ନୂଆଦିଲ୍ଲୀ ୨୫।୫: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଚଳିତବର୍ଷ ଖୁବ୍ ଶୀଘ୍ର ଭାରତକୁ ପହଞ୍ଚିଛି। ସାଧାରଣତଃ ୧ ଜୁନ ବେଳକୁ ମୌସୁମୀ କେରଳ ଉପକୂଳକୁ ପହଞ୍ଚିଥାଏ, ହେଲେ ଏ ବର୍ଷ ୮ ଦିନ ପୂର୍ବରୁ ଅର୍ଥାତ ମେ ୨୪ ତାରିଖରେ କେରଳ ଉପକୂଳ ଛୁଇଁଛି। ୨୦୦୯ ମସିହା ପରେ ଏହା ମୌସୁମୀର ଦ୍ୱିତୀୟ ସଅଳ ଆଗମନ ଓ ଏହା ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)ଙ୍କ ଆକଳନ ଅନୁରୂପ ହୋଇଛି।
ଆଇଏମଡି ଅନୁସାରେ ମୌସୁମୀ ଆଗମନର ଅଧିକାରୀକ ଘୋଷଣା ବୈଜ୍ଞାନିକ ସଂକେତ ଉପରେ ନିର୍ଭର କରେ। ଏଥିରେ କେରଳ ଓ ଆଖପାଖର ୧୪ ପାଣିପାଗ କେନ୍ଦ୍ର ମଧ୍ୟରୁ ଅନୁନ୍ୟ ୬୦%ରେ ଲଗାତାର ଦୁଇ ଦିନ ପର୍ଯ୍ୟନ୍ତ ୨.୫ ମିଲିମିଟର ବା ଅଧିକ ବର୍ଷା ରେକର୍ଡ ହୁଏ ଓ ୧୫-୨୦ ସମୁଦ୍ର ମାଇଲ ବେଗରେ ପଶ୍ଚିମରୁ ପବନ ବହେ ତେବେ ମୌସୁମୀର ଆଗମନ ସ୍ପଷ୍ଟ ହୁଏ। ଚଳିତବର୍ଷ ମୌସୁମୀ ଆଗମନର ସମସ୍ତ ମାନଦଣ୍ଡ ପୂରଣ ହୋଇଥିଲା।
ଐତିହାସିକ ରୂପେ କେରଳକୁ ମୌସୁମୀ ଆଗମନ ତାରିଖରେ ବ୍ୟାପକ ପରିବର୍ତ୍ତନ ହୋଇଛି। ସର୍ବ ପ୍ରଥମେ ୧୧ ମେ ୧୯୧୮ରେ ମୌସୁମୀ କେରଳ ଉପକୂଳ ଛୁଇଁଥିଲା। ତେବେ ୧୯୭୨ ମସିହାରେ ମୌସୁମୀ ଜୁନ ୧୮ ତାରିଖରେ ଭାରତୀୟ ମୁଖ୍ୟ ଭୂ-ଭାଗକୁ ପହଞ୍ଚିଥିଲା। ଦୁଇ ପ୍ରମୁଖ ବୈଶ୍ୱିକ ଜଳ ବାୟୁ ପ୍ୟାଟର୍ଣ୍ଣ ଏଲ-ନିନୋ ଓ ଲା- ନିନୋ ଭାରତୀୟ ମୌସୁମୀକୁ ପ୍ରଭାବିତ କରିଥାଏ। ୨୦୨୩ ମସିହାରେ ଲା ନିନା କାରଣରୁ ଭାରତରେ ୬% କମ୍ ବର୍ଷା ହୋଇଥିଲା।
ତେବେ ଆଇମଡି ଚଳିତବର୍ଷ କୌଣସି ପ୍ରକାରର ଏଲ-ନିନୋ ଗତିବିଦ୍ଧିକୁ ଅସ୍ୱୀକାର କରିଛନ୍ତି ଓ ଆଶା କରାଯାଉଛି ଲା ନିନା ଋତୁ ଶେଷରେ ଅନୁଭୂତ ହୋଇପାରେ। ଏଣୁ ୨୦୨୫ରେ ସ୍ୱଭାବିକରୁ ଅଧିକ ବର୍ଷା ହେବାର ସମ୍ଭାବନା ବଢି ଯାଉଛି।