କେତେଦିନ ଚାଲିବ ମାଗଣା ସୁବିଧା ? କ୍ଷତିରେ ରହି ମଧ୍ୟ ମାଗଣା ବଣ୍ଟନ ବନ୍ଦ କରୁ ନାହାଁନ୍ତି ରାଜ୍ୟ ; ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ

NEWS7
monsoon-currents-can-be-disrupted-by-storms

ନୂଆଦିଲ୍ଲୀ, ୧୯/୦୨ : ବିକାଶମୂଳକ କାର୍ଯ୍ୟ ପାଇଁ ଟଙ୍କା ନାହିଁ । ଅନେକ ରାଜ୍ୟ ଉପରେ ଆର୍ଥିକ ବୋଝ ବଢି ଚାଲିଛି । କିନ୍ତୁ ମାଗଣା ବଣ୍ଟନ ଉପରେ ରୋକ୍ ଲାଗୁନି । କିଛି ଏମିତି କହି ମାଗଣା ସେବା ତଥା ମାଗଣା ବଣ୍ଟନ ପ୍ରସଙ୍ଗରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ତାମିଲନାଡୁର ବିଦ୍ୟୁତ କମ୍ପାନୀ ସହ ଜଡିତ ଏକ ମାମଲାରେ ଏପରି ଶକ୍ତ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ ।

ଏହି ଖବରଟି ପଢନ୍ତୁ... ହ୍ୟାଟ୍ରିକ୍ ଡକ୍ : ଅଭିଷେକଙ୍କୁ ନେଇ ରିସ୍କ ନେବନି ଭାରତ, ସୁପର ୮ରେ ସଞ୍ଜୁଙ୍କୁ ମିଳିପାରେ ସୁଯୋଗ

ମାମଲାର ଶୁଣାଣି ବେଳେ ବିଦ୍ୟୁତ କମ୍ପାନୀ ତରଫରୁ କୁହାଯାଇଥିଲା ଯେ, ସେମାନେ ଦର ବହୁ ପୂର୍ବରୁ ନିର୍ଦ୍ଧାରଣ କରିଥିଲେ । ଏହାପରେ ସରକାର ବିଦ୍ୟୁତ ଫ୍ରି ବା ମାଗଣା କରିଦେଇଥିବା ଘୋଷଣା କରିଥିଲେ । ଏହାକୁ ନେଇ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଯଦି ସରକାର ମାଗଣାରେ ଟଙ୍କା, ବିଦ୍ୟୁତ ଏବଂ ଅନ୍ୟ ସୁବିଧା ଦେଇ ଚାଲିବେ ତେହାଲେ ଏସବୁର ଖର୍ଚ୍ଚ କିଏ ଉଠାଇବ । ମାଗଣା ବଣ୍ଟନ ସରକାର କରୁଛନ୍ତି କିନ୍ତୁ ଟିକସ ଭରୁଥିବା ଲୋକଙ୍କ ଉପରେ ଏହାର ବୋଝ ପଡିବ । ମାଗଣା ଜିନିଷ ବାଣ୍ଟିବା ବଦଳରେ ସରକାର ରୋଜଗାର ସୃଷ୍ଟି କରିବା ଦିଗରେ ଧ୍ୟାନ ଦେବା ଆବଶ୍ୟକ ।

ପ୍ରଧାନ ବିଚାରପତି ଆହୁରି କହିଛନ୍ତି ଯେ, ଅନେକ ରାଜ୍ୟରେ ମାଗଣା ବିଜୁଳି ପ୍ରଦାନ କରାଯାଉଛି । ଧନି କିମ୍ବା ଜମିଦାର ହେଲେ ମଧ୍ୟ ସୁବିଧା ମିଳୁଛି । ଗରିବଙ୍କୁ ସୁବିଧା ମିଳିବା ଜରୁରୀ । ସମସ୍ତଙ୍କୁ ମନଇଚ୍ଛା ମାଗଣା ସୁବିଧା ବଣ୍ଟନରେ କୌଣସି ଆଧାର ନାହିଁ । ଯେଉଁ ଶିଶୁମାନେ ପାଠପଢାରେ ଖର୍ଚ୍ଚ କରିପାରିବେନି ସେମାନଙ୍କ ଦାୟିତ୍ୱ ରାଜ୍ୟ ନେବା ଦରକାର । ଯଦି କିଛି ସେବା ଦରକାର ତେବେ ଅର୍ଥ ପ୍ରଦାନ କରିବାକୁ ହେବ । ନିର୍ବାଚନ ପୂର୍ବରୁ ଏମିତି ଶହଶହ ମାଗଣା ଯୋଜନା କଣ ପାଇଁ ଘୋଷଣା କରାଯାଏ ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି ।

ଏତତ୍ ବ୍ୟତୀତ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ଯେ, ସମସ୍ତ ରାଜନୈତିକ ଦଳ, ସାମାଜବିଜ୍ଞାନୀମାନେ ସେମାନଙ୍କ ଚିନ୍ତାଧାରା ଉପରେ ପୁନଃ ବିଚାର କରିବା ଜରୁରୀ । ଏମିତି ମାଗଣା ସେବା କେତେ ଦିନ ଧରି ଚାଲିବ । ଅନେକ ରାଜ୍ୟ କ୍ଷତିରେ ଚାଲୁଛନ୍ତି । କିନ୍ତୁ ତଥାପି ମାଗଣା ସେବା ଦେବା ବନ୍ଦ କରୁ ନାହାଁନ୍ତି । ସେହି ଟଙ୍କାରେ ହସ୍ପିଟାଲ, କଲେଜ, ସ୍କୁଲ ଏବଂ ଅନ୍ୟ ବିକାଶମୂଳକ କାର୍ଯ୍ୟରେ ଅର୍ଥ ବ୍ୟବହାର କରାଯାଇପାରିବ । ରାଜ୍ୟମାନେ ବର୍ଷକୁ ଆୟର ୨୫ ପ୍ରତିଶତ ମାଗଣା ସେବାରେ ଖର୍ଚ୍ଚ କରିପାରୁଛନ୍ତି ତେବେ ଏହି ଅର୍ଥ ବିକାଶ, ରୋଜଗାର ସୃଷ୍ଟିରେ କାହିଁକି ବ୍ୟବହାର କରିହେବନି ବୋଲି ପ୍ରଧାନ ବିଚାରପତି ପଚାରିଛନ୍ତି ।