ନୂଆଦିଲ୍ଲୀ ୨୪।୦୭; ପ୍ରବଳ ବର୍ଷାରେ ଉବୁଟୁବୁ ହେଉଛି ଦିଲ୍ଲୀ । ରାସ୍ତାଘାଟଠୁ ନେଇ ସ୍କୁଲ, ଘରଦ୍ବାର ସବୁଠି ପାଣି… ପାଣି । ଆଗାମୀ ୪ଦିନ ପାଇଁ ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିବା ଆଶଙ୍କାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଲଗାଣବର୍ଷା ପରେ ଦିଲ୍ଲୀର ସ୍ଥିତି ବେହାଲ ହୋଇଛି। କେଉଁଠି ରାସ୍ତାଘାଟ ଜାମ୍, ତ ପୁଣି କେଉଁଠି ବର୍ଷା ପାଣିରେ ବୁଡ଼ିଛି ଦିଲ୍ଲୀ। ଘରୁ ବାହାରିବା ହେଉଛି ମୁସ୍କିଲ।
ସେପଟେ ଆଉ ଏକ ଚିତ୍ରରେ ରାଜଧାନୀ ରାସ୍ତାରେ ଦେଖିବାକୁ ମିଳିଛି । ଲୋକମାନେ ପହଁରି ପହଁରି ଯାଉଥିବାର ନଜର ଆସିଛନ୍ତି। ତେବେ ସଠିକ ଭାବେ ବର୍ଷା ପାଣି ନିଷ୍କାସନ ହେଉନଥିବାରୁ ପାଣି ଜମି ରହିଛି । ଏହି କାରଣ ପାଇଁ ସମସ୍ୟା ବଢୁଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ସେହିପରି ଦିଲ୍ଲୀ ପରେ ମୁମ୍ବାଇରେ ମଧ୍ୟ ସମାନ ଅବସ୍ଥା । ଦେଶର ମାୟା ନଗରୀ ମୁମ୍ବାଇ ବେହାଲ ହୋଇପଡ଼ିଛି । ଯେଉଁଠି ଦେଖିବ ସେଠି ଖାଲି ପାଣି ହିଁ ପାଣି । ରାସ୍ତାଘାଟ, ଘରଦ୍ବାର ସବୁଠି ଆଣ୍ଠୁଏଁ ପାଣି । ରାସ୍ତାରେ ଯାନବାହନ ବୁଡିବାରେ ଲାଗିଛି । ୨୪ ଘଣ୍ଟା ଚଳଚଞ୍ଚଳ ରହୁଥିବା ମୁମ୍ବାଇ କିଛି ଘଣ୍ଟା ପାଇଁ ବୁଡି ଯାଇଛି ।
ରବିବାର ରାତିରୁ ଆରମ୍ଭ ହୋଇଥିବା ବର୍ଷା ୩ଦିନ ହେବ ଜାରି ରହିଛି । ଦେଶର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଥିବାବେଳେ ପାହାଡ଼ିଆ ରାଜ୍ୟ ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ ଓ ଜମ୍ମୁକାଶ୍ମୀରରେ କାଳ ସାଜିଛି ବର୍ଷା, ବନ୍ୟା ସାଙ୍ଗକୁ ଭୂସ୍ଖଳନ । ରାସ୍ତାଘାଟ ବନ୍ଦ ପଡ଼ିଛି । ସେପଟେ ଉତ୍ତର-ପୂର୍ବ ରାଜ୍ୟ ଆସାମ, ମଣିପୁର, ଅରୁଣାଚଳ ପ୍ରଦେଶରେ ଦିନକୁ ଦିନ ସମସ୍ୟା ବଢ଼ାଉଛି ଲଗାଣବର୍ଷା । ତେବେ ଜଳବାୟୁ ପରିବର୍ତ୍ତନ ପାଇଁ କିଛି ରାଜ୍ୟରେ ବର୍ଷା ଓ ଅନ୍ୟକିଛି ରାଜ୍ୟରେ ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ତାତି ଅନୁଭୂତ ହେଉଛି ।