ମୋବାଇଲ୍ ପାଇଁ ଭାଙ୍ଗିଲା୧୮ବର୍ଷର ସଂପର୍କ; ସ୍ୱାମୀ ଓ ୩ ସନ୍ତାନଙ୍କୁ ଛାଡ଼ି ଥାନାରେ ବାହାହେଲା ମା'

Published By : Prameya-News7 Bureau | August 22, 2025 IST

କଳାହାଣ୍ଡି :  ଦୁହିଁଙ୍କ ଭିତରେ ଅଜସ୍ର ପ୍ରେମ... ପରସ୍ପରକୁ କଥା ଦିଆନିଆ... ୧୮ ବର୍ଷ ପୂର୍ବରୁ ଭଲ ପାଇ, ବିବାହ କରିଥିଲେ ।  ବିବାହ ପରେ ସୁଖ ଦୁଃଖରେ ଚାଲିଥିଲା ତେଲ ଲୁଣର ସଂସାର ।  ୩ ସନ୍ତାନର ମା ବାପା ହେବା ପରେ ବଢ଼ିଲା ଦାୟିତ୍ୱ। ହେଲେ ଅଭାବ ସାଜିଲା ବଇରି। ପରିବାର ପ୍ରତିପୋଷଣ ପାଇଁ  ସ୍ୱାମୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଗଲେ। ଆଉ  ଦୂରରେ ଥାଇ ପରିବାର ସୁଖ ଦୁଃଖ ବୁଝିବାକୁ ଧାର କରଜ କରି ସ୍ତ୍ରୀକୁ ଏକ ମୋବାଇଲ କିଣି ଦେଇଥିଲେ । ସେହି ମୋବାଇଲ୍ ସ୍ତ୍ରୀକୁ କଲା ଆଉ କାହାର।  ସବୁ କଥା ଭୁଲିଗଲେ ପତ୍ନୀ... ପାଲଟିଗଲେ ନିର୍ଦ୍ଦୟୀ ... ଭୁଲିଗଲେ ସ୍ୱାମୀର ପ୍ରେମ, ଦାୟିତ୍ୱ ଓ ତ୍ୟାଗର ମହତ୍ତ୍ୱ। ନିଜ ସୁଖ ପାଇଁ ସ୍ୱାମୀର ବିଶ୍ୱାସରେ ଦେଇଦେଲେ ବିଷ । ଏମିତି କି   ସଂପର୍କ ଛିନ୍ନ କରିବାକୁ ବି ପଛେଇଲାନି...  ସିନେମାର ଦୃଶ୍ୟ ଭଳି ଲାଗୁଥିବା ଏହି ଘଟଣାଟି କିଛି ସତ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ବେଡାଗାଁରେ ଘଟିଛି ଏଭଳି ଘଟଣା ।

 ଗାଁର ବିଶ୍ୱମ୍ବର ହରିଜନ ଗତ ୧୮ ବର୍ଷ ତଳେ ଖଜୁରୀଗୁଡ଼ା ଗାଁର ଅମ୍ବିକା ହରିଜନଙ୍କୁ ଭଲ ପାଇ ବିବାହ କରିଥିଲେ l ସେମାନଙ୍କର ତିନୋଟି ସନ୍ତାନ । ପରିବାର ପେଟ ପୋଷିବାକୁ  ବିଶ୍ୱମ୍ବର କେରଳ ଦାଦନ ଖଟିବାକୁ ଯାଇଥିଲେ। ଏହି ସମୟରେ ଡଙ୍ଗରୀ ଗାଁର ବିବାହିତ ବ୍ୟକ୍ତି ମୂରଲୀ ବାଗ ସହିତ ଅମ୍ବିକାଙ୍କ ସଂପର୍କ ଗଢ଼ିଉଠେ।   ମୋବାଇଲରେ ଗପସପ ସବୁ ଚାଲେ। ଦିନ ସରିଯାଏ ହେଲେ କଥା ସରେନି l ହେଲେ ପରିବାର ପ୍ରତିପୋଷଣ ପାଇଁ ଘର ଛାଡ଼ି ଦାଦନ ଖଟୁଥିବା ସ୍ୱାମୀ ଫେରି ଯାହା ଦେଖେ ବିଶ୍ୱାସ କରିପାରେନି l ପତ୍ନୀଙ୍କ ପରକୀୟା ପ୍ରୀତି ସମ୍ପର୍କରେ ବିଶ୍ୱମ୍ବର ଜାଣିବାକୁ ପାଇଲେ। ସ୍ତ୍ରୀ  ଅଡିଓ ରେକର୍ଡ଼ିଂ ସବୁ ତା' ହାତରେ ଲାଗିବା ପରେ ସ୍ତ୍ରୀ ଓ ତାର ନୂଆ ପ୍ରେମିକଙ୍କ ନାଁ ନେଇ  ଥାନାର ଦ୍ବାରସ୍ଥ ହେଲେ ।   ଭାବି ଥିଲେ ଥାନାର ଦ୍ୱାରସ୍ତ ହେଲେ ସବୁ ସମାଧାନ ହେବ ହେଲେ  ଥାନାରେ ଆସିଲା ଟୁଇଷ୍ଟ।  ପୋଲିସ ସାମ୍ନାରେ ସ୍ତ୍ରୀ ନିଜର ସ୍ୱାମୀ ଓ ତିନି ସନ୍ତାନଙ୍କ ସହିତ ସବୁ ସମ୍ପର୍କକୁ କଲା ଛିନ୍ନ। ଆଉ ନିଜର ନୂଆ ପ୍ରେମିକର ହାତ ଧରି ଚାଲି ଗଲା ।  ପ୍ରେମିକ ବିବାହିତ ଓ ପାଞ୍ଚଟି ସନ୍ତାନର ବାପା ବୋଲି ଜାଣିବା ପରେ ବି ବନ୍ଧୁବାନ୍ଧବ ଆଗରେ ନୂଆ ପ୍ରେମିକ ହାତରୁ ସିନ୍ଦୁର ପିନ୍ଧିଛି। ପ୍ରେମିକ ମୂରଲୀ ମଧ୍ୟ ଅମ୍ବିକାଙ୍କୁ ଦ୍ଵିତୀୟ ସ୍ତ୍ରୀର ମର୍ଯ୍ୟାଦା ଦେବାକୁ ରାଜି ହୋଇ  ମାଳ ବଦଳ କରି ବିବାହ କରିଛନ୍ତି। 

ତେବେ ଆପୋଷ ବୁଝାମଣା ଯୋଗୁଁ ପୁଲିସରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି । କିନ୍ତୁ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଅନେକ ଏ ଭଳି ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଆମେ ଏତିକି କହିବା ଘରେ ସ୍ୱାମୀ, ତିନି ତିନିଟା ଛୁଆକୁ ଛାଡ଼ି ପର ପୁରଷକୁ ବାହାହେବା କେତେଦୂର ଠିକ୍ ଏହା ସମାଜ ହିଁ ବିଚାର କରିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.