ମଦ ପିଇବାକୁ ଡାକି ଛୁରୀ ଭୁସିଦେଲେ, ଅଭିଯୁକ୍ତ ବଖାଣିଲା ବୀଭତ୍ସ ହତ୍ୟାର କାହାଣୀ

NEWS7
mother-get-her-missing-son-by-the-help-of-social-media-in-baragarh

ପୁରୀ ୨୫।୧: ପୁରୀ ଏସ୍‌ସିଏସ୍ କଲେଜ ନିକଟରେ ଜଣେ ହୋଟେଲ କର୍ମଚାରୀଙ୍କୁ ଛୁରୀ ଭୁସି ହତ୍ୟା କରିବା ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ କୋର୍ଟ ଚାଲାଣ ପୂର୍ବରୁ ଘଟଣାସ୍ଥଳକୁ ଅଭିଯୁକ୍ତ ଗୁନା ଓରଫ ଅଜିତ ମହାପାତ୍ରକୁ ଟାଉନ ଥାନା ପୋଲିସ ନେଇ ସିନ୍ ରିକ୍ରିଏସନ କରିଛି । ହତ୍ୟାକାଣ୍ଡ ସମୟର ସିସିଟିଭି ଫୁଟେଜ ସହିତ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ମଧ୍ୟ ରେକର୍ଡ କରିଛି ପୋଲିସ । ପୁରୀ ଏସ୍‌ପି ପ୍ରତୀକ୍ ସିଂ ଏନେଇ ସୂଚନା ଦେଇଛନ୍ତି ।

ତେବେ ମୃତ ଟୁକୁ ଓରଫ ସ୍ମାରକ ସିଂ କଲେଜ ଛକ ନିକଟରେ ଗାୟତ୍ରୀ ନାମକ ଏକ ହୋଟେଲରେ କାର୍ଯ୍ୟ କରୁଥିଲା । ଏହା ପୂର୍ବରୁ ଅଭିଯୁକ୍ତ ଗୁନା ମଧ୍ୟ ସେହି ହୋଟେଲରେ କାମ କରୁଥିଲା । ହୋଟେଲ ମାଲିକ ସହିତ ଝଗଡ଼ା ହେବାରୁ ଗୁନାକୁ ହୋଟେଲରୁ ବାହାର କରିଦେଲା ମାଲିକ । ଏହାକୁ ନେଇ ଟୁକୁକୁ ହତ୍ୟା କରିବା ପାଇଁ ପ୍ଲାନ୍ କରିଥିଲା ଅଭିଯୁକ୍ତ ଗୁନା । ଶୁକ୍ରବାର ରାତିରେ ହୋଟେଲରେ କାମ ସାରିବା ପରେ ହୋଟେଲରେ ଟୁକୁ ଶୋଇଥିଲା । ଅଭିଯୁକ୍ତ ଗୁନା ହୋଟେଲକୁ ଯାଇ ଟୁକୁକୁ ମଦ ପିଇବା ପାଇଁ ଡାକିଥିଲା । ଟୁକୁ ବାହାରକୁ ଆସିବା ମାତ୍ରେ ଗୁନା ଏକ ଧାରୁଆ ଛୁରୀରେ ତାକୁ ଆକ୍ରମଣ କରିଥିବା ବେଳେ ଜୀବନ ବଞ୍ଚାଇବାକୁ ଯାଇ କଲେଜ ଛକ ନିକଟରେ ଥିବା ମିଶନ ଶକ୍ତି ବାରଣ୍ଡାରେ ପଡ଼ି ଯାଇଥିଲା । ସେହିଠାରେ ହିଁ ଟୁକୁକୁ ଛୁରୀ ଭୁସି ଅତି ନିର୍ମମ ଭାବେ ହତ୍ୟା କରିଥିଲା ଗୁନା ‌। ତେବେ ହତ୍ୟା କରିବା ପରେ ଅଭିଯୁକ୍ତ ବାଲେଶ୍ଵର ଫେରାର ହୋଇଯାଇଥିଲା। ପୋଲିସର ଏକ ଟିମ୍ ବାଲେଶ୍ଵର ଯାଇ ଅଭିଯୁକ୍ତ ଗୁନାକୁ ଗିରଫ କରିବା ସହ ସିନ୍ ରିକ୍ରିଏସନ ପୋଲିସ ତାକୁ କୋର୍ଟ ଚାଲାଣ କରିଛି ବୋଲି ପୁରୀ ଏସ୍‌ପି କହିଛନ୍ତି ।