ନୂଆଦିଲ୍ଲୀ: ଚୀନ ବିଜ୍ଞାନ ଓ ଟେକ୍ନୋଲୋଜୀ ବ୍ୟବହାର କରି ଦିନକୁ ଦିନ ଏମିତି ସବୁ ଜିନିଷ ଉଦ୍ଭାବନ କରୁଛି, ଯାହା ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଉଛି। ବର୍ତ୍ତମାନ ବିଶ୍ୱରେ ଯୁଦ୍ଧ ପରିସ୍ଥିତି ରହିଥିବା ବେଳେ ସମସ୍ତଙ୍କ ଉପରେ ନଜର ରଖିବାକୁ ଚୀନ ଏମିତି ଏକ ଡ୍ରୋନ୍ ତିଆରି କରିଛି ଯାହା ଆପଣଙ୍କ ପାଖରେ ଉଡ଼ିଲେ ବି ଆପଣ ଜାଣିପାରିବେ ନାହିଁ।
ଡ୍ରୋନ୍ଟି ଏତେ ଛୋଟ୍ ଯେ ଆଙ୍ଗୁଳି ଟିପରେ ବି ଧରିବା କଷ୍ଟକର ହୋଇଯିବ। ଆପଙ୍କୁ ଲାଗିବ ଯେ ଆପଣଙ୍କ ପାଖରେ ମଶା ଉଡ଼ୁଛି। ହେଲେ ସେଇଟା ମଶା ନଥିବ, ଅବିକଳ ମଶା ଭଳି ଦେଖାଯାଉଥିବା ଚୀନର ଏହି କ୍ଷୁଦ୍ର ସ୍ପାଏ ଡ୍ରୋନ୍ ନିମିଶକ ମଧ୍ୟରେ ଆପଣଙ୍କର ସବୁ ଗତିବିଧିର ତଥ୍ୟ ଚୀନ ପାଖରେ ପହଞ୍ଚାଇ ଦେବ।
ଚୀନ ଏହି ଡ୍ରୋନ୍କୁ ବିପଦପୂର୍ଣ୍ଣ ମିଶନ ପାଇଁ ବ୍ୟବହାର କରିବ। ଦେଖିବାକୁ ମଶା ପରି ଓ କ୍ଷୁଦ୍ର ହୋଇଥିବାରୁ ଡ୍ରୋନ୍ ଉଡ଼ିଲେ କୌଣସି ସାଉଣ୍ଡ ହେବନି। ଫଳରେ ଶତ୍ରୁ ଜାଣି ବି ପାରିବ ନାହିଁ। ଏହି ଡ୍ରୋନ୍କୁ ନିରିକ୍ଷଣ, ସାଇବରକ୍ରାଇମ, ଏବଂ ଯୈବ ଯୁଦ୍ଧ ବା ବାଓୱାରଫେୟାର ବ୍ୟବହାର କରିବ। ଚୀନର ଏହି ମସକ୍ୟୁଟୋ ଡ୍ରୋନ୍ ଆମେରିକା ଓ ଭାରତ ସମେତ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି।
ସ୍ପାଏ କ୍ୟାମେରା ଥିବା ଏହି କ୍ଷୁଦ୍ର ଡ୍ରୋନକୁ ଚୀନ୍ର ନ୍ୟାସନାଲ୍ ୟୁନିଭର୍ସିଟି ଅଫ୍ ଡିଫେନ୍ସ ଟେକ୍ନୋଲୋଜି (NUDT) ବିକଶିତ କରିଛି। ଏହି ମ୍ସିକ୍ୟୁଟୋ ଡ୍ରୋନ୍କୁ ଚୀନ୍ର ସରକାରୀ ସାମରିକ ଚ୍ୟାନେଲ୍ CCTV7 ରେ ପ୍ରଦର୍ଶିତ କରାଯାଇଥିଲା।
ଡ୍ରୋନ୍ଟି ୦.୬ ସେଣ୍ଟିମିଟର ହୋଇଥିବା ବେଳେ ଭିଡିଓରେ ବୈଜ୍ଞାନିକମାନେ ମଶା ଭଳି ଏକ ରୋବୋଟକୁ ଧରିଥିବାର ଦେଖାଯାଉଛି। ଯାହା ବିଭିନ୍ନ ସାମରିକ ଏବଂ ବେସାମରିକ କାର୍ଯ୍ୟକଳାପ କରିବ ବୋଲି ସେମାନେ କହିଛନ୍ତି। NUDT ଛାତ୍ର ଲିଆଙ୍ଗ ହେକ୍ସିଆଙ୍ଗ ରୋବୋଟଟିକୁ ଉପରକୁ ଉଠାଇ ଦେଖାଇଥିଲେ।। ଏବଂ କହିଲେ, " ମୋ ହାତରେ ଏକ ମଶା ପରି ରୋବୋଟ ଅଛି। ଏହିପରି କ୍ଷୁଦ୍ର ବାୟୋନିକ୍ ରୋବୋଟଗୁଡ଼ିକ ବିଶେଷ ଭାବରେ ସୂଚନା ସଂଗ୍ରହ ଏବଂ ଯୁଦ୍ଧକ୍ଷେତ୍ରରେ ସ୍ୱତନ୍ତ୍ର ମିଶନ ପାଇଁ ଉପଯୁକ୍ତ ବ୍ୟବହାର ହୋଇପାରିବ।"
ଏହା ଏକ ନିରିହ କୀଟ ପରି ଦେଖାଯାଉଥିବା ବେଳେ ଏହାର ଫିଚର୍ସ ସମସ୍ତଙ୍କୁ ଚକିତ କରିଛି। ଡ୍ରୋନର ଦୁଇଟି ହଳଦିଆ ପତ୍ର ଆକାରର ଡେଣା, ଏକ ଚିକ୍କଣ କଳା ଶରୀର ଏବଂ ତିନୋଟି ପତଳା ପତଳା ଗୋଡ ଅଛି। ଜର୍ଜଟାଉନ୍ ସେଣ୍ଟର ଫର୍ ସିକ୍ୟୁରିଟି ଆଣ୍ଡ୍ ଇମର୍ଜିଂ ଟେକ୍ନୋଲୋଜିର ଗବେଷଣା ସହଯୋଗୀ ସାମ୍ ବ୍ରେସନିକ୍ ଟେଲିଗ୍ରାଫକୁ ପ୍ରତିକ୍ରିୟା ଦେଇ ଡ୍ରୋନ୍ ବିଷୟରେ ସୂଚନା ଦେଇଥିଲେ।
ସେ କହିଥିଲେ "ଯଦି ଚୀନ୍ ମଶା ଆକାରର ଡ୍ରୋନ୍ ଉତ୍ପାଦନ କରିପାରୁଛି, ତେବେ ସେ ବିଭିନ୍ନ ଗୁପ୍ତଚର, ନିରୀକ୍ଷଣ ଏବଂ ଗୁଇନ୍ଦା କାର୍ଯ୍ୟ ପାଇଁ ସେଗୁଡ଼ିକୁ ବ୍ୟବହାର କରିବ। ବିଶେଷକରି ଯେଉଁ ସ୍ଥାନଗୁଡ଼ିକରେ ବଡ଼ ଡ୍ରୋନ୍ ପ୍ରବେଶ କରିପାରିବ ନାହିଁ ଯଥା ଘର ଭିତରର ଓ କୌଣସି ଗୁପ୍ତ ସ୍ଥାନଗୁଡ଼ିକରେ ସେ ଏହି ଡ୍ରୋନ୍ର ବ୍ୟବହାର କରିପାରେ। ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଟ୍ରାକ୍ କରିବା କିମ୍ବା କଥାବାର୍ତ୍ତା ଶୁଣିବା ପାଇଁ ଏହାର ବ୍ୟବହାର କରାଯାଇପାରିବ।"ଏହି ଡ୍ରୋନକୁ ଏକ ସ୍ମାର୍ଟଫୋନ୍ ଦ୍ୱାରା ନିୟନ୍ତ୍ରିତ କରାଯାଇପାରିବ। ଏହି ଡ୍ରୋନ୍ NUDTର ଜୈବ-ପ୍ରେରିତ ରୋବୋଟିକ୍ସ ନିର୍ମାଣର ଏକ ଅଂଶ ବୋଲି ଚୀନ କହିଛି।