ମୌସୁମୀ ମାଡରେ ବେହାଲ ମୁମ୍ଵାଇ, ୧୦୭ ବର୍ଷର ରେକର୍ଡ ଭାଙ୍ଗିଲା

Published By : Prameya-News7 Bureau | May 27, 2025 IST

ମୁମ୍ୱାଇ ୨୭/୦୫: ଦକ୍ଷିଣ ପଶ୍ଚିମ  ମୌସୁମୀ ସୋମବାର ଦେଶର ଆର୍ଥିକ ରାଜଧାନୀ  ମୁମ୍ବାଇରେ ପହଞ୍ଚିଛି । ଏଥିସହିତ ବିଗତ ୭୫  ବର୍ଷ ମଧ୍ୟରେ ମୁମ୍ବାଇକୁ ସବୁଠୁ ସଅଳ ପ୍ରବେଶ  କରିଛି ମୌସୁମୀ । ଭାରତୀୟ ପାଣିପାଗ ବିଭାଗ  (ଆଇଏମ୍‌ଡି)ଅନୁସାରେ, ସାଧାରଣତଃ ଜୁନ୍‌ ୧୧ ତାରିଖ ବେଳକୁ ମୌସୁମୀ ମୁମ୍ବାଇରେ ପହଞ୍ଚିଥାଏ ।  କିନ୍ତୁ ଚଳିତଥର ୧୬ ଦିନ ଆଗୁଆ ପହଞ୍ଚିଛି । ସେପଟେ ମୌସୁମୀ ପ୍ରଭାବରୁ ଭୋର୍‌ରୁ ମୁମ୍ବାଇ ସମେତ ପୂରା ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । 

ମୁମ୍ବାଇରେ ମୌସୁମୀର ପ୍ରଥମ  ଦିନରେ ବର୍ଷା ୧୦୭ ବର୍ଷର ରେକର୍ଡ ଭାଙ୍ଗିଛି । ଆଇଏମ୍‌ଡିର ତଥ୍ୟ ଅନୁସାରେ, ଆଜି ସକାଳ  ୮.୩୦ରୁ ୧୧ଟା ମଧ୍ୟରେ କୋଲାବାରେ ୧୦୫.୨  ଏମ୍‌ଏମ୍‌ , ସାନ୍ତାକ୍ରୁଜ୍‌ରେ ୫୫ ଏମ୍‌ଏମ୍‌, ବାନ୍ଦ୍ରାରେ  ୬୮.୫ ଏମ୍‌ଏମ୍‌, ଜୁହୁ ବିମାନବନ୍ଦରରେ ୬୩.୫  ଏମ୍‌ଏମ୍‌, ଚେମ୍ବୁରରେ ୩୮.୫ ଏମ୍‌ଏମ୍‌, ଭିଖ୍ରୋଲିରେ  ୩୭.୫ ଏମ୍‌ଏମ୍‌ ବର୍ଷା ରେକର୍ଡ କରାଯାଇଥିଲା ।  ସେଥିଯୋଗୁ ଏହି ସବୁ ଅଞ୍ଚଳରେ ଜନଜୀବନ  ଏକପ୍ରକାର ଠପ୍‌ ହୋଇପଡ଼ିଛି । 

ବର୍ଷା ସହିତ ମୁମ୍ବାଇରେ  ୭୦-୮୦ କିମି ବେଗରେ ପବନ ବି ବହିଥିଲା । ଫଳରେ  ଅନେକ ଅଞ୍ଚଳରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା । ତଳିଆ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ପାଣି  ଜମା ହୋଇଯିବାରୁ ଯାତାୟତ ଲାଗି ସମସ୍ୟା ସୃଷ୍ଟି  ହୋଇଥିଲା । ଏପରିକି କିଛି ସ୍ଥାନରେ ବର୍ଷା ପରେ ୭-୮  କିମି ଧରି ଲମ୍ବା ଜାମ୍‌ ଦେଖିବାକୁ ବି ମିଳିଥିଲା । ପ୍ରବଳ ବର୍ଷା ଯୋଗୁ ନିକଟରେ ଶୁଭାରମ୍ଭ  ହୋଇଥିବା ୱର୍ଲି ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଷ୍ଟେସନରେ  ବି ପାଣି ଭର୍ତ୍ତି ହୋଇଯାଇଥିଲା । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ ମେ ୧ରେ ହିଁ ତାକୁ ଉଦ୍‌ଘାଟନ କରିଥିଲେ ।  

ସେହିପରି ହାର୍ବର, ସେଣ୍ଟ୍ରାଲ ଲାଇନ୍‌ରେ ଲୋକାଲ ଟ୍ରେନ୍‌  ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ତେଣୁ ହଜାର ହଜାର  ଯାତ୍ରୀ ଷ୍ଟେସନ୍‌ରେ ଫସି ରହିଥିଲେ । ବର୍ଷା ପରେ ବି  ଆକାଶରେ ଘନବାଦଲ ଦେଖାଯିବା ଯୋଗୁ ସହରରେ  ଦୃଶ୍ୟତା କମ୍‌ ରହିଥିଲା । ଏହା ଫଳରେ ୮ଟି ବିମାନର  ଉଡ଼ାଣ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । କିଛି ବିମାନକୁ ଡାଇଭର୍ଟ କରାଯାଇଥିଲା । ଏପରିକି ଦୃଶ୍ୟତା  କମ୍‌ ହେବାରୁ ରାସ୍ତାରେ ଲୋକେ ଗାଡିର ଲାଇଟ୍‌ ଅନ୍‌  କରି ଡ୍ରାଇଭ୍‌ କରିଥିଲେ । 

ପାଣିପାଗ ବିଭାଗ ଆଜି ମୁମ୍ବାଇ, ଥାନେ, ରାଇଗଡ ଓ ରତ୍ନଗିରି ଜିଲ୍ଲାରେ ବର୍ଷା ପାଇଁ  ପ୍ରଥମେ ଅରେଞ୍ଜ ଆଲର୍ଟ ଜାରି କରିଥିବାବେଳେ ପରେ  ତାକୁ ରେଡ୍‌ ଆଲର୍ଟକୁ ଅପ୍‌ଗ୍ରେଡ୍‌ କରାଯାଇଥିଲା ।  ସେହିପରି ବର୍ଷାକୁ ଦେଖି ବୃହନ୍‌ମୁମ୍ବାଇ ମ୍ୟୁନିସପାଲ  କର୍ପୋରେସନ୍‌(ବିଏମ୍‌ସି) ଲୋକଙ୍କୁ ନିହାତି ଆବଶ୍ୟକ  ନଥିଲେ ବାହାରକୁ ନ ବାହାରିବାକୁ ନିବେଦନ କରିଛି । ମୁମ୍ବାଇ ବ୍ୟତୀତ ଆଇଏମ୍‌ଡି ପକ୍ଷରୁ କର୍ଣ୍ଣାଟକ, କେରଳ ଓ ତାମିଲନାଡୁର କିଛି ଅଞ୍ଚଳ ଲାଗି ମଧ୍ୟ ଆଲର୍ଟ  ଜାରି ହୋଇଛି । ଇତିମଧ୍ୟରେ କେରଳରେ ଭାରି ବର୍ଷା ଜାରି ରହିଛି । 

ତ୍ରିଶୁରରେ ଚଳନ୍ତା ଟ୍ରେନ୍‌ ଉପରେ ଏକ  ଗଛ ଭାଙ୍ଗି ପଡ଼ିଥିଲା । କୋଝିକୋଡ୍‌ରେ ସ୍କୁଟର ଚଳାଇବା  ସମୟରେ ଜଣେ ବ୍ୟକ୍ତିଙ୍କ ଉପରେ ଗଛ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି  ରାଜ୍ୟର ୯ଟି ଜିଲ୍ଲାରେ ସ୍କୁଲ-କଲେଜ ବନ୍ଦ ରହିଛି ।  ଏହାପୂର୍ବରୁ ରବିବାର ପୁନେରେ ବାଦଲଫଟା ବର୍ଷା  ହୋଇଥିଲା । ସେଥିଯୋଗୁ ନଦୀ-ନାଳରେ ଅଚାନକ  ବନ୍ୟା ଆସିଥିଲା । 

ପୁନେ-ସୋଲାପୁର ରାଜପଥରେ  ପାଟସ ଅଞ୍ଚଳରେ ବାଦଲଫଟା ବର୍ଷା ଯୋଗୁ ପୁନେର  ବାରାମତୀ ଓ ଇନ୍ଦାପୁରରେ ବନ୍ୟା ସ୍ଥିତି ସୃଷ୍ଟି  ହୋଇଥିଲା । ରାସ୍ତା ସବୁ ପାଣିରେ ବୁଡ଼ି ଯାଇଥିଲା ।  ପ୍ରାୟ ୨୦୦ ଘରେ ପାଣି ଭର୍ତ୍ତି ହୋଇଥିଲା । କିଛି ଗାଡ଼ି  ବି ଭାସି ଯାଇଥିଲା । ଏନଡିଆରଏଫ୍‌ର ୨ଟି ଟିମ୍‌କୁ  ସେଠାରେ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.