ଫିଟୁନି ସମାଧାନର ରାସ୍ତା, ଓଡ଼ିଶା ଆସିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍

NEWS7
mumbai-indians-vs-chennai-super-kings-38th-match

ଭୁବନେଶ୍ୱର ୨୩।୦୧ : ମହାନଦୀ ଜଳ ବିବାଦ ସମାଧାନ ପାଇଁ ଓଡ଼ିଶାରେ କ୍ଷେତ୍ର ପରିଦର୍ଶନ କରିବେ ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍ । ଆସନ୍ତା ୨୬ ତାରିଖରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ୪ ଦିନିଆ ଗସ୍ତରେ ଓଡ଼ିଶା ଗସ୍ତରେ ଆସିବେ ଏହି ଟିମ୍ । ଏଥିରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଓ ସଦସ୍ୟଙ୍କ ସହ ୧୦ ଜଣ ରହିବେ। ରାଜ୍ୟ ସରକାର ଏହି ଟିମ୍କୁ ରାଜ୍ୟ ଅତିଥି ଭାବେ ଘୋଷଣା କରିଛନ୍ତି । ଏହି ଟିମ୍ ରାଜ୍ୟର ବିଭିନ୍ନ ସ୍ଥାନରେ ପରିଦର୍ଶନ ବେଳେ ଆବଶ୍ୟକ ବ୍ୟବସ୍ଥା କରିବାକୁ ସମ୍ପୃକ୍ତ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ପୋଲିସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦଳର ସଦସ୍ୟମାନେ ମହାନଦୀରେ ଜଳପ୍ରବାହ ବିଷୟରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବେ ଏବଂ ଓଡ଼ିଶା, ଛତିଶଗଡ଼ ମଧ୍ୟରେ ଜଳ ବିବାଦ ସମ୍ପର୍କରେ ବୈଷୟିକ ଓ ପରିବେଶଗତ ଦିଗଗୁଡ଼ିକର ମୂଲ୍ୟାଙ୍କନ କରିବେ।

ଏ ଖବର ବି ପଢନ୍ତୁ:-ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ, ୧୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ

ଉଲ୍ଲେଖଯୋଗ୍ୟ, ଓଡ଼ିଶା ଓ ଛତିଶଗଡ଼ ମହାନଦୀ ଜଳ ବଣ୍ଟନ ନେଇ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଚୁକ୍ତିନାମାରେ ପହଞ୍ଚି ପାରୁନଥିବାରୁ ଅନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ, ୧୯୫୬ ଅନୁଯାୟୀ ମାର୍ଚ୍ଚ ୨୦୧୮ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଗଠନ କରାଯାଇଥିଲା । ଦୀର୍ଘ ୯ ମାସ ଧରି ଏହାର ଅଧ୍ୟକ୍ଷ ପଦ ଖାଲି ପଡ଼ିଥିବାରୁ ଟ୍ରିବ୍ୟୁନାଲ କାର୍ଯ୍ୟରେ ଅଗ୍ରଗତି ହୋଇପାରିନଥିଲା। ଚଳିତ ମାସ ୭ ତାରିଖରେ ହେବାକୁ ଥିବା ମହାନଦୀ ଜଳ ବିବାଦ ଶୁଣାଣି ଆସନ୍ତା ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଥିଲା। ଟ୍ରିବ୍ୟୁନାଲ୍ କ୍ଷେତ୍ର ପରିଦର୍ଶନ କରି ସାରିବା ପରେ ମାର୍ଚ୍ଚ ୧୪ ତାରିଖରେ ଶୁଣାଣି ହେବ। ଏପ୍ରିଲ ୧୩ ତାରିଖରେ ଟ୍ରିବ୍ୟୁନାଲ୍ ଅବଧି ଶେଷ ହେବାକୁ ଯାଉଛି। ଓଡ଼ିଶା ଓ ଛତିଶଗଡ଼ ଟ୍ରିବ୍ୟୁନାଲ୍ ଅବଧି ବୃଦ୍ଧି ପାଇଁ ଅନୁରୋଧ କରିସାରିଛନ୍ତି। ୨୦୨୭ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲ୍ କାର୍ଯ୍ୟକାଳ ବୃଦ୍ଧି ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିବା ସୂଚନା ମିଳିଛି।

ଏ ଖବର ବି ପଢନ୍ତୁ:-ବରଯାତ୍ରୀ ନେଇ UP ପହଞ୍ଚିଲେ ହରିୟାଣାର ପ୍ରସିଦ୍ଧ ଗୋ ରକ୍ଷକ ବିଟ୍ଟୁ ବଜରଙ୍ଗୀ, କନ୍ୟା ତ ମିଳିଲାନି, ଠକ ନେଇଗଲା ୩୦ ହଜାର ଟଙ୍କା