ଆଗାମୀ ୨୪ ଘଣ୍ଟା ମଧ୍ୟରେ କେରଳ ଛୁଇଁବ ମୌସୁମୀ ! ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ

Published By : Prameya-News7 Bureau | May 29, 2024 IST

ଭୁବନେଶ୍ବର ୨୯।୫: କେରଳ ଛୁଇଁବ ମୌସୁମୀ ! ଆଗାମୀ ୨୪ ଘଣ୍ଟା ମଧ୍ୟରେ କେରଳ ଛୁଇଁବ ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ପ୍ରଦାନ କରିଛନ୍ତି । 

ଉମାଶଙ୍କର ଦାସ ଏ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, କେରଳ ଛୁଇଁବ ମୌସୁମୀ ! ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି ।

ସେପଟେ ଓଡ଼ିଶାକୁ ଫେରିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ସକାଳୁ ସକାଳୁ ଜଳିଲାଣି ସାରା ଓଡିଶା । ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ । କେବଳ ତାପମାତ୍ରା ନୁହେଁ, ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଏତେ ବଢ଼ିଯାଇଛି ଯେ, ଭୀଷଣ ଗୁଳୁଗୁଳି ଅଣନିଃଶ୍ୱାସୀ କରି ପକାଉଛି । ଗୁଳୁଗୁଳି ଏତେ ଯେ ବାହାରକୁ ବାହାରିବା ମୁସ୍କିଲ ହେଇଯାଉଛି । 

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୨ ଦିନ ଭିତରେ ଅନେକ ସ୍ଥାନରେ ତାତି ଆହୁରି ୨-୩ ଡିଗ୍ରୀ ବଢିପାରେ । ଅନୁମାନ କରାଯାଉଛି, ୩୧ ତାରିଖ ପରେ ଆଶ୍ୱସ୍ତି ଆଣିବ କାଳବୈଶାଖୀ ବର୍ଷା । ୨୯ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ାରେ ଗ୍ରୀଷ୍ମ ଲହରି ଜଳାଇବ । ୩୦ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ାରେ ଜାରି ରହିବ ଗ୍ରୀଷ୍ମ ଲହରୀ । ଉପକୂଳର ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୀଷଣ ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ ଆସନ୍ତା ଦୁଇ ଦିନ । ଏଥିପାଇଁ ଉପରୋକ୍ତ ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଯେ ଅଂଶୁଘାତ ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ । ୩୧ ଓ ୧ ଜୁନ୍‌ରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ଅଛି । ଏହା ପ୍ରଭାବରେ ୪୦-୫୦ କିମି ବେଗରେ ପବନ ସହ ଧୂଳିଝଡ଼ ଓ ବର୍ଷା ହୋଇପାରେ । କାଳବୈଶାଖୀ ହେଲେ ହିଁ ତାତି ଓ ଗୁଳୁଗୁଳିରୁ ବଡ଼ ଆଶ୍ୱସ୍ତି ମିଳିବ । 



You Can Read :

ରାଜ୍ୟରେ ବଢ଼ିଲା ଗ୍ରୀଷ୍ମ ପ୍ରବାହ, ସାଢ଼େ ୧୧ଟା ସୁଦ୍ଧା ୪୨ ଡିଗ୍ରୀ ଟପିଲା ତାପମାତ୍ରା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.