LIVE TV

ନୂଆପଡ଼ାରେ ନାରା-ନେଟ୍ଓ୍ବର୍କ ନାହିଁ ତ ଭୋଟ୍ ନାହିଁ, ଜାଣନ୍ତୁ କଣ କହିଲେ ତିନି ଦଳର ନେତା

NEWS7
more-than-1500-rounds-of-ammunition-were-found-in-the-suspicious-bag-in-purushottampur-express

ନୂଆପଡ଼ା: ଭୋଟ୍ ଆସିଲେ ନେତା ଆସୁଛନ୍ତି । ହାତ ଯୋଡ଼ି ଭୋଟ୍ ମାଗୁଛନ୍ତି । ସବୁ ସମସ୍ୟାର ସମାଧାନ କରିଦେବୁ ବୋଲି ପ୍ରତିଶ୍ରୁତି ବି ଦେଉଛନ୍ତି । ହେଲେ ଭୋଟ୍ ସରିଗଲେ ପ୍ରତିଶ୍ରୁତି ପାଲଟି ଯାଉଛି ପାଣିର ଗାର । ବର୍ଷ ବର୍ଷ ଧରି ଲୋକଙ୍କ ସମସ୍ୟାର ସମାଧାନ ହେଉନି । ଏମିତିରେ ଭୋଟ୍ ବେଳ ଦେଖି ନୂଆପଡ଼ାର କିଛି ଗାଁରେ ଏବେ ଭୋଟରଙ୍କ ନୂଆ ନାରା ଦେଖିବାକୁ ମିଳିଛି । ବିଜୁ ଏକ୍ସପ୍ରେସ୍ ଓ୍ବେ ଠାରୁ ୧୦ କିଲୋମିଟର ଭିତରକୁ ଥିବା ଏକ ଗାଁରେ ପହଞ୍ଚିଥିଲା ନ୍ୟୁଜ୍ 7 ଟିମ୍ । ସେଠାରେ ଲାଗିଥିବା ଏକ ପୋଷ୍ଟରରେ  ଲେଖା ଥିଲା ନେଟଓ୍ବର୍କ ନାହିଁ ତ ଭୋଟ୍ ନାହିଁ । କଣ  ରହିଛି ପୂରା ଘଟଣା ଆସନ୍ତୁ ଦେଖିବା ।

ନୂଆପଡ଼ାର କିଛି ଗାଁରେ ଭୋଟରଙ୍କ ନୂଆ ନାରା । ନେଟ୍ଓ୍ବର୍କ ନାହିଁ ତ ଭୋଟ୍ ନାହିଁ । ଟିକେ ନଜର ପକାନ୍ତୁ ଏହି ପୋଷ୍ଟର ଉପରେ। ଏହା କୌଣସି ନେତାଙ୍କ ପୋଷ୍ଟର ନୁହେଁ । ଗାଁର ରାସ୍ତାଘାଟରେ ଏମିତି ପୋଷ୍ଟର ଲଗାଇଛନ୍ତି ଗ୍ରାମବାସୀ । କାରଣ ଏହି ରାସ୍ତା ଦେଇ ଯେତେବେଳେ ନେତା ଭୋଟ୍ ମାଗିବାକୁ ଆସିବେ ସେତେବେଳେ ସେମାନଙ୍କ ନଜର ଯେମିତି ଏହି ପୋଷ୍ଟର ଉପରେ ପଡ଼ିବ ସେହି ବ୍ୟବସ୍ଥା କରିଛନ୍ତି ଲୋକେ । ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ବୁଲୁ ବୁଲୁ ପାହାଡ଼ ଘେରା ଗାଁ ଲୋକଙ୍କ ସମସ୍ୟା ସମ୍ପର୍କରେ ବୁଝିବାକୁ ଦେଓଦରା ପଞ୍ଚାୟତରେ ନ୍ୟୁଜ୍ 7 ଟିମ୍ ।

ବିଜୁ ଏକ୍ସପ୍ରେସ ଓ୍ବେରୁ ୧୦ କିଲୋମିଟର ଭିତରକୁ ଥିବା ଏହି ପଞ୍ଚାୟତରେ ପଶୁ ପଶୁ ଏଭଳି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା ।ଯେଉଁଥିଲେ ଲେଖାଥିଲା ନେଟଓ୍ବର୍କ ନାହିଁ ତ ଭୋଟ୍ ନାହିଁ । ପଞ୍ଚାୟତରେ ପ୍ରାୟ ୧୮ଶହରୁ ଅଧିକ ଭୋଟର ଅଛନ୍ତି । ହେଲେ ସେମାନଙ୍କ କହିବା କଥା, ବର୍ତ୍ତମାନ ଯୁଗରେ ବିନା ଇଣ୍ଟରନେଟ ଓ ବିନା ମୋବାଇଲରେ ଚଳିବା ଅସମ୍ଭବ ହୋଇପଡ଼ିଛି । ଏମିତିରେ ଗାଁକୁ ଠିକ୍ ଭାବେ ନେଟଓ୍ବର୍କ ଆସୁନଥିବାରୁ ଲୋକେ ନିଜ ସମ୍ପର୍କୀୟଙ୍କ ସହ ଫୋନ ଯୋଗେ କଥାବର୍ତ୍ତା ହେବା ଠାରୁ ଆରମ୍ଭ କରି ସରକାରୀ ଯୋଜନା ପାଇବାରୁ ବଞ୍ଚିତ ହେଉଛନ୍ତି ।

ରାସନ କାର୍ଡ଼ ପାଇଁ E-KYC ହେଉ କି ଅନ୍ ଲାଇନ୍ରେ ପିଲାଙ୍କ ପାଠପଢ଼ା, ଭତ୍ତା ଆବେଦନ ହେଉ କି ରୋଗ ଶଯ୍ୟାରେ ପଡ଼ିଲେ ଆମ୍ବୁଲାନ୍ସକୁ କଲ୍ କରିବା ସବୁଥିରେ ସମସ୍ୟା ସାଜିଛି ନୋନେଟଓ୍ବର୍କ । ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା ପଞ୍ଚାୟତରେ ବ୍ୟାଙ୍କ ସୁବିଧା ଥିଲେ ମଧ୍ୟ ନେଟଓ୍ବର୍କ ସମସ୍ୟା ଯୋଗୁଁ ଲୋକେ ବ୍ୟାଙ୍କ ସେବା ପାଇ ପାରୁନାହାନ୍ତି । ଅନଲାଇନ୍ ସେବା ପାଇଁ ଲୋକଙ୍କୁ ଘର ଠାରୁ ଅନେକ ଦୂରକୁ ଯିବାକୁ ପଡ଼ୁଛି ।ତେଣୁ ଏଥର ନେଟ୍ଓ୍ବର୍କ ନ ଆସିଲେ ପଞ୍ଚାୟତବାସୀ ଭୋଟ୍ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ।

ନେଟ୍ଓ୍ବର୍କ ନାହିଁ ତ ଭୋଟ୍ ନାହିଁ

ଦେଓଦରା ପଞ୍ଚାୟତବାସୀଙ୍କ କଥା ଶୁଣି ଆମେ ଯେତେବେଳେ ସରକାରୀ ତଥ୍ୟ ଆଡ଼େଇଲୁ ସେତେବେଳେ ଜଣାପଡ଼ିଲା ଯେ, ନୂଆପଡ଼ା ନିର୍ବାଚନ ମଣ୍ଡଳୀର ପ୍ରାୟ ୩୦ଟି ଗାଁକୁ ଏଯାଏଁ ନେଟଓ୍ବର୍କ ପହଞ୍ଚିପାରି ନାହିଁ । ଏହି ସମସ୍ୟା ସମ୍ପର୍କରେ ଆମେ ନେତାଙ୍କ ସହ ମଧ୍ୟ ଆଲୋଚନା କରିଥିଲୁ । କାହିଁକି ଆଜି ପର୍ଯ୍ୟନ୍ତ ନୂଆପଡ଼ାର ୩୦ ଗାଁକୁ  ମୋବାଇଲ୍ ନେଟଓ୍ବର୍କ ଆସିନି, ସେମାନଙ୍କ ଠାରୁ ତାର ଉତ୍ତର ଜାଣିବାକୁ ଚେଷ୍ଟା କରିଥିଲୁ । ପ୍ରଥମେ ଆମ ହାବୁଡ଼ରେ ପଡ଼ିଥିଲେ କଂଗ୍ରେସ ନେତା କୋମଳ ଚରଣ ତାଣ୍ଡି ମହାଶୟ । ଭୋଟ୍ ବେଳେ ଆମ ମୁହଁରୁ ଭୋଟରଙ୍କ ସମସ୍ୟା ସମ୍ପର୍କରେ ଏମିତି ପ୍ରଶ୍ନ ଶୁଣିବା ପରେ ସେ ସାଙ୍ଗେ ସାଙ୍ଗେ ବିଜେଡି ଓ ବିଜେପି ଉପରେ ଦୋଷ ଲଦିଦେଲେ । ନୂଆପଡ଼ାବାସୀ ଏବେ ବି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଅଛନ୍ତି କହି ନିଜ ପଲା ଝାଡ଼ିବାକୁ ଚେଷ୍ଟା କଲେ । ଏହା ପରେ ଆମେ ଭେଟିଥିଲୁ ବିଜେଡି ବିଧାୟକ ପ୍ରଦୀପ ଦିଶାରୀଙ୍କୁ ।

ଆଜି ପର୍ଯ୍ୟନ୍ତ ଦେଓଦରା ପଞ୍ଚାୟତ ସମେତ ନୂଆପଡ଼ାରେ ୩୦ ଗାଁରେ କାହିଁକି ମୋବାଇଲ୍ ନେଟଓ୍ବର୍କ ପହଞ୍ଚି ପାରି ନାହିଁ ବୋଲି ତାଙ୍କୁ ପଚାରିଥିଲୁ । କାରଣ ୨୦୧୯ରୁ ୨୦୨୪ ତାଙ୍କରି ଦଳର ବିଧାୟକ ଥିଲେ । ଏହି ସମୟ ଭିତରେ କଣ ଲୋକଙ୍କ ପାଇଁ ନେଟଓ୍ବର୍କ ସମସ୍ୟାର ସମାଧାନ ହୋଇପାରିଲା ନାହିଁ ବୋଲି ପଚାରିବାରୁ ପ୍ରଦୀପ ଦିଶାରୀ ମହୋଦୟ ସିଧା ବିଜେପିକୁ ଦାୟୀ କରିଦେଲେ । କହିଲେ ବିଜେପି କେବଳ କଥା କହେ, କାମ କରେନି। ନିଜ ଦଳ କଥା ନକହି ଯେତେବେଳେ ଦିଶାରୀବାବୁ ବିଜେପିକୁ ଆଙ୍ଗୁଠି ଦେଖାଇଲେ ସେତେବେଳେ ଆମେ ବା କଣ କହିବୁ ।

ଆମ ପ୍ରଶ୍ନର ଉତ୍ତର ଖୋଜିବାକୁ ସିଧା ଚାଲିଲୁ ବିଜେପି କ୍ୟାମ୍ପକୁ । ଯାହା ହେଉ ୟାଭିତରେ ଆମର ଦେଖା ହୋଇଗଲା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ । କେ.ଭି କହିଲେ ପୂର୍ବ ସରକାର ଅମଳରେ ଏସବୁ ଗାଁକୁ ମୋବାଇଲ୍ ନେଟଓ୍ବର୍କ ପହଞ୍ଚାଇବାକୁ କୌଣସି କାର୍ଯ୍ୟ କରାଯାଇନାହିଁ । ଏବେ ଆମ ସରକାର ସବୁ ଗାଁକୁ ନେଟଓ୍ବର୍କ ପହଞ୍ଚାଇବାକୁ ପ୍ରାଥମିକତା ଦେଇଛନ୍ତି। 

ନେଟ୍ଓ୍ବର୍କ ନାହିଁ : ଦାୟୀ କିଏ ?

ଭୋଟ୍ ଆସିଲେ ନେତା ଆସୁଛନ୍ତି । ହାତ ଯୋଡ଼ି ଭୋଟ୍ ମାଗୁଛନ୍ତି । ସବୁ ସମସ୍ୟାର ସମାଧାନ କରିଦେବୁ ବୋଲି ପ୍ରତିଶ୍ରୁତି ବି ଦେଉଛନ୍ତି । ହେଲେ ଭୋଟ୍ ସରିଗଲେ ପ୍ରତିଶ୍ରୁତି ପାଲଟି ଯାଉଛି ପାଣିର ଗାର । ବର୍ଷ ବର୍ଷ ଧରି ଲୋକଙ୍କ ସମସ୍ୟାର ସମାଧାନ ହେଉନି । ତେଣୁ ଭୋଟ୍ ବେଳ ଦେଖି ଏମିତି ଅସନ୍ତୋଷ ଝାଡ଼ୁଛନ୍ତି ଭୋଟର । ଏକଥା ନେତା ବୁଝିବା ଦରକାର ।