ମା ଓ ପୁଅ ମିଶି ବିକି ଦେଇଛନ୍ତି ବାୟୁସେନା ଏୟାରଷ୍ଟ୍ରିପ୍! ୨୮ ବର୍ଷ ପରେ ରୁଜୁ ହେଲା ମାମଲା

Published By : Prameya-News7 Bureau | June 30, 2025 IST

ଫିରୋଜପୁର ୩୦।୬: ପଞ୍ଜାବରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଖବର ସାମ୍ନାକୁ ଆସୁଛି। ଏଠାରେ ଏକ ମା ଓ ପୁଅ ସ୍ଥାନୀୟ ରାଜସ୍ୱ ଅଧିକାରୀଙ୍କ ସହ ମିଶି ଭାରତୀୟ ବାୟୁସେନା (ଆଇଏଏଫ) ଏୟାରଷ୍ଟ୍ରିପକୁ ବିକ୍ରି କରିଦେଇଛନ୍ତି। ପୋଲିସ ମାମଲାରେ ୨୮ ବର୍ଷ ପରେ ଏତଲା ରୁଜୁ କରିଛି। ୧୯୬୨,୧୯୬୫ ଓ ୧୯୭୧ ଯୁଦ୍ଧରେ ଏୟାରଫୋର୍ସ ଏହି ଏୟାରଷ୍ଟ୍ରିପ୍ କୁ ଯୁଦ୍ଧରେ ବ୍ୟବହାର କରିଥିଲା। କଥିତ ରୂପେ ୧୯୯୭ ମସିହାରେ ଦୁମନିବାଲା ଗାଁର ଉଷା ଅଂସଲ ଓ ତାଙ୍କ ପୁଅ ନବନୀତ ଚନ୍ଦ ଅଂସଲ ଏହି ଏୟାରଷ୍ଟ୍ରିପକୁ ବିକି ଦେଇଛନ୍ତି। 

୨୦୨୧ ମସିହାରେ ହଲବାଡା ଏୟାରଫୋର୍ସ ଷ୍ଟେସନର କମାଣ୍ଡାଣ୍ଟ ଚିଠି ଲେଖି ଫିରୋଜପୁର ଡେପୁଟି କମିସନଙ୍କ ନିକଟରେ ଏ ନେଇ ଅଭିଯୋଗ କରିଥିଲେ। ଏହା ଛଡା ତଦନ୍ତରେ ବିଳମ୍ବ ଯୋଗୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ମଧ୍ୟ ଅଭିଯୋଗ କରାଯାଇଥିଲା।୨୧ ଡିସେମ୍ବର ୨୦୨୧ରେ ଡେପୁଟି କମିଶନରଙ୍କୁ ୬ ସପ୍ତାହ ମଧ୍ୟରେ ମାମଲାର ତଦନ୍ତ ଶେଷ କରିବାକୁ କୁହାଯାଇଥିଲା। ଏହା ପରେ ଡେପୁଟି କମିଶନର  ୬ ପୃଷ୍ଠାର ଏକ ରିପୋର୍ଟ ଦେଇଥିଲେ। 

ଏହି ରିପୋର୍ଟରେ କୁହାଯାଇଥିଲା ଯେ ୧୯୫୮-୫୯ରେ ଜମିର ସ୍ଥିତି ଯାହା ଥିଲା ଏବେବି ତାହା ରହିଛି। ରିପୋର୍ଟରେ କୁହାଯାଇଛି ଯେ ଏବେବି ଜମିର ମାଲିକାନା ହକ୍ ଭାରତୀୟ ବାୟୁସେନା ନିକଟରେ ରହିଛି। ତେବେ ମାମଲାରେ ନିସାନ ସିଂହ ନାମକ ଜନୈକ ବ୍ୟକ୍ତି ଏକ ଅନ୍ୟ ଆବେଦନ ଦାଖଲ କରିଥିବା ବେଳେ ରିପୋର୍ଟରେ ଅନେକ ତଥ୍ୟକୁ ଅଣଦେଖା କରାଯାଇଥିବା ଅଭିଯୋଗ କରିଛନ୍ତି। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯିବା ପରେ ଏୟାରଷ୍ଟ୍ରିପ୍ କୁ ପୁଣି ରିଷ୍ଟୋର କରିଦିଆଯାଇଛି। 

ସୂଚନା ଅନୁସାରେ ୧୯୩୯ ମସିହାରେ ଏୟାରଷ୍ଟ୍ରିପ ନିର୍ମାଣ ନିମନ୍ତେ ତତ୍କାଳୀନ ଇଂରେଜ ସରକାର ଜମି ଅଧିଗ୍ରହଣ କରିଥିଲେ। ଏହି ଜମିର ପୁରୁଣା ମାଲିକଙ୍କ ପାଖରେ ଥିବା କାଗଜପତ୍ର ଅନୁସାରେ ସେ ଜମିକୁ ପରେ ବିକ୍ରି କରିଦେଇଛନ୍ତି। ତେବେ ଏହି ଜମିଟି ଭାରତୀୟ ବାୟୁସେନା ମାଲିକାନାରେ ଏବେବି ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.