝିଅଙ୍କ ବାପ ଘର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଆରମ୍ଭ କରିଛି ତନାଘନା । ସେପଟେ ମେଡିକାଲରେ ଶବକୁ ଛାଡି ଫେରାର ହୋଇଗଲେ ସ୍ୱାମୀ ଓ ଶ୍ୱଶୁର । 

ଖବର ଅନୁଯାୟୀ, ଆଠ ଦିନ ତଳେ ମହିଳା ଜଣକ ଏକ ମୃତ ଶିଶୁକୁ ଜନ୍ମ ଦେଇଥିଲେ । ହେଲେ ମାତ୍ର ୧୦ ଦିନ ପରେ ବୋହୂ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ଶାଶୁ ଘର ମୃତକଙ୍କ ପରିବାରକୁ ଜଣାଇଥିଲେ । ଅଭିଯୋଗ ମୁତାବିକ ଚାନ୍ଦବାଲି ଥାନା ଶାଏନ୍ତା ବାମ୍ଫିସାହିର ହୃଷିକେଶ ବେହେରାଙ୍କ ବଡ଼ ଝିଅ ଓରାସାହି ପଞ୍ଚାୟତ ବେନ୍ତାଳପୁର ଗାଁର ଚିନ୍ତାମଣି ବାରିକଙ୍କ ବଡ଼ ପୁଅ ନିର୍ମଳ ବାରିକଙ୍କୁ ପ୍ରେମ ବିବାହ କରିଥିଲେ ।  ବାହାଘର ଏକ ବର୍ଷ ଯାଏଁ ସବୁ କିଛି ଠିକ୍‌ଠାକ୍‌ ଚାଲିଥିଲା । ହେଲେ ବର୍ଷକ ପରେ ହଠାତ୍‌ ଶାଶୁ ଘର ଲୋକ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ ଆଣିଛନ୍ତି ଝିଅର ବାପ ଘର ଲୋକେ । 

ଅନ୍ୟପଟେ ବୋହୂର ମୃତଦେହକୁ ମେଡିକାଲ ବେଡ୍‌ରେ ଛାଡି ସ୍ୱାମୀ ଓ ଶ୍ୱଶୁର ଚାଲିଯାଇଥିବା ବେଳେ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ଝିଅର ବାପା ଅଭିଯୋଗ କରିଛନ୍ତି । ଯୌତୁକ ବାବଦରେ ପାଞ୍ଚ ଲକ୍ଷ ଟଙ୍କା ଦାବି କରିଆସୁଥିଲେ ବୋଲି ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି । 

ତେବେ ମୃତ ଶିଶୁକୁ ଜନ୍ମ କରିବା ପରେ ପୁଷ୍ପଲତା ଫାଶୀ ଲଗାଇ ନାହିଁ ବରଂ ଜାଣିଶୁଣି ଶାଶୁଘର ଲୋକେ ଝିଅକୁ ମାରିଦେଇଛନ୍ତି ବୋଲି ଝିଅର ବାପା ଅଭିଯୋଗ କରିଛନ୍ତି । ଏହାସହ ଘଟଣାର ସଂପୃକ୍ତ ଥିବା ଶାଶୁ ଘର ଲୋକଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ବାପ ଘର ଲୋକ । ଏପଟେ ଝିଅ ଘର ଲୋକେ ଆଣିଥିବା ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି  କହିଛନ୍ତି ଝିଅର ଶ୍ୱଶୁର ଘର ଲୋକେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.